ରୂତର ବିବରଣ
ଲେଖକ
ରୂତ ପୁସ୍ତକର ଲେଖକଙ୍କ ବିଷୟରେ ଏହି ପୁସ୍ତକ ନିର୍ଦ୍ଧିଷ୍ଟ ଭାବରେ ପ୍ରକାଶ କରେ ନାହିଁ। କିନ୍ତୁ ପାରମ୍ପାରିକ ଭାବରେ ବିଶ୍ୱାସ କରାଯାଏ ଯେ ଏହି ପୁସ୍ତକର ଲେଖକ ଶାମୁୟେଲ ଭବିଷ୍ୟତ ବକ୍ତା ଅଟନ୍ତି। ଏହା କୁହାଯାଏ ଯେ ଏହିପରି ଅତି ସୁନ୍ଦର କ୍ଷୁଦ୍ର କାହାଣୀ କେବେ ହେଁ ଲେଖାଯାଇ ନାହିଁ। ଏହି ପୁସ୍ତକର ଶେଷ ଅଂଶର ବାକ୍ୟ ରୂତଙ୍କୁ ତାହାଙ୍କର ପୌପୂତ୍ର ଦାଉଦଙ୍କ ସହ ସଂଯୋଗ କରେ (ରୂତ 4:17-22), ତେଣୁ ଆମ୍ଭେମାନେ ଜାଣୁ ଯେ ଏହା ତାହାଙ୍କର ତୈଳାଭିଷିକ୍ତ ପରେ ଲେଖାଯାଇଅଛି।
ସମୟ ଓ ସ୍ଥାନ
ପ୍ରାୟ 1030-1010 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ରୂତ ପୁସ୍ତକରେ ଥିବା ଘଟଣାବଳୀର ସମୟ ଏବଂ ସ୍ଥାନ ଇସ୍ରାଏଲ ଲୋକଙ୍କର ମିସରରୁ ପ୍ରସ୍ଥାନ ସମୟ ସହ ଯୋଡିତ, କାରଣ ରୂତ ପୁସ୍ତକର ଘଟଣାବଳୀ ବିଚାରକର୍ତ୍ତାଙ୍କ ସମୟ ସହ ଏବଂ ବିଚାରକର୍ତ୍ତାଙ୍କ ସମୟ ବିଜୟ ଅଭିଯାନ ସହ ଯୋଡିତ ଅଟେ।
ପ୍ରାପକ
ରୂତ ପୁସ୍ତକର ମୂଳ ପ୍ରାପକମାନେ କିଏ ତାହା ସୁସ୍ପଷ୍ଟ ଭାବରେ ପ୍ରକାଶ କରାଯାଇ ନାହିଁ। ସମ୍ଭବତଃ, ଏହା ଏକତ୍ର ରାଜତନ୍ତ୍ର ସମୟରେ ଲେଖାଯାଇଅଛି, କାରଣ 4:22 ପଦରେ ଦାଉଦଙ୍କର ନାମ ଉଲ୍ଲେଖିତ ଅଛି।
ଉଦ୍ଦେଶ୍ୟ
ରୂତ ପୁସ୍ତକ ଇସ୍ରାଏଲ ଲୋକମାନଙ୍କୁ ଦେଖାଏ ଯେ ଆଜ୍ଞାଧୀନତା ଆଶୀର୍ବାଦ ଆଣି ପାରେ। ଏହା ସେମାନଙ୍କୁ ସେମାନଙ୍କର ପରମେଶ୍ୱରଙ୍କ ପ୍ରେମ, ବିଶ୍ୱସ୍ତ ସ୍ୱଭାବକୁ ଦେଖାଏ। ଏହି ପୁସ୍ତକ ପ୍ରକାଶ କରେ ଯେ ପରମେଶ୍ୱର ନିଜ ଲୋକଙ୍କର ବିଳାପର ଉତ୍ତର ଦିଅନ୍ତି। ସେ ଯାହା ପ୍ରଚାର କରନ୍ତି ସେ ତାହା ଅଭ୍ୟାସ କରନ୍ତି। ଏହି ପୁସ୍ତକ ପରମେଶ୍ୱରଙ୍କୁ ନୟମୀ ଏବଂ ରୂତ, ଦୁଇ ବିଧବାଙ୍କ ପାଇଁ ଆୟୋଜନକାରୀ ଭାବରେ ଉପସ୍ଥାପନ କରେ ଏବଂ ସେ ସମାଜରୁ ପରିତ୍ୟକ୍ତ ଲୋକମାନଙ୍କର ଯତ୍ନ ନିଅନ୍ତି ଯେପରି ସେ ଆମ୍ଭମାନଙ୍କୁ କରିବାକୁ କହନ୍ତି (ଯିରି. 22:16; ଯାକୁବ 1:27)।
