45
ରାଜାଙ୍କ ବିବାହ ଉଦ୍ଦେଶ୍ୟରେ ରଚିତ ଗୀତ
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍‍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍‍। ପ୍ରେମ ଗୀତ।
ମୋହର ହୃଦୟ ଉତ୍ତମ ବିଷୟରେ ଉଚ୍ଛୁଳି ଉଠୁଅଛି;
ମୁଁ ରାଜାଙ୍କ ବିଷୟରେ ଆପଣା ରଚିତ କଥା କହେ;
ମୋʼ ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ।
ତୁମ୍ଭେ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ଅଧିକ ସୁନ୍ଦର;
ତୁମ୍ଭ ଓଷ୍ଠାଧରରେ ଅନୁଗ୍ରହ ଢଳା ଯାଇଅଛି;
ଏହେତୁ ପରମେଶ୍ୱର ତୁମ୍ଭକୁ ଅନନ୍ତକାଳ ଆଶୀର୍ବାଦ କରିଅଛନ୍ତି।
ହେ ବୀର, ତୁମ୍ଭ କଟିଦେଶରେ ଆପଣା ଖଡ୍ଗ,
ଆପଣା ମହିମା ଓ ପ୍ରଭାବ ବାନ୍ଧ।
ପୁଣି, ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣା
ପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ;
ତହିଁରେ ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭକୁ ଭୟାନକ କାର୍ଯ୍ୟ ଶିଖାଇବ।
ତୁମ୍ଭର ତୀରସବୁ ତୀକ୍ଷ୍ଣ; ଜନବୃନ୍ଦ ତୁମ୍ଭ ତଳେ ପଡ଼ନ୍ତି;
ତାହାସବୁ ରାଜାଙ୍କ ଶତ୍ରୁଗଣର ହୃଦୟରେ ବିଦ୍ଧ ହୁଏ।
ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ;
ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ।
ତୁମ୍ଭେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ;
ଏହେତୁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, ତୁମ୍ଭର ମିତ୍ରଗଣ ଅପେକ୍ଷା
ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି।
ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ ସୁବାସମୟ;
ହସ୍ତୀଦନ୍ତନିର୍ମିତ ଅଟ୍ଟାଳିକାସମୂହରୁ ତାରଯୁକ୍ତ
ବାଦ୍ୟଯନ୍ତ୍ରସବୁ ତୁମ୍ଭକୁ ଆନନ୍ଦିତ କରିଅଛି।
ତୁମ୍ଭର ସମ୍ଭ୍ରାନ୍ତା ସ୍ତ୍ରୀଗଣ ମଧ୍ୟରେ ରାଜକୁମାରୀମାନେ ଅଛନ୍ତି;
ଓଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀ ତୁମ୍ଭ ଦକ୍ଷିଣ ପାଖରେ ଉଭା ହୁଅନ୍ତି।
10 ଆଗୋ କନ୍ୟେ, ଶୁଣ, ବିବେଚନା କର ଓ ଆପଣା କର୍ଣ୍ଣ ଡେର;
ତୁମ୍ଭ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାସୋର;
11 ତହିଁରେ ରାଜା ତୁମ୍ଭ ସୌନ୍ଦର୍ଯ୍ୟ ବାଞ୍ଛା କରିବେ*
କାରଣ ସେ ତୁମ୍ଭର ପ୍ରଭୁ; ତୁମ୍ଭେ ତାହାଙ୍କୁ ପ୍ରଣାମ କର।
12 ପୁଣି, ସୋରର କନ୍ୟା ଭେଟି ନେଇ ସେଠାରେ ଉପସ୍ଥିତ ହେବ;
ଲୋକଙ୍କ ମଧ୍ୟରେ ଧନୀମାନେ ହିଁ ତୁମ୍ଭ ଅନୁଗ୍ରହର ବିନତି କରିବେ।
13 ଅନ୍ତଃପୁରରେ ରାଜକୁମାରୀ ସର୍ବତୋଭାବେ ସୁଶୋଭିତା;
ତାଙ୍କର ବସ୍ତ୍ର ସୁବର୍ଣ୍ଣସୂତ୍ର ନିର୍ମିତ।
14 ସେ ସୂଚୀଶିଳ୍ପିତ-ବସ୍ତ୍ରରେ ରାଜାଙ୍କ ନିକଟକୁ ଅଣାଯିବେ;
ତାଙ୍କର ପଶ୍ଚାଦ୍‍ବର୍ତ୍ତିନୀ ସହଚରୀ କୁମାରୀଗଣ
ତୁମ୍ଭ ନିକଟକୁ ଅଣାଯିବେ।
15 ସେମାନେ ଆନନ୍ଦ ଓ ଉଲ୍ଲାସରେ ଅଣାଯିବେ;
ସେମାନେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ;
16 ତୁମ୍ଭ ପିତୃଗଣ ପରିବର୍ତ୍ତରେ ତୁମ୍ଭ ସନ୍ତାନଗଣ ରହିବେ,
ତୁମ୍ଭେ ସେମାନଙ୍କୁ ସମୁଦାୟ ପୃଥିବୀରେ ଅଧିପତି କରିବ।
17 ମୁଁ ସକଳ ପିଢ଼ିରେ ତୁମ୍ଭ ନାମ ସ୍ମରଣ କରାଇବି;
ଏହେତୁ ଗୋଷ୍ଠୀସମୂହ ଅନନ୍ତକାଳ ତୁମ୍ଭର ପ୍ରଶଂସା କରିବେ।
* 45:11 ସୌନ୍ଦର୍ଯ୍ୟ ବାଞ୍ଛା କରିବେ ଅର୍ଥାତ୍‍ ଶୟନ କରିବେ