ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ
ଲେଖକ
ଯିରିମୀୟ, ତାହାଙ୍କ ଲେଖକ ବାରୂକ ସହିତ। ଯିରିମୀୟ ଯିଏ ଉଭୟ ଜଣେ ଯାଜକ ଓ ଭବିଷ୍ୟଦ୍‍ବକ୍ତା ଭାବେ ସେବା କଲେ, ସେ ହିଲ୍‍କୀୟଙ୍କ ପୁତ୍ର ଥିଲେ (ଦ୍ଵି. ରା. 22:8 ମହାଯାଜକ ନୁହେଁ କିନ୍ତୁ ସେ ଏକ ଛୋଟ ଗ୍ରାମ ଅନାଥୋତ୍‍ ନିବାସୀ ଅଟନ୍ତି (ଯିରି.1:1)। ସେ ବାରୂକ ନାମକ ଏକ ଲେଖକଙ୍କ ଦ୍ଵାରା ସେବାକାର୍ଯ୍ୟରେ ନିଯୋଜିତ ହୋଇଥିଲେ, ଯାହାଙ୍କୁ ସେ ଲେଖିବାକୁ ନିର୍ଦ୍ଦେଶ ଦେଉଥିଲେ ଏବଂ ଯିଏ ଭବିଷ୍ୟଦ୍‍ବକ୍ତାଙ୍କର ବାକ୍ୟଗୁଡ଼ିକୁ ସଂକଳନ କରି, ସେଗୁଡ଼ିକୁ ନକଲ କରି ସୁରକ୍ଷିତ ରଖିଥିଲେ (ଯିରି. 36:4,32; 45:1)। ଯିରିମୀୟ ଏକ ବିଳାପର ଭବିଷ୍ୟଦ୍‍ବକ୍ତା ଭାବରେ ପରିଚିତ ଅଟନ୍ତି (ଯିରି. 9:1; 13:17; 14:17), ଆକ୍ରମଣକାରୀ ବାବିଲମାନଙ୍କ ଦ୍ଵାରା ହସ୍ତକ୍ଷେପ ହେବାର ଭବିଷ୍ୟଦ୍‍ବାଣୀ ହେତୁ ସେ ଏକ ସଂଘର୍ଷମୟ ଜୀବନ ବାସ କରୁଥିଲେ।
ସମୟ ଓ ସ୍ଥାନ
ପ୍ରାୟ 626-570 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଏହା ସମ୍ଭବତଃ, ବାବିଲ ନିର୍ବାସନ ସମୟରେ ସମ୍ପୂର୍ଣ୍ଣ କରାଯାଇଅଛି, ଯଦିଓ, କିଛି ଲୋକ ବିଶ୍ୱାସ କରନ୍ତି ଯେ ପୁସ୍ତକର ସମ୍ପାଦନ ପରବର୍ତ୍ତୀ ସମୟରେ ମଧ୍ୟ ହୋଇଥିଲା।
ପ୍ରାପକ
ଯିହୁଦା ଏବଂ ଯିରୂଶାଲମର ଲୋକ ଏବଂ ବାଇବଲର ପରବର୍ତ୍ତୀ ସମସ୍ତ ପାଠକମାନେ।
ଉଦ୍ଦେଶ୍ୟ
ଯେବେ ଖ୍ରୀଷ୍ଟ ଜଗତକୁ ଆସିବେ ସେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କ ସହିତ ନୂତନ ନିୟମ ସ୍ଥାପିତ କରିବାକୁ ଅଭିପ୍ରେତ ସ୍ପଷ୍ଟ କ୍ଷଣିକ ଦୃଷ୍ଟିକୁ ଯିରିମୀୟ ପୁସ୍ତକ ଆମ୍ଭମାନଙ୍କୁ ପ୍ରଦାନ କରେ। ଏହି ନୂତନ ନିୟମ ପରମେଶ୍ୱରଙ୍କ ଲୋକମାନଙ୍କୁ ପୁନଃସ୍ଥାପନ କରିବାରେ ମାଧ୍ୟମ ହେବ, ଯେପରି ସେ ଆପଣା ନିୟମକୁ ସେମାନଙ୍କ ମଧ୍ୟରେ, ପ୍ରସ୍ତର ଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ ଲେଖିବେ। ଯଦି ଯିହୁଦା ପ୍ରଦେଶ ଅନୁତାପ କରେ ନାହିଁ ତେବେ ବିନାଶ ନିଶ୍ଚିତ ଭାବରେ ଆସିବ ବୋଲି ଶେଷ ଭବିଷ୍ୟଦ୍‍ବାଣୀସବୁ ଯିରିମୀୟ ଲିପିବଦ୍ଧ କରି ସେମାନଙ୍କୁ ସତର୍କ କରନ୍ତି। ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଯିରିମୀୟ ସେମାନଙ୍କୁ ଆହ୍ୱାନ କରନ୍ତି। ତତ୍ ସଙ୍ଗେ ସଙ୍ଗେ ଯିରିମୀୟ ଯିହୁଦାର ପ୍ରତିମା ପୂଜା ଏବଂ ଅନୈତିକତା ହେତୁ ଅବଶ୍ୟମ୍ଭାବି ବିନାଶକୁ ମଧ୍ୟ ଦେଖନ୍ତି।
ବିଷୟବସ୍ତୁ
ବିଚାର
ରୂପରେଖା
1. ପରମେଶ୍ୱରଙ୍କ ଦ୍ଵାରା ଯିରିମୀୟଙ୍କ ଆହ୍ୱାନ — 1:1-19
2. ଯିହୁଦାକୁ ସତର୍କ — 2:1-35:19
3. ଯିରିମୀୟଙ୍କ ଦୁଃଖଭୋଗ — 36:1-38:28
4. ଯିରୂଶାଲମର ପତନ ଓ ପରିଣାମ — 39:1-45:5
5. ଦେଶଗୁଡ଼ିକ ବିଷୟରେ ଭବିଷ୍ୟଦ୍‍ବାଣୀ — 46:1-51:64
6. ଐତିହାସିକ ପରିଶିଷ୍ଟ — 52:1-34
1
ବିନ୍ୟାମୀନ୍ ପ୍ରଦେଶୀୟ ଅନାଥୋତ୍‍ ନିବାସୀ ଯାଜକମାନଙ୍କର ମଧ୍ୟବର୍ତ୍ତୀ ହିଲ୍‍କୀୟଙ୍କ ପୁତ୍ର ଯିରିମୀୟଙ୍କ ବାକ୍ୟ; ଆମୋନ୍‍ର ପୁତ୍ର, ଯିହୁଦା ଦେଶର ରାଜା ଯୋଶୀୟର ରାଜତ୍ଵର ତ୍ରୟୋଦଶ ବର୍ଷରେ ସଦାପ୍ରଭୁଙ୍କର ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା। ମଧ୍ୟ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ସମୟରେ, ଯୋଶୀୟର ପୁତ୍ର ଯିହୁଦାର ରାଜା ସିଦିକୀୟଙ୍କର ରାଜତ୍ଵର ଏକାଦଶ ବର୍ଷ ସମାପ୍ତି ପର୍ଯ୍ୟନ୍ତ ପଞ୍ଚମ ମାସରେ ଯିରୂଶାଲମ ନିର୍ବାସିତ ହେବା ପର୍ଯ୍ୟନ୍ତ ସେହି ବାକ୍ୟ ଉପସ୍ଥିତ ହେଲା।
ଯିରିମୀୟଙ୍କ ଆହ୍ୱାନ
ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
“ଉଦର ମଧ୍ୟରେ ତୁମ୍ଭକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ,
ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ;
ଆମ୍ଭେ ତୁମ୍ଭକୁ ନାନା ଦେଶୀୟମାନଙ୍କ ନିକଟରେ ଭବିଷ୍ୟଦ୍‍ବକ୍ତା କରି ନିଯୁକ୍ତ କରିଅଛୁ।”
ଏଥିରେ ମୁଁ କହିଲି, “ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ!