ବିଷୟବସ୍ତୁ
ଉଦ୍ଧାର
ରୂପରେଖା
1. ନୟମୀ ଓ ତାହାଙ୍କ ପରିବାର ଦୁଃଖ ଅନୁଭବ କଲେ — 1:1-22
2. ଯେତେବେଳେ ରୂତ, ତାହାଙ୍କର ମୁକ୍ତିକର୍ତ୍ତାଙ୍କ କ୍ଷେତ୍ରରେ ଶସ୍ୟଗୁଡ଼ିକ ସାଉଣ୍ଟୁ ଥିଲେ, ସେତେବେଳେ ସେ ବୋୟଜଙ୍କ ସହିତ ସାକ୍ଷାତ କରେ — 2:1-23
3. ବୋୟଜଙ୍କ ନିକଟକୁ ଯିବାକୁ ନୟମୀଙ୍କ ରୂତଙ୍କୁ ପରାମର୍ଶ — 3:1-18
4. ରୂତଙ୍କର ମୁକ୍ତି ଏବଂ ନୟମୀଙ୍କର ପୁନଃରୁଦ୍ଧାର — 4:1-22
1
ମୋୟାବରେ ଏଲିମେଲକର ପରିବାର
ବିଚାରକଗଣ ଶାସନ କରୁଥିବା ଏକ ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା। ତହିଁରେ ବେଥଲିହିମ-ଯିହୁଦାର ଜଣେ ଲୋକ ନିଜ ସ୍ତ୍ରୀ ଓ ଦୁଇ ପୁତ୍ରଙ୍କୁ ନେଇ ମୋୟାବ ଦେଶରେ ବାସ କରିବାକୁ ଗଲେ। ସେ ଲୋକର ନାମ ଏଲିମେଲକ ଓ ତାହାର ସ୍ତ୍ରୀଙ୍କ ନାମ ନୟମୀ, ପୁଣି ତାହାର ଦୁଇ ପୁତ୍ରଙ୍କ ନାମ ମହଲୋନ ଓ କିଲୀୟୋନ; ଏମାନେ ବେଥଲିହିମ-ଯିହୁଦାର ଇଫ୍ରାଥୀୟ ଲୋକ; ପୁଣି ଏମାନେ ମୋୟାବ ଦେଶକୁ ଆସି ସେଠାରେ ରହିଲେ। ଏଉତ୍ତାରୁ ନୟମୀର ସ୍ୱାମୀ ଏଲିମେଲକର ମୃତ୍ୟୁୁ ହୁଅନ୍ତେ, ସେ ଓ ତାହାର ଦୁଇ ପୁତ୍ର ଅବଶିଷ୍ଟ ରହିଲେ। ଏହି ପୁତ୍ରମାନେ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କ ମଧ୍ୟରୁ ବିବାହ କଲେ, ଜଣକର ସ୍ତ୍ରୀର ନାମ ଅର୍ପା, ଅନ୍ୟ ଜଣର ନାମ ରୂତ; ପୁଣି ସେମାନେ ପ୍ରାୟ ଦଶ ବର୍ଷ ଯାଏ ସେଠାରେ ବାସ କଲେ। ତହୁଁ ମହଲୋନ ଓ କିଲୀୟୋନ ଦୁଇ ଜଣଙ୍କର ମୃତ୍ୟୁୁ ହୁଅନ୍ତେ, ସେ ସ୍ତ୍ରୀ, ଦୁଇ ପୁତ୍ରବଧୂ ଓ ସ୍ୱାମୀବିହୀନା ହୋଇ ରହିଲା।
ନୟମୀ ପ୍ରତି ରୂତଙ୍କର ଫେରିବା
ପରେ ନୟମୀ ନିଜର ପୁତ୍ରବଧୂମାନଙ୍କୁ ନେଇଁ ମୋୟାବ ଦେଶରୁ ପ୍ରସ୍ଥାନ କରିବା ପାଇଁ ବାହାରିଲା, ଯେହେତୁ ସଦାପ୍ରଭୁ ଯେ ନିଜ ଲୋକଙ୍କର ତତ୍ତ୍ୱାବଧାରଣ କରି ଆହାର ଦେଇଅଛନ୍ତି, ଏହି କଥା ନୟମୀ ମୋୟାବ ଦେଶରେ ଥାଇ ଶୁଣିଲା। ଏଣୁ ନିଜର ବାସସ୍ଥାନ ଛାଡ଼ି ସେ ଓ ତାହା ସହିତ ତାହାର ଦୁଇ ପୁତ୍ରବଧୂ ଯିହୁଦା ଦେଶକୁ ଫେରିଯିବା ପାଇଁ ପଥରେ ଗମନ କଲେ। ଏଥିରେ ନୟମୀ ନିଜ ଦୁଇ ପୁତ୍ରବଧୂଙ୍କୁ କହିଲା, “ତୁମ୍ଭେମାନେ ନିଜ ନିଜର ମାତାର ଗୃହକୁ ଫେରିଯାଅ; ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ସେହିପରି ଦୟା କରନ୍ତୁ। ତୁମ୍ଭେ ଦୁଇ ଜଣ ନିଜ ନିଜର ସ୍ୱାମୀ ଗୃହରେ ଯେପରି ବିଶ୍ରାମ ପାଅ,” ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଏପରି କୃପା କରନ୍ତୁ, ପୁଣି ସେ ସେମାନଙ୍କୁ ଚୁମ୍ବନ କଲା; ତହିଁରେ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ। 10 ପୁଣି ସେମାନେ ତାହାକୁ କହିଲେ, “ନା, ଆମ୍ଭେମାନେ ତୁମ୍ଭ ସଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରିଯିବା।” 11 ନୟମୀ ଉତ୍ତର ଦେଲେ, “ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଆମ୍ଭ ସଙ୍ଗରେ କାହିଁକି ଯିବ? ତୁମ୍ଭମାନଙ୍କ ସ୍ୱାମୀ ହେବା ପାଇଁ ଏବେ ହେଁ କି ଆମ୍ଭ ଗର୍ଭରେ ପୁତ୍ର ଅଛି? 12 ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଯେହେତୁ ମୁଁ ବୃଦ୍ଧା, ପୁନର୍ବାର ବିବାହ କରି ନ ପାରେ; ଆଉ ମୋହର ଭରସା ଅଛି, ଏହା ବୋଲି ଯଦ୍ୟପି ଆଜି ରାତ୍ରିରେ ସ୍ୱାମୀ ଗ୍ରହଣ କରେ ଓ ସନ୍ତାନ ମଧ୍ୟ ପ୍ରସବ କରେ, 13 ତେବେ ତୁମ୍ଭେମାନେ କି ସେମାନଙ୍କର ବୟସପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥିନିମନ୍ତେ ଅନ୍ୟ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି କାରଣ ସଦାପ୍ରଭୁଙ୍କ ହସ୍ତ ମୋʼ ବିରୁଦ୍ଧରେ ଉଠିଅଛି।” 14 ଏଥିରେ ସେମାନେ ପୁନର୍ବାର ଉଚ୍ଚସ୍ୱରରେ ରୋଦନ କଲେ, ପୁଣି ଅର୍ପା ନିଜ ଶାଶୁକୁ ଚୁମ୍ବନ କଲା, ମାତ୍ର ରୂତ ତାକୁ ଧରି ରହିଲା।
15 ସେ ତାକୁ କହିଲା, “ଦେଖ, ତୁମ୍ଭର ଜାଆ ନିଜ ଲୋକମାନଙ୍କ ଓ ନିଜ ଦେବତା ନିକଟକୁ ଫେରିଗଲା, ତୁମ୍ଭେ ମଧ୍ୟ ନିଜ ଜାଆ ପଛେ ଫେରିଯାଅ।” 16 ରୂତ କହିଲା, “ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାଦ୍‍ଗମନ କରି ଫେରି ଯିବାକୁ ମୋତେ ବିନୟ ନ କର, ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେହିଠାକୁ ଯିବି; ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେହିଠାରେ ରହିବି; ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ। 17 ତୁମ୍ଭେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେହିଠାରେ ମରିବି ଓ ସେହିଠାରେ ମୋହର କବର ହେବ; କେବଳ ମୃତ୍ୟୁୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ।” 18 ଏରୂପେ ତାହା ସହିତ ଯିବା ପାଇଁ ରୂତ ଦୃଢ଼ମନସ୍କ ଅଟେ, ଏହା ଦେଖି ସେ ତାହାକୁ ତର୍କ ନ କରି ଶାନ୍ତ ହେଲା।
19 ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥଲିହିମରେ ଉପସ୍ଥିତ ହେଲେ। ପୁଣି ଯେତେବେଳେ ସେମାନେ ବେଥଲିହିମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ, ସ୍ତ୍ରୀଲୋକମାନେ କହିଲେ, “ଏ କି ନୟମୀ?” 20 ତେଣୁ ସେ ସେମାନଙ୍କୁ କହିଲା, “ମୋତେ ନୟମୀ (ମଧୁର) ବୋଲି ନ ଡାକ, ପୁଣି ମାରା (ତିକ୍ତ) ବୋଲି ଡାକ; ଯେହେତୁ ସର୍ବଶକ୍ତିମାନ ମୋʼ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି।
21 ମୁଁ ପରିପୂର୍ଣ୍ଣ ହୋଇ ଯାତ୍ରା କରିଥିଲି, ମାତ୍ର ସଦାପ୍ରଭୁ ମୋତେ ଶୂନ୍ୟ କରି ଫେରାଇ ଆଣିଅଛନ୍ତି। ସଦାପ୍ରଭୁ ଯେବେ ମୋʼ ପ୍ରତିକୂଳରେ ପ୍ରମାଣ ଦେଇଅଛନ୍ତି ଓ ସର୍ବଶକ୍ତିମାନ ଯେବେ ମୋତେ ଦୁଃଖ ଦେଇଅଛନ୍ତି, ତେବେ ମୋତେ ନୟମୀ ବୋଲି କାହିଁକି ଡାକୁଅଛ?” 22 ଏହିରୂପେ ନୟମୀ ଓ ମୋୟାବ ଦେଶରୁ ଆସିଥିବା ତାହାର ପୁତ୍ରବଧୂ ସେହି ମୋୟାବ ଦେଶୀୟା ରୂତ ଫେରି ଆସିଲେ; ସେମାନେ ଯବ-ଶସ୍ୟଚ୍ଛେଦନର ଆରମ୍ଭ ସମୟରେ ବେଥଲିହିମରେ ଉପସ୍ଥିତ ହେଲେ।