The Epistle of Paul to Titus
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଲେଖକ
ତୀତସଙ୍କ ନିକଟକୁ ପତ୍ରରେ, ପାଉଲ ନିଜକୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ବୋଲି ପ୍ରକାଶ କରନ୍ତି (ତୀତ. 1:1)। ତୀତସଙ୍କ ସହିତ ପାଉଲଙ୍କ ସମ୍ପର୍କର ଉତ୍ପତ୍ତି ରହସ୍ୟମୟ ଅଟେ, ହୁଏତ ପାଉଲଙ୍କ ସେବାକାର୍ଯ୍ୟରେ ସେ ପରିବର୍ତ୍ତନ ହୋଇଥିବେ, ଯାହାଙ୍କୁ ପାଉଲ ବିଶ୍ୱାସରେ ମୋର ସତ୍ୟ ସନ୍ତାନ ବୋଲି ପ୍ରକାଶ କରନ୍ତି (ତୀତ. 1:4)। ପାଉଲ ସ୍ପଷ୍ଟଭାବେ ତୀତସଙ୍କୁ ନିଜର ଏକ ବନ୍ଧୁ ଏବଂ ସୁସମାଚାର ପ୍ରଚାର କରିବାରେ ଏକ ସହକର୍ମୀ ବୋଲି ସମ୍ବୋଧନ କରି, ତୀତସଙ୍କୁ ଅନ୍ୟମାନଙ୍କ ନିମନ୍ତେ ତାହାଙ୍କର ସ୍ନେହ, ଆନ୍ତରିକତା ଏବଂ ସାନ୍ତ୍ୱନା ଦେବା ହେତୁ ପ୍ରଶଂସା କରନ୍ତି।
ସମୟ ଓ ସ୍ଥାନ
ପ୍ରାୟ 63-65 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ପ୍ରେରିତ ପାଉଲ ରୋମର ତାହାଙ୍କର ପ୍ରଥମ କାରାବାସରୁ ମୁକୁଳିଲା ପରେ ଏହି ପତ୍ର ନୀକପଲିରୁ ତୀତସଙ୍କ ନିକଟକୁ ଲେଖିଥିଲେ, ଏଫିସୀୟରେ ପାଉଲ ତୀମଥିଙ୍କୁ ସେବାକାର୍ଯ୍ୟ କରିବା ନିମନ୍ତେ ଛାଡ଼ି ସେ ତୀତସଙ୍କ ସହ କ୍ରୀତୀ ଦ୍ବୀପକୁ ଆସିଥିଲେ।
ପ୍ରାପକ
ତୀତସଙ୍କ ନିକଟକୁ ପାଉଲ ଏହି ପତ୍ର ଲେଖିଥିଲେ ଯିଏ ତାହାଙ୍କର ସହକର୍ମୀ ଏବଂ ବିଶ୍ୱାସରେ ପୁତ୍ର ଥିଲେ ଏବଂ ସେ କ୍ରୀତୀ ଦ୍ୱୀପରେ ଥିଲେ।
ଉଦ୍ଦେଶ୍ୟ
କ୍ରୀତୀ ଦ୍ୱୀପରେ ଥିବା ମଣ୍ଡଳୀରେ ଯୁବକମାନଙ୍କ ଅଭାବକୁ ସୁଧାରିବାକୁ ଏବଂ ସେଠାରେ ଥିବା ବ୍ୟବସ୍ଥାର ଅଭାବକୁ ଏବଂ ସଦସ୍ୟମାନଙ୍କ ମଧ୍ୟରେ ଅନୁଶାସନ ବିହିନ ଆଚରଣ ସୁଧାରିବାକୁ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ (1) ନୂତନ ପ୍ରାଚୀନମାନଙ୍କୁ ନିଯୁକ୍ତି ଏବଂ (2) ଅବିଶ୍ଵାସୀମାନଙ୍କ ନିକଟରେ ଏକ ଉତ୍ତମ ସାକ୍ଷ୍ୟ ଦେବାକୁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ପାଉଲ ତୀତସଙ୍କୁ ଉପଦେଶ ଦେବା ନିମନ୍ତେ ଏହି ପତ୍ର ଲେଖିଥିଲେ।
ବିଷୟବସ୍ତୁ
ଆଚରଣର ଏକ ପୁସ୍ତିକା
ରୂପରେଖା
1. ଅଭିବାଦନ — 1:1-4
2. ପ୍ରାଚୀନମାନଙ୍କ ନିଯୁକ୍ତି — 1:5-16
3. ବିଭିନ୍ନ ବୟସର ଲୋକ ବିଷୟରେ ଉପଦେଶ — 2:1-3:11
4. ଶେଷ ମନ୍ତବ୍ୟ — 3:12-15
1
ଅଭିବାଦନ
ପାଉଲ, ଈଶ୍ବରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ୱାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ ପତ୍ର, ଈଶ୍ବରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି; ସେହି ଅନନ୍ତ ଜୀବନ ସତ୍ୟ ଈଶ୍ବର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଆଜ୍ଞାନୁସାରେ ମୋʼ ଠାରେ ସମର୍ପିତ ହୋଇଅଛି। ପିତା ଈଶ୍ବର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।
ପ୍ରାଚୀନ ପଦର ଯୋଗ୍ୟତା
ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି; ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର। କାରଣ ଅଧ୍ୟକ୍ଷ, ଈଶ୍ବରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦ-ପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟପ୍ରିୟ, ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟ-ପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ, ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ। 10 କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି; 11 ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି। 12 ସେମାନଙ୍କର ଜଣେ ସ୍ୱଜାତୀୟ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସକ ପଶୁ ତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି। 13 ଏହି ଉକ୍ତିଟି ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀମାନଙ୍କ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି, 14 ଏଥିପାଇଁ ସେମାନଙ୍କୁ ଦୃଢ ରୂପେ ଅନୁଯୋଗ କର। 15 ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ। ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ। 16 ସେମାନେ ଈଶ୍ବରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନେ ଆପଣା କର୍ମ ଦ୍ୱାରା ତାହାଙ୍କୁ ଅସ୍ବୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ।