50
ସତ୍ୟ ଉପାସନା
ଆସଫର ଗୀତ।
 
ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର କଥା କହିଅଛନ୍ତି
ଓ ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ ସେ ପୃଥିବୀକୁ ଆହ୍ୱାନ କରିଅଛନ୍ତି।
ସୌନ୍ଦର୍ଯ୍ୟର ସିଦ୍ଧି ସ୍ୱରୂପ ସିୟୋନଠାରୁ
ପରମେଶ୍ୱର ପ୍ରକାଶିତ ହୋଇଅଛନ୍ତି।
ଆମ୍ଭମାନଙ୍କର ପରମେଶ୍ୱର ଆସିବେ ଓ ନୀରବ ରହିବେ ନାହିଁ;
ତାହାଙ୍କ ସମ୍ମୁଖରେ ଅଗ୍ନି ଗ୍ରାସ କରିବ
ଓ ତାହାଙ୍କ ଚତୁର୍ଦ୍ଦିଗ ଅତ୍ୟନ୍ତ ଝଡ଼ମୟ ହେବ।
ସେ ଆପଣା ଲୋକଙ୍କୁ ବିଚାର କରିବା ନିମନ୍ତେ
ଉପରିସ୍ଥ ସ୍ୱର୍ଗକୁ ଓ ପୃଥିବୀକୁ ଡାକିବେ;
“ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ
କରିଅଛନ୍ତି, ଆମର ସେହି ସଦ୍‍ଭକ୍ତଗଣଙ୍କୁ ଆମ୍ଭ ନିକଟରେ ଏକତ୍ର କର।”
ପୁଣି, ସ୍ୱର୍ଗ ତାହାଙ୍କର ଧର୍ମ ପ୍ରକାଶ କରିବ;
କାରଣ ପରମେଶ୍ୱର ସ୍ୱୟଂ ବିଚାରକର୍ତ୍ତା।
[ସେଲା]
“ହେ ଆମ୍ଭର ଲୋକମାନେ, ଶୁଣ, ଆମ୍ଭେ କଥା କହିବା;
ହେ ଇସ୍ରାଏଲ ଶୁଣ, ଆମ୍ଭେ ତୁମ୍ଭ ବିଷୟରେ ସାକ୍ଷ୍ୟ ଦେବା;
ଆମ୍ଭେ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର,
ଆମ୍ଭେ ତୁମ୍ଭର ସବୁ ହୋମବଳି ସକାଶୁ ତୁମ୍ଭକୁ ଭର୍ତ୍ସନା କରିବା ନାହିଁ;
ଆଉ, ତୁମ୍ଭର ହୋମବଳିସବୁ ନିତ୍ୟ ଆମ୍ଭ ସମ୍ମୁଖରେ ଅଛି।
ଆମ୍ଭେ ତୁମ୍ଭ ଗୃହରୁ କୌଣସି ବୃଷ
କିମ୍ବା ତୁମ୍ଭ ଖୁଆଡ଼ରୁ ଛାଗର ବଳିଦାନ ନେବା ନାହିଁ।
10 କାରଣ ବନସ୍ଥ ପ୍ରତ୍ୟେକ ଜନ୍ତୁ
ଓ ସହସ୍ର ସହସ୍ର ପର୍ବତସ୍ଥ ପଶୁ ଆମ୍ଭର।
11 ଆମ୍ଭେ ପର୍ବତମାନର ସମସ୍ତ ପକ୍ଷୀକୁ ଜାଣୁ
ଓ ବିଲର ପଶୁସବୁ ଆମ୍ଭର।
12 ଆମ୍ଭେ କ୍ଷୁଧିତ ହେଲେ, ତୁମ୍ଭକୁ ଜଣାଇବା ନାହିଁ;
କାରଣ ଜଗତ ଓ ତହିଁର ପୂର୍ଣ୍ଣତା ଆମ୍ଭର।
13 ଆମ୍ଭେ କʼଣ ବୃଷମାଂସ ଭୋଜନ କରିବା,
ଅବା ଛାଗରକ୍ତ ପାନ କରିବା?
14 ତୁମ୍ଭେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦରୂପ ବଳି ଉତ୍ସର୍ଗ କର
ଓ ସର୍ବୋପରିସ୍ଥଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କର;
15 ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ;
ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ।”
16 ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି,
“ଆମ୍ଭର ବିଧି ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା ମୁଖରେ ନେଇଅଛ,
ତୁମ୍ଭର କି ଅଧିକାର?
17 କାରଣ ତୁମ୍ଭେ ଶିକ୍ଷା ଘୃଣା କରୁଅଛ
ଓ ଆମ୍ଭ ବାକ୍ୟ ଆପଣା ପଛେ ପକାଇ ଦେଉଅଛ।
18 ଚୋରକୁ ଦେଖିଲେ, ତୁମ୍ଭେ ତାହା ସଙ୍ଗେ ସମ୍ମତ ହୋଇଅଛ
ଓ ବ୍ୟଭିଚାରୀମାନଙ୍କର ସହଭାଗୀ ହୋଇଅଛ।
19 ତୁମ୍ଭେ ମନ୍ଦ ବିଷୟରେ ଆପଣା ମୁଖ ବଢ଼ାଉଅଛ
ଓ ତୁମ୍ଭର ଜିହ୍ୱା ପ୍ରବଞ୍ଚନା କଳ୍ପନା କରେ।
20 ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ;
ତୁମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ।
21 ତୁମ୍ଭେ ଏହିସବୁ କରି ଆସିଅଛ ଓ ଆମ୍ଭେ ନୀରବ ହୋଇ ରହିଅଛୁ;
ତହିଁରେ ଆମ୍ଭେ ସର୍ବତୋଭାବେ ତୁମ୍ଭ ପରି ବୋଲି ତୁମ୍ଭେ ଅନୁମାନ କରିଅଛ;
ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହାସବୁ ତୁମ୍ଭ ସାକ୍ଷାତରେ ସଜାଇ ରଖିବା।”
22 “ହେ ପରମେଶ୍ୱରଙ୍କୁ ପାସୋରିବା ଲୋକମାନେ, ତୁମ୍ଭେମାନେ ଏହା ବିବେଚନା କର,
ନୋହିଲେ ଆମ୍ଭେ ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବା,
ପୁଣି, ଉଦ୍ଧାର କରିବାକୁ କେହି ନ ଥିବ।
23 ଯେଉଁ ଜନ ଧନ୍ୟବାଦରୂପ ବଳି ଉତ୍ସର୍ଗ କରେ, ସେ ଆମ୍ଭକୁ ଗୌରବ ଦିଏ;
ଯେଉଁ ଜନ ଆପଣା ଗତି ସରଳ କରେ,
ତାହାକୁ ଆମ୍ଭେ ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା।”