5
ହେ ସୈନ୍ୟଦଳର କନ୍ୟେ,
ଏବେ ତୁମ୍ଭେ ଦଳ ଦଳ ହୋଇ ଆପଣାକୁ ଏକତ୍ର କର;
ସେମାନେ ଆମ୍ଭମାନଙ୍କ ପ୍ରତିକୂଳରେ ସୈନ୍ୟ ବେଷ୍ଟନ କରିଅଛନ୍ତି;
ସେମାନେ ଇସ୍ରାଏଲର ବିଚାରକର୍ତ୍ତାର ଗାଲରେ ଦଣ୍ଡାଘାତ କରିବେ।
ମାତ୍ର ହେ ବେଥଲିହିମ-ଇଫ୍ରାଥା,
ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ,
ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ
ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ;
ପୁରାତନ କାଳରୁ,
ଅନାଦିକାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି।
ଏନିମନ୍ତେ ଯେଉଁ ସ୍ତ୍ରୀ ପ୍ରସବ ବେଦନାଗ୍ରସ୍ତା ହେଉଅଛି, ସେ ଯେପର୍ଯ୍ୟନ୍ତ ପ୍ରସବ ନ କରେ,
ସେହି ସମୟ ପର୍ଯ୍ୟନ୍ତ ସେ ସେମାନଙ୍କୁ ତ୍ୟାଗ କରିବେ;
ତହିଁ ଉତ୍ତାରେ ତାହାଙ୍କର ଅବଶିଷ୍ଟ ଭ୍ରାତୃଗଣ ଇସ୍ରାଏଲର ସନ୍ତାନଗଣର ନିକଟକୁ ଫେରି ଆସିବେ।
ପୁଣି, ସେ ଠିଆ ହୋଇ ସଦାପ୍ରଭୁଙ୍କ ଶକ୍ତିରେ,
ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମର ମହିମାରେ ଆପଣା ପଲ ଚରାଇବେ
ଓ ସେମାନେ ସୁସ୍ଥିର ହୋଇ ବାସ କରିବେ;
କାରଣ ସେହି ସମୟରେ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ ହେବେ।
ଆଉ, ଏହି ମନୁଷ୍ୟ ଆମ୍ଭମାନଙ୍କର ଶାନ୍ତି ସ୍ୱରୂପ ହେବେ;
ଯେଉଁ ସମୟରେ ଅଶୂରୀୟ ଗୋଷ୍ଠୀ ଆମ୍ଭମାନଙ୍କ ଦେଶକୁ ଆସିବେ
ଓ ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପଦାର୍ପଣ କରିବ,
ସେହି ସମୟରେ ଆମ୍ଭେମାନେ ତାହା ବିରୁଦ୍ଧରେ ସାତ ଜଣ ପଲରକ୍ଷକ
ଓ ଆଠ ଜଣ ପ୍ରଧାନ ଲୋକଙ୍କୁ ଉତ୍ଥାପନ କରିବା।
ଯାକୁବର ଅବଶିଷ୍ଟାଂଶଙ୍କ ଉଦ୍ଧାର
ପୁଣି, ସେମାନେ ଖଡ୍ଗ ଦ୍ୱାରା ଅଶୂରୀୟର ଦେଶ
ଓ ନିମ୍ରୋଦ୍‍ ଦେଶର ପ୍ରବେଶ-ସ୍ଥାନସକଳ ଉଚ୍ଛିନ୍ନ କରିବେ;
ପୁଣି, ଅଶୂରୀୟ ଗୋଷ୍ଠୀ ଆମ୍ଭମାନଙ୍କ ଦେଶକୁ ଆସି
