ମୀଖା ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ
ଲେଖକ
ମୀଖା ପୁସ୍ତକର ଲେଖକ ଭବିଷ୍ୟଦ୍‍ବକ୍ତା ମୀଖା ଥିଲେ (ମୀଖା 1:1)। ମୀଖା ଜଣେ ଗ୍ରାମ୍ୟ ଭବିଷ୍ୟଦ୍‍ବକ୍ତା ଥିଲେ, ଯାହାକୁ ସାମାଜିକ, ଆତ୍ମିକ ଅନ୍ୟାୟ ଏବଂ ପ୍ରତିମା ପୂଜାର ପରିଣାମ ସ୍ୱରୂପେ ପରମେଶ୍ୱରଙ୍କ ଆସନ୍ନ ବିଚାର ବିଷୟରେ ନଗରର କେନ୍ଦ୍ରରେ ପ୍ରଚାର କରିବାକୁ ପ୍ରେରଣ କରାଯାଇଥିଲା। ଦେଶର ଯେଉଁ କ୍ଷେତ୍ରରେ ବହୁ ପରିମାଣରେ କୃଷି ହୁଏ ସେହି କ୍ଷେତ୍ରରେ ସେ ବାସ କରୁଥିବା କାରଣରୁ ମୀଖା ତାହାଙ୍କ ଦେଶର ପ୍ରଶାସନିକ କେନ୍ଦ୍ରଗୁଡ଼ିକ ବାହାରେ ରହି ସେ ସାମାଜିକ ସ୍ତରରେ ଯିଏ ନିମ୍ନତା ଥିବା ଅକ୍ଷମ, ପରିତ୍ୟକ୍ତ ଏବଂ ପୀଡିତ ବ୍ୟକ୍ତିଙ୍କ ପ୍ରତି ତିବ୍ର ଚିନ୍ତିତ ଥିଲେ (ମୀଖା 4:6)। ପୁରାତନ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ ଏକ ଅଧିକତମ ଗୁରୁତ୍ଵପୂର୍ଣ୍ଣ ଭାବବାଣୀ ମୀଖା ପୁସ୍ତକ ପ୍ରଦାନ କରେ, ଏବଂ ଖ୍ରୀଷ୍ଟଙ୍କ ଜନ୍ମ ସାତ ଶହ ବର୍ଷ ପୂର୍ବରୁ ତାହାଙ୍କ ଜନ୍ମସ୍ଥାନ ବେଥଲିହିମ ଏବଂ ଏହାର ଚିରନ୍ତନ ସ୍ୱଭାବକୁ ସୂଚାଏ।
ସମୟ ଓ ସ୍ଥାନ
ପ୍ରାୟ 730-650 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଏହା ପ୍ରତୀତ ହୁଏ ଯେ ଇସ୍ରାଏଲର ଉତ୍ତର ରାଜ୍ୟ ପତିତ ହେବା ପୂର୍ବରୁ ମିଖା ପ୍ରଥମ ଭାବବାଣୀ କରିଥିଲେ (1:1-7)। ମୀଖା ପୁସ୍ତକର ଅନ୍ୟ ଅଂଶଗୁଡ଼ିକୁ ବାବିଲର ନିର୍ବାସନ ସମୟରେ ଲେଖାଯାଇଥିବ।
ପ୍ରାପକ
ମୀଖା ଉଭୟ ଇସ୍ରାଏଲର ଉତ୍ତର ରାଜ୍ୟ ଏବଂ ଯିହୁଦାର ଦକ୍ଷିଣ ରାଜ୍ୟ ନିମନ୍ତେ ଲେଖିଥିଲେ
ଉଦ୍ଦେଶ୍ୟ
ମୀଖା ପୁସ୍ତକରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଭବିଷ୍ୟତବାଣୀ ଅଛି: ପ୍ରଥମ ଇସ୍ରାଏଲ ଏବଂ ଯିହୁଦା ଉପରେ ବିଚାର (1:1-3:12), ଦ୍ୱିତୀୟ, ସହସ୍ର ବର୍ଷର ରାଜତ୍ଵରେ ପରମେଶ୍ୱରଙ୍କ ଲୋକମାନଙ୍କର ପୁନଃରୁଦ୍ଧାର (4:1-5:15)। ଲୋକମାନଙ୍କ ପକ୍ଷରେ ପରମେଶ୍ୱର ସେମାନଙ୍କୁ ତାହାଙ୍କର ଉତ୍ତମ କାର୍ଯ୍ୟ, ଯେତେବେଳେ ସେମାନେ କେବଳ ନିଜ ବିଷୟରେ ଚିନ୍ତା କରୁଥିଲେ ସେତେବେଳେ କିପରି ପରମେଶ୍ୱର ସେମାନଙ୍କର ଯତ୍ନ ନେଲେ ତାହା ସ୍ମରଣ କରାନ୍ତି।
ବିଷୟବସ୍ତୁ
ପରମେଶ୍ୱରଙ୍କ ବିଚାର
ରୂପରେଖା
1. ବିଚାର ନିମନ୍ତେ ପରମେଶ୍ୱର ଆସୁଛନ୍ତି — 1:1-2:13
2. ବିନାଶର ବାର୍ତ୍ତା — 3:1-5:15
3. ନିନ୍ଦାର ବାର୍ତ୍ତା — 6:1-7:10
4. ଉପସଂହାର — 7:11-20
1
ଯିହୁଦା ଦେଶୀୟ ଯୋଥମ୍‍, ଆହସ୍‌ ଓ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ, ମୋରେଷ୍ଟୀୟ ମୀଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେ ଶମରୀୟା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ।
ଆଗାମୀ ବିନାଶ
ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ;
ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ, ମନୋଯୋଗ କର;
ପ୍ରଭୁ ସଦାପ୍ରଭୁ, ଆପଣା ପବିତ୍ର ମନ୍ଦିରରୁ
ପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ।
କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି
ଓ ସେ ଓହ୍ଲାଇ ଆସି
ପୃଥିବୀର ଉଚ୍ଚସ୍ଥଳୀସକଳ ଉପରେ ଗମନ କରିବେ।
ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ
ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ,
ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ
ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ।
କାରଣ ଯାକୁବର ଆଜ୍ଞାଲଙ୍ଘନ
ଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି।
ଯାକୁବର ଆଜ୍ଞାଲଙ୍ଘନ କଅଣ?
