145
ସ୍ତୁତିଗାନ
ପ୍ରଶଂସାର ଗୀତ; ଦାଉଦଙ୍କ ରଚିତ।
ହେ ରାଜନ୍‍, ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି;
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି,
ପ୍ରତିଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି;
ପୁଣି, ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ;
ପୁଣି, ତାହାଙ୍କ ମାହାତ୍ମ୍ୟ ଅନନୁସନ୍ଧେୟ।
ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟାସକଳର ପ୍ରଶଂସା କରିବେ
ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ।
ସେମାନେ ତୁମ୍ଭ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ବିଷୟ ପରସ୍ପର ମଧ୍ୟରେ କହିବେ
ଓ ମୁଁ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ବିଷୟ ଧ୍ୟାନ କରିବି।
ପୁଣି, ଲୋକମାନେ ତୁମ୍ଭ ଭୟାନକ କର୍ମର ପ୍ରଭାବ ବ୍ୟକ୍ତ କରିବେ;
ପୁଣି, ମୁଁ ତୁମ୍ଭର ମାହାତ୍ମ୍ୟ ପ୍ରଚାର କରିବି।
ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ
ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ।
ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ;
କ୍ରୋଧରେ ଧୀର ଓ ଦୟାରେ ମହାନ।
ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ;
ପୁଣି, ତାହାଙ୍କ ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।
10 ହେ ସଦାପ୍ରଭୋ, ତୁମ୍ଭର ସମୁଦାୟ କର୍ମ ତୁମ୍ଭର ଧନ୍ୟବାଦ କରିବ;
ତୁମ୍ଭର ସଦ୍‍ଭକ୍ତମାନେ ତୁମ୍ଭର ଧନ୍ୟବାଦ କରିବେ;
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରି
ଓ ତୁମ୍ଭ ପରାକ୍ରମ ବିଷୟରେ କଥୋପକଥନ କରି,
12 ମନୁଷ୍ୟ-ସନ୍ତାନଗଣକୁ ତାହାଙ୍କ ବିକ୍ରମର କାର୍ଯ୍ୟସବୁ
ଓ ତାହାଙ୍କ ରାଜ୍ୟର ଗୌରବଯୁକ୍ତ ପ୍ରଭାବ ଜଣାଇବେ।
13 ତୁମ୍ଭର ରାଜ୍ୟ ଅନନ୍ତକାଳସ୍ଥାୟୀ ରାଜ୍ୟ
ଓ ତୁମ୍ଭର କର୍ତ୍ତୃତ୍ୱସକଳ ପୁରୁଷାନୁକ୍ରମସ୍ଥାୟୀ।
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି
ଓ ନଇଁ ପଡ଼ିବା ଲୋକଙ୍କୁ ଉଠାନ୍ତି।
15 ସମସ୍ତଙ୍କର ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ;
ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର ଦେଉଅଛ।
16 ତୁମ୍ଭେ ଆପଣା ହସ୍ତ ମେଲାଇ
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଅଛ।
17 ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ
ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି,
18 ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ,
ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି।
19 ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ;
ଆହୁରି, ସେ ସେମାନଙ୍କର କାକୂକ୍ତି ଶୁଣିବେ ଓ ସେମାନଙ୍କୁ ପରିତ୍ରାଣ କରିବେ।
20 ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରନ୍ତି;
ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ।
21 ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ
ଓ ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କରନ୍ତୁ।