ଆମ୍ଭମାନଙ୍କ ସୀମାରେ ପଦାର୍ପଣ କଲେ
ସେ ସେମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।
ଆଉ, ସଦାପ୍ରଭୁଙ୍କ ନିକଟରୁ ଆଗତ ଯେଉଁ ଶିଶିର
ଓ ତୃଣ ଉପରେ ପତିତ ଯେଉଁ ବୃଷ୍ଟି
ମନୁଷ୍ୟ ପାଇଁ ବିଳମ୍ବ ନ କରେ,
କିଅବା ମନୁଷ୍ୟ-ସନ୍ତାନଗଣର ଅପେକ୍ଷା ନ କରେ,
ତାହାର ତୂଲ୍ୟ ଯାକୁବର ଅବଶିଷ୍ଟାଂଶ ଅନେକ ଗୋଷ୍ଠୀ ମଧ୍ୟରେ ରହିବେ।
ପୁଣି, ବନ ପଶୁଗଣ ମଧ୍ୟରେ ଯେପରି ସିଂହ,
ମେଷପଲ ମଧ୍ୟରେ ଯେପରି ଯୁବା ସିଂହ
ଯାଇ ଦଳି ପକାଏ ଓ ବିଦୀର୍ଣ୍ଣ କରେ,
ଆଉ ଉଦ୍ଧାରକାରୀ କେହି ନ ଥାଏ,
ସେପରି ଗୋଷ୍ଠୀଗଣ ମଧ୍ୟରେ,
ଅନେକ ଗୋଷ୍ଠୀ ମଧ୍ୟରେ ଯାକୁବର ଅବଶିଷ୍ଟାଂଶ ହେବେ।
ତୁମ୍ଭ ବିପକ୍ଷଗଣର ଉପରେ ତୁମ୍ଭର ହସ୍ତ ଉନ୍ନତ ହେଉ
ଓ ତୁମ୍ଭର ଶତ୍ରୁ ସମସ୍ତେ ଉଚ୍ଛିନ୍ନ ହେଉନ୍ତୁ।
10 ଆହୁରି, ସଦାପ୍ରଭୁ କହନ୍ତି, ସେଦିନ
ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭ ଅଶ୍ୱଗଣକୁ ଉଚ୍ଛିନ୍ନ କରିବା
ଓ ତୁମ୍ଭର ରଥସବୁ ନଷ୍ଟ କରିବା;
11 ପୁଣି, ଆମ୍ଭେ ତୁମ୍ଭ ଦେଶର ନଗରସବୁ ଉଚ୍ଛିନ୍ନ କରିବା
ଓ ତୁମ୍ଭର ଦୃଢ଼ ଦୁର୍ଗସବୁ ଭାଙ୍ଗି ପକାଇବା;
12 ପୁଣି, ଆମ୍ଭେ ତୁମ୍ଭ ହସ୍ତରୁ ମାୟାବୀତ୍ୱ ଉଚ୍ଛିନ୍ନ କରିବା
ଓ ଗଣକମାନେ ତୁମ୍ଭ ମଧ୍ୟରେ ଆଉ ନ ଥିବେ;
13 ଆଉ, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଖୋଦିତ ପ୍ରତିମା
ଓ ତୁମ୍ଭର ସ୍ତମ୍ଭସକଳ ଉଚ୍ଛିନ୍ନ କରିବା;
ତହିଁରେ ତୁମ୍ଭେ ଆପଣା ହସ୍ତକୃତ ବସ୍ତୁକୁ ଆଉ ପ୍ରଣାମ କରିବ ନାହିଁ।
14 ପୁଣି, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଆଶେରା ମୂର୍ତ୍ତିସକଳ ଉତ୍ପାଟନ କରିବା
ଓ ତୁମ୍ଭର ନଗରସବୁ ବିନଷ୍ଟ କରିବା।
15 ଆଉ, ଯେଉଁ ଗୋଷ୍ଠୀମାନେ କଥାରେ ମନୋଯୋଗ କଲେ ନାହିଁ,
ସେମାନଙ୍କଠାରୁ ଆମ୍ଭେ କୋପରେ ଓ ପ୍ରଚଣ୍ଡତାରେ ପରିଶୋଧ ନେବା।