ତାହା କି ଶମରୀୟା ନୁହେଁ?
ଓ ଯିହୁଦାର ଉଚ୍ଚସ୍ଥଳୀସକଳ କଅଣ
ସେହି ସବୁ କି ଯିରୂଶାଲମ ନୁହେଁ?
ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପି
ଓ ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା;
ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇ
ତହିଁର ଭିତ୍ତିମୂଳ ଅନାବୃତ କରିବା।
ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ଡ ଖଣ୍ଡ କରାଯିବ
ଓ ତାହାର ବେତନସକଳ ଅଗ୍ନିରେ ଦଗ୍ଧ ହେବ,
ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ୱଂସ କରିବା;
କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛି
ଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ।
ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା,
ଆମ୍ଭେ ଉଲଙ୍ଗ ହୋଇ ଖାଲି ପାଦରେ ବୁଲିବା।
ଆମ୍ଭେ ଶୃଗାଳ ପରି ବିଳାପ କରିବା
ଓ ଉଷ୍ଟ୍ରପକ୍ଷୀ ପରି ଶୋକ କରିବା।
କାରଣ ତାହାର କ୍ଷତ ଅଚିକିତ୍ସ୍ୟ
ଯେହେତୁ ତାହା ଯିହୁଦା ପର୍ଯ୍ୟନ୍ତ ଆସିଅଛି;
ତାହା ଆମ୍ଭ ଲୋକମାନଙ୍କର ନଗର-ଦ୍ୱାର,
ଯିରୂଶାଲମ ପର୍ଯ୍ୟନ୍ତ ପହଞ୍ଚି ଅଛି।
10 ଗାଥ୍‍ ନଗରରେ ଏ କଥା ଜଣାଅ ନାହିଁ,
ଆଦୌ ରୋଦନ କର ନାହିଁ;
ଏବଂ ବେଥ୍-ଲିଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ।
11 ହେ ଶାଫୀର ନିବାସିନୀ,
ତୁମ୍ଭେ ଉଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ;
ସାନନ ନିବାସିନୀ ବାହାର ହୋଇ ଆସି ନାହିଁ;
ବେଥ୍-ସେଲର ବିଳାପ
ତୁମ୍ଭମାନଙ୍କଠାରୁ ତାହାର ଅବଲମ୍ବନ ହରଣ କରିବ।
12 କାରଣ ମାରୋତ୍‍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ;
ଯେହେତୁ ଯିରୂଶାଲମର ଦ୍ୱାର ପର୍ଯ୍ୟନ୍ତ
ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି।
13 ହେ ଲାଖୀଶ୍‍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ;
ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା;
କାରଣ ଇସ୍ରାଏଲର ଆଜ୍ଞା-ଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା।
14 ଏଥିପାଇଁ ତୁମ୍ଭେ ମୋରେଷତ୍‍ ଗାଥ୍‍କୁ ବିଦାୟକାଳୀନ ଦାନ ଦେବ
ଅକଷୀବ୍‍ର ଗୃହସକଳ ଇସ୍ରାଏଲର ରାଜାଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ;
15 ଆହୁରି, ହେ ମାରେଶା ଗ୍ରାମର ନିବାସିନୀ,
ଯେ ତୁମ୍ଭକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା;
ଇସ୍ରାଏଲର ମହାନ ନେତୃତ୍ଵକାରୀଗଣ ଅଦୁଲ୍ଲମ ଗୁମ୍ଫାକୁ ଯିବେ।
16 ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ
ମସ୍ତକ ମୁଣ୍ଡନ କର
ଓ କେଶ କାଟି ପକାଅ;
ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର;
କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି।