31
ବତ୍ସଲେଲ ଓ ଅହଲୀୟାବର ଦାୟିତ୍ୱ
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, “ଦେଖ, ଆମ୍ଭେ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଆହ୍ୱାନ କରିଅଛୁ ପୁଣି, ଶିଳ୍ପକର୍ମ, ଅର୍ଥାତ୍‍, ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳରେ ଖୋଦନ ଓ ଖଚନାର୍ଥକ ମଣି-କର୍ତ୍ତନ ଓ କାଷ୍ଠ ଖୋଦନ ପ୍ରଭୃତି ସର୍ବପ୍ରକାର ଶିଳ୍ପକର୍ମ କରଣାର୍ଥେ ତାହାକୁ ଜ୍ଞାନ, ବୃଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରିଅଛୁ। ଆଉ ଦେଖ, ଆମ୍ଭେ ଦାନ୍ ବଂଶଜାତ ଅହୀଷାମକର ପୁତ୍ର ଅହଲୀୟାବକୁ ତାହାର ସହକାରୀ ହେବା ପାଇଁ ନିଯୁକ୍ତ କରିଅଛୁ; ପୁଣି, ସମସ୍ତ ବିଜ୍ଞମନା ଲୋକମାନଙ୍କ ହୃଦୟରେ ଜ୍ଞାନ ଦେଇଅଛୁ; ଏଣୁ ଆମ୍ଭେ ତୁମ୍ଭକୁ ଯେସମସ୍ତ ଆଜ୍ଞା ଦେଇଅଛୁ, ତାହାସବୁ ସେମାନେ ନିର୍ମାଣ କରି ପାରିବେ। ଅର୍ଥାତ୍‍, ସମାଗମ-ତମ୍ବୁ ଓ ସାକ୍ଷ୍ୟ-ସିନ୍ଦୁକ ଓ ତହିଁର ଉପରିସ୍ଥ ପାପାଚ୍ଛାଦନ ଓ ତମ୍ବୁର ସମସ୍ତ ପାତ୍ର, ଆଉ ମେଜ, ତହିଁର ପାତ୍ରାଦି, ନିର୍ମଳ ସ୍ୱର୍ଣ୍ଣ ଦୀପବୃକ୍ଷ, ତହିଁର ସମସ୍ତ ପାତ୍ର, ଧୂପବେଦି, ହୋମବେଦି, ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି, 10 ପୁଣି, ସୁଶୋଭିତ ବସ୍ତ୍ର, ଯାଜକ କର୍ମ କରଣାର୍ଥେ ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରଗଣର ବସ୍ତ୍ର, 11 ପୁଣି, ଅଭିଷେକାର୍ଥକ ତୈଳ ଓ ପବିତ୍ର ସ୍ଥାନ ନିମନ୍ତେ ସୁଗନ୍ଧି ଧୂପ, ଏହି ଯେଉଁ ସମସ୍ତ ଆଜ୍ଞା ଆମ୍ଭେ ତୁମ୍ଭକୁ ଦେଇଅଛୁ, ତଦନୁସାରେ ସେମାନେ କରିବେ।”
ବିଶ୍ରାମର ଦିନ
12 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 13 “ତୁମ୍ଭେ ଆହୁରି ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କୁହ, ‘ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମବାର ପାଳନ କରିବ; ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ। 14 ଏଣୁ ତୁମ୍ଭେମାନେ ବିଶ୍ରାମବାର ପାଳନ କରିବ; କାରଣ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ଅଟେ; ଯେକେହି ତାହା ଅପବିତ୍ର କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ; ପୁଣି, ଯେକୌଣସି ବ୍ୟକ୍ତି ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। 15 ଛଅ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହା ବିଶ୍ରାମବାର ଅଟେ; ସେହି ବିଶ୍ରାମବାରରେ ଯେକେହି କାର୍ଯ୍ୟ କରେ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ। 16 ଏହେତୁ ଇସ୍ରାଏଲ-ସନ୍ତାନଗଣ ଅନନ୍ତକାଳୀନ ନିୟମ ରୂପେ ପୁରୁଷାନୁକ୍ରମେ ମାନ୍ୟ କରିବା ପାଇଁ ବିଶ୍ରାମବାର ପାଳନ କରିବେ। 17 ତାହା ଆମ୍ଭ ଓ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ, କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।’ ”
18 ତହୁଁ ସେ ସୀନୟ ପର୍ବତରେ ମୋଶାଙ୍କ ସହିତ କଥା ସମାପ୍ତ କରି ସାକ୍ଷ୍ୟ ସ୍ୱରୂପ ଦୁଇ ପଟା, ଅର୍ଥାତ୍‍, ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇ ପ୍ରସ୍ତର ପଟା ତାଙ୍କୁ ଦେଲେ।