47
ସର୍ବୋପରିସ୍ଥ ଅଧିପତି
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ।
 
ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ;
ଆନନ୍ଦ-ସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି;
ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା।
ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ
କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ।
ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର ମନୋନୀତ କରିବେ,
ତାହା ହିଁ ତାହାଙ୍କ ପ୍ରିୟପାତ୍ର ଯାକୁବର ଗୌରବ ସ୍ୱରୂପ।
[ସେଲା]
ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ
ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର,
ପ୍ରଶଂସା ଗାନ କର;
ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର,
ପ୍ରଶଂସା ଗାନ କର।
କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି;
ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସା ଗାନ କର।
ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି;
ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ।
ଅବ୍ରହାମର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ
ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି।
କାରଣ ପୃଥିବୀର ଢାଲସବୁ ପରମେଶ୍ୱରଙ୍କର; ସେ
ଅତିଶୟ ଉନ୍ନତ ଅଟନ୍ତି।