97
ସଦାପ୍ରଭୁ ହିଁ ସର୍ବୋପରିସ୍ଥ ଶାସନକର୍ତ୍ତା
ସଦାପ୍ରଭୁ ରାଜ୍ୟ କରନ୍ତି; ପୃଥିବୀ ଉଲ୍ଲାସ କରୁ;
ଦ୍ୱୀପସମୂହ ଆନନ୍ଦିତ ହେଉନ୍ତୁ।
ମେଘମାଳ ଓ ଅନ୍ଧକାର ତାହାଙ୍କ ଚତୁର୍ଦ୍ଦିଗରେ ଥାଏ;
ଧର୍ମ ଓ ବିଚାର ତାହାଙ୍କ ସିଂହାସନର ଭିତ୍ତିମୂଳ।
ତାହାଙ୍କ ସମ୍ମୁଖରେ ଅଗ୍ନି ଗମନ କରେ
ଓ ତାହାଙ୍କ ଚତୁର୍ଦ୍ଦିଗସ୍ଥ ଶତ୍ରୁଗଣକୁ ଦଗ୍ଧ କରେ।
ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା;
ପୃଥିବୀ ଦେଖି କମ୍ପିଲା।
ପର୍ବତଗଣ ସଦାପ୍ରଭୁଙ୍କ ଛାମୁରେ ମହମ ପରି ତରଳି ଗଲେ,
ସମୁଦାୟ ପୃଥିବୀ ପ୍ରଭୁଙ୍କ ଛାମୁରେ ତରଳି ଗଲେ।
ଆକାଶମଣ୍ଡଳ ତାହାଙ୍କ ଧର୍ମ ପ୍ରଚାର କରଇ
ଓ ସମୁଦାୟ ଗୋଷ୍ଠୀ ତାହାଙ୍କ ମହିମା ଦେଖିଅଛନ୍ତି।
ଖୋଦିତ ପ୍ରତିମାଗଣର ସେବକ ସମସ୍ତେ
ଓ ଦେବତାଗଣର ଦର୍ପକାରୀ ସମସ୍ତେ ଲଜ୍ଜିତ ହେଉନ୍ତୁ;
ହେ ସମସ୍ତ ଦେବତାଗଣ, ତୁମ୍ଭେମାନେ ତାହାଙ୍କୁ ପ୍ରଣାମ କର।
ହେ ସଦାପ୍ରଭୋ, ତୁମ୍ଭ ଶାସନ ବିଷୟ ସିୟୋନ ଶୁଣି ଆନନ୍ଦିତ ହେଲା
ଓ ଯିହୁଦାର କନ୍ୟାଗଣ ଉଲ୍ଲସିତ ହେଲେ।
କାରଣ ହେ ସଦାପ୍ରଭୋ, ତୁମ୍ଭେ ସମୁଦାୟ ପୃଥିବୀରେ ସର୍ବୋପରିସ୍ଥ;
ତୁମ୍ଭେ ସକଳ ଦେବ ଉପରେ ଅତିଶୟ ଉନ୍ନତ।
10 ହେ ସଦାପ୍ରଭୁଙ୍କ ପ୍ରେମକାରୀଗଣ, ତୁମ୍ଭେମାନେ ମନ୍ଦତା ଘୃଣା କର;
ସେ ଆପଣା ସଦ୍‍ଭକ୍ତମାନଙ୍କ ପ୍ରାଣ ରକ୍ଷା କରନ୍ତି।
ସେ ସେମାନଙ୍କୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି;
11 ଧାର୍ମିକମାନଙ୍କ ପାଇଁ ଦୀପ୍ତି
ଓ ସରଳମନାମାନଙ୍କ ପାଇଁ ଆନନ୍ଦ ବୁଣା ଯାଇଅଛି।
12 ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଆନନ୍ଦ କର;
ପୁଣି, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର।