The Second Epistle General of Peter
ପିତରଙ୍କ ଦ୍ୱିତୀୟ ପତ୍ର
ଲେଖକ
ଦ୍ୱିତୀୟ ପିତର ପୁସ୍ତକର ଲେଖକ ପିତର ଅଟନ୍ତି ଏହା (ଦ୍ଵି. ପିତ. 1:1) ରେ ଉଲ୍ଲେଖିତ ଅଟେ, (ଦ୍ଵି. ପିତ. 3:1) ପଦରେ ସେ ତାହା ଦାବି କରନ୍ତି। ଦ୍ୱିତୀୟ ପିତର ପତ୍ରୀର ଲେଖକ ଦାବି କରନ୍ତି ଯେ ସେ ଯୀଶୁଙ୍କର ରୂପାନ୍ତରଣ ଦୃଶ୍ୟର ସାକ୍ଷୀ ଅଟନ୍ତି (ଦ୍ଵି. ପିତ. 1:16-18), ସଂକ୍ଷିପ୍ତ ଭାବରେ ରଚିତ ସୁସମାଚାର ଅନୁସାରେ ପିତର, ଯୀଶୁଙ୍କର ତିନି ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଶିଷ୍ୟ ଅଟନ୍ତି, ଯିଏ ଯୀଶୁଙ୍କ ସହିତ ଥିଲେ (ଅନ୍ୟ ଦୁଇ ଜଣ ଯାକୁବ ଓ ଯୋହନ)। ଦ୍ୱିତୀୟ ପିତରର ଲେଖକ ସତ୍ୟତାକୁ ମଧ୍ୟ ପ୍ରକାଶ କରନ୍ତି ଯେ ସେ ମୃତ୍ୟୁବରଣ କରିବା ନିମନ୍ତେ ନିଯୁକ୍ତ ଯାହା ଏକ ଶହୀଦଙ୍କ ମୃତ୍ୟୁବରଣ ପରି ପ୍ରତୀତ ହୁଏ (ଦ୍ଵି. ପିତ. 1:14); ଯୋହନ 21:18-19 ପଦରେ ଯୀଶୁ ଭବିଷ୍ୟତବାଣୀ କରିଥିଲେ ଯେ ପିତର ବନ୍ଦୀ ହେଲା ପରେ ଶହୀଦ ହେବେ।
ସମୟ ଓ ସ୍ଥାନ
ପ୍ରାୟ 65-68 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ଏହା ସମ୍ଭବତଃ ରୋମ ସହରରେ ଲେଖାଯାଇଅଛି ଯେଉଁ ସ୍ଥାନରେ ପ୍ରେରିତ ନିଜ ଜୀବନର ଶେଷ ସମୟ କାଟିଥିଲେ।
ପ୍ରାପକ
ଉତ୍ତର ଏସିଆ ମହାଦେଶରେ ଥିବା ଶ୍ରୋତାମାନଙ୍କୁ ଏହି ପତ୍ର ଲେଖାଯାଇଅଛି ସମ୍ଭବତଃ, ସେହିମାନଙ୍କୁ ଏହି ପ୍ରଥମ ପିତର ପତ୍ରୀ ଲେଖାଯାଇଥିଲା।
ଉଦ୍ଦେଶ୍ୟ
ଖ୍ରୀଷ୍ଟୀୟ ବିଶ୍ୱାସର ମୌଳିକ ବିଷୟଗୁଡ଼ିକ ସ୍ମରଣ କରାଇବା ନିମନ୍ତେ (ଦ୍ଵି. ପିତ. 1:12-13,16-21) ଏବଂ ପ୍ରେରିତିକ ପରମ୍ପରାକୁ ଦୃଢ କରି ବିଶ୍ଵାସୀମାନଙ୍କର ଭବିଷ୍ୟତ ପିଢ଼ିକୁ ବିଶ୍ୱାସରେ ଶିକ୍ଷା ଦେବା ନିମନ୍ତେ (ଦ୍ଵି. ପିତ. 1:15) ପିତର ଏହି ପତ୍ର ଲେଖିଥିଲେ। ପିତର ଏହା ଲେଖିଲେ କାରଣ ସେ ଜାଣିଥିଲେ ଯେ ତାହାଙ୍କର ସମୟ ଅତି ଅଳ୍ପ ଥିଲା ଏବଂ ସେ ଜାଣିଥିଲେ ଯେ ଈଶ୍ବରଙ୍କ ଲୋକମାନେ ଅନେକ ବିପଦର ସମ୍ମୁଖୀନ ହେଉଥିଲେ (ଦ୍ଵି. ପିତ. 1:13-14; 2:1-3), ପିତର ନିଜର ପାଠକମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସଚେତନ ହେବା ପାଇଁ ଲେଖିଥିଲେ (ଦ୍ଵି. ପିତ. 2:1-22) ଯେଉଁମାନେ ଯୀଶୁଙ୍କ ଶୀଘ୍ର ଆଗମନକୁ ଅସ୍ଵୀକାର କରୁଥିଲେ (ଦ୍ଵି. ପିତ. 3:3-4)।
ବିଷୟବସ୍ତୁ
ଭଣ୍ଡ ଶିକ୍ଷକମାନଙ୍କ ବିରୋଧରେ ଚେତାବନୀ
ରୂପରେଖା
1. ଅଭିବାଦନ — 1:1, 2
2. ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର ରଖିବା — 1:3-11
3. ପିତରଙ୍କ ପ୍ରଚାରର ଉଦ୍ଦେଶ୍ୟ — 1:12-21
4. ଭଣ୍ଡ ଭାବବାଦୀ ଏବଂ ଭଣ୍ଡ ଶିକ୍ଷକ — 2:1-22
5. ପ୍ରଭୁଙ୍କ ଆଗମନର ପ୍ରତିଜ୍ଞା — 3:1-16
6. ଶେଷ ପରାମର୍ଶ — 3:17, 18
1
ଅଭିବାଦନ
ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ, ଆମ୍ଭମାନଙ୍କ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଧାର୍ମିକତା ହେତୁ ଯେଉଁମାନେ ଆମ୍ଭମାନଙ୍କ ସହିତ ସମାନ ଭାବରେ ବହୁମୂଲ୍ୟ ବିଶ୍ୱାସ ପ୍ରାପ୍ତ କରିଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟକ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ପ୍ରଚୁର ପରିମାଣରେ ହେଉ।
ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର ରଖିବା
ଈଶ୍ବର ଆପଣା ଗୌରବ ଓ ସଦ୍‍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ବରୀୟ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି।
ସେ ଆମ୍ଭମାନଙ୍କୁ ବହୁମୂଲ୍ୟ ଓ ଅତି ମହତ‍ ପ୍ରତିଜ୍ଞାମାନ ଦାନ କରିଅଛନ୍ତି, ଯେପରି ସେହିସବୁ ଦ୍ୱାରା ତୁମ୍ଭେମାନେ କୁଅଭିଳାଷରୁ ଜାତ ଯେଉଁ ବିନାଶ ଜଗତରେ ଅଛି, ସେଥିରୁ ରକ୍ଷା ପାଇ ଐଶ୍ବରୀୟ ସ୍ୱଭାବର ସହଭାଗୀ ହୁଅ। ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ବିଶ୍ୱାସ ଦ୍ୱାରା ସଦ୍‍ଗୁଣ, ସଦ୍‍ଗୁଣ ଦ୍ୱାରା ଜ୍ଞାନ, ଜ୍ଞାନ ଦ୍ୱାରା ସଂଯମ, ସଂଯମ ଦ୍ୱାରା ଧୈର୍ଯ୍ୟ, ଧୈର୍ଯ୍ୟ ଦ୍ୱାରା ଧର୍ମପରାୟଣତା, ଧର୍ମପରାୟଣତା ଦ୍ୱାରା ଭ୍ରାତୃପ୍ରେମ, ପୁଣି, ଭ୍ରାତୃପ୍ରେମ ଦ୍ୱାରା ପ୍ରେମ ଲାଭ କର।
ଏହିସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ। ମାତ୍ର ଏହିସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି।
10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ। 11 ଆଉ ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ।
ପିତରଙ୍କ ଶେଷ ସମୟ
12 ଅତଏବ, ତୁମ୍ଭେମାନେ ଯଦ୍ୟପି ଏହିସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି। 13 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ଜଣାଇ ଅଛନ୍ତି, ତଦନୁସାରେ ଶୀଘ୍ର ମୋତେ ଏହି ଶରୀରରୂପ ତମ୍ବୁ ଯେ ତ୍ୟାଗ କରିବାକୁ ହେବ, 14 ଏହା ଜାଣି, ଯେପର୍ଯ୍ୟନ୍ତ ଏହି ତମ୍ବୁରେ ଥାଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ସ୍ମରଣ କରାଇ ଜାଗ୍ରତ କରାଇବା ବିହିତ ମନେ କରୁଅଛି। 15 ଆଉ ମୋହର ମହାପ୍ରସ୍ଥାନ* ମହାପ୍ରସ୍ଥାନ ଅର୍ଥାତ୍‍ ମୃତ୍ୟୁ ଉତ୍ତାରେ ତୁମ୍ଭେମାନେ ଏହି ସମସ୍ତ ବିଷୟ ଯେପରି ସର୍ବଦା ସ୍ମରଣରେ ଆଣି ପାରିବ, ଏଥିନିମନ୍ତେ ମୁଁ ଯତ୍ନ କରିବି।
ଖ୍ରୀଷ୍ଟଙ୍କ ମହିମା ଏବଂ ଈଶ୍ବରଙ୍କ ବାକ୍ୟ
16 କାରଣ ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ଆଗମନ କଥା ତୁମ୍ଭମାନଙ୍କୁ ଜଣାଇଲୁ, ସେତେବେଳେ ଚତୁରତା ସହ କଳ୍ପିତ କୌଣସି କାହାଣୀ ଅବଲମ୍ବନ କରି ନ ଥିଲୁ, ମାତ୍ର ତାହାଙ୍କ ମହିମାର ଚାକ୍ଷୁଷ ସାକ୍ଷୀ ହୋଇଥିଲୁ। 17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ବରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ; 18 ଆମ୍ଭେମାନେ ତାହାଙ୍କ ସହିତ ପବିତ୍ର ପର୍ବତରେ ଥିବାବେଳେ ନିଜେ ଆକାଶରୁ ନିର୍ଗତ ଏହି ବାଣୀ ଶୁଣିଲୁ। 19 ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ। 20 ପ୍ରଥମରେ ଏହା ଜ୍ଞାତ ହୁଅ ଯେ, ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ, 21 କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ବର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ।

*1:15 ମହାପ୍ରସ୍ଥାନ ଅର୍ଥାତ୍‍ ମୃତ୍ୟୁ