ଦେଖନ୍ତୁ, ମୁଁ କଥା କହି ଜାଣେ ନାହିଁ; କାରଣ ମୁଁ ତ ବାଳକ।”
ମାତ୍ର ସଦାପ୍ରଭୁ ମୋତେ କହିଲେ, “ମୁଁ ବାଳକ ବୋଲି କୁହ ନାହିଁ;
କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ
ଓ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।
ସେମାନଙ୍କ ସକାଶୁ ଭୀତ ହୁଅ ନାହିଁ;
କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।”
ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ମୁଖ ସ୍ପର୍ଶ କଲେ;
ଆଉ, ସଦାପ୍ରଭୁ ମୋତେ କହିଲେ, “ଦେଖ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ;
10 ଦେଖ, ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବା ନିମନ୍ତେ;
ପତ୍ତନ ଓ ରୋପଣ କରିବା ନିମନ୍ତେ ଆମ୍ଭେ ନାନା ଦେଶ ଓ ରାଜ୍ୟ ଉପରେ ଆଜି ତୁମ୍ଭକୁ ନିଯୁକ୍ତ କଲୁ।”
ଦୁଇଟି ଦର୍ଶନ
11 ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, “ହେ ଯିରିମୀୟ, ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ମୁଁ ବାଦାମ ବୃକ୍ଷର ଏକ ଦଣ୍ଡ ଦେଖୁଅଛି।” 12 ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଭଲ ଦେଖିଅଛ; କାରଣ ଆମ୍ଭେ ଆପଣା ବାକ୍ୟ ସଫଳ କରିବା ପାଇଁ ଜାଗ୍ରତ ଅଛୁ।”
13 ପୁଣି, ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା, “ତୁମ୍ଭେ କଅଣ ଦେଖୁଅଛ?” ତହିଁରେ ମୁଁ କହିଲି, “ମୁଁ ଗୋଟିଏ ରନ୍ଧା ହଣ୍ଡା; ଦେଖୁଅଛି; ତହିଁର ମୁଖ ଉତ୍ତର ଦିଗରୁ (ଢଳିଅଛି)।”
14 ତହିଁରେ ସଦାପ୍ରଭୁ ମୋତେ କହିଲେ, “ଉତ୍ତର ଦିଗରୁ ଏହି ଦେଶ ନିବାସୀ ସମସ୍ତଙ୍କ ଉପରେ ଅମଙ୍ଗଳ ମାଡ଼ି ଆସିବ।
15 କାରଣ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ୟସମୂହର ସମୁଦାୟ ଗୋଷ୍ଠୀଙ୍କୁ ଡାକିବା; ତହିଁରେ ସେମାନେ ଆସି ଯିରୂଶାଲମ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖରେ ଓ ଯିହୁଦାର ନଗରସମୂହର ସମ୍ମୁଖରେ ଆପଣା ଆପଣା ସିଂହାସନ ସ୍ଥାପନ କରିବେ। 16 ତହିଁରେ ସେମାନେ ଆମ୍ଭକୁ ପରିତ୍ୟାଗ କରିବାରେ ଓ ଅନ୍ୟ ଦେବତାମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାରେ ଓ ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ପ୍ରଣାମ କରିବାରେ ଯେଉଁ ଯେଉଁ ଦୁଷ୍ଟତା କରିଅଛନ୍ତି; ସେସକଳର ବିରୁଦ୍ଧରେ ଆମ୍ଭେ ଆପଣା ବିଚାର ପ୍ରକାଶ କରିବା।
17 ଏହେତୁ ତୁମ୍ଭେ ଆପଣା କଟି ବାନ୍ଧି ଉଠ ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରୁଅଛୁ, ତାହାସବୁ ସେମାନଙ୍କୁ କୁହ; ସେମାନଙ୍କ ସକାଶୁ ଉଦ୍‍ବିଗ୍ନ ହୁଅ ନାହିଁ; ହେଲେ, ଆମ୍ଭେ ସେମାନଙ୍କ ସାକ୍ଷାତରେ ତୁମ୍ଭକୁ ଉଦ୍‍ବିଗ୍ନ କରିବା।
18 କାରଣ ଦେଖ, ଆମ୍ଭେ ଆଜି ସମଗ୍ର ଦେଶ ବିରୁଦ୍ଧରେ, ଯିହୁଦାର ରାଜାଗଣ ବିରୁଦ୍ଧରେ, ତହିଁର ଅଧିପତିଗଣର ବିରୁଦ୍ଧରେ, ତହିଁର ଯାଜକମାନଙ୍କ ବିରୁଦ୍ଧରେ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧରେ, ତୁମ୍ଭକୁ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ୱରୂପ କଲୁ। 19 ପୁଣି, ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବେ; ମାତ୍ର ତୁମ୍ଭ ଉପରେ ଜୟଯୁକ୍ତ ହେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭର ସଙ୍ଗେ ସଙ୍ଗେ ଅଛୁ।”