Acts of the Apostles
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ
ଲେଖକ
ଏହି ପୁସ୍ତକର ଲେଖକ ବୈଦ୍ୟ ଲୂକ ଅଟନ୍ତି। ପ୍ରେରିତ ପୁସ୍ତକରେ ଘଟିଥିବା ଅନେକ ଘଟଣାର ସେ ପ୍ରତ୍ୟକ୍ଷଦର୍ଶୀ ବ୍ୟକ୍ତି ଥିଲେ ଯାହା ଏହି ପୁସ୍ତକର ଅନେକ ସ୍ଥାନର ସର୍ବନାମ “ଆମ୍ଭେ” ଶବ୍ଦର ବ୍ୟବହୃତ ଦ୍ଵାରା ପ୍ରମାଣିତ ଅଟେ (ପ୍ରେରି. 16:10-17; 20:5-21:18; 27:1-28:16)। ପାରମ୍ପରିକ ଭାବରେ ସେ ଜଣେ ଅଣଯିହୁଦୀ ଥିଲେ ବୋଲି ସମୀକ୍ଷା କରାଯାଏ, ପ୍ରଧାନତଃ, ସେ ସୁସମାଚାର ପ୍ରଚାରକ ଥିଲେ।
ସମୟ ଓ ସ୍ଥାନ
ପ୍ରାୟ 60-63 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ହୁଏତ ଯିରୂଶାଲମ, ଶମିରୋଣ, ଲୂଦ, ଯାଫୋ, ଆନ୍ତିୟଖିଆ, ଇକନୀୟ, ଲୁସ୍ତ୍ରା, ଦର୍ବୀ, ଫିଲିପ୍ପ, ଥେସଲନୀକୀ, ବେରିୟା, ଆଥିନୀ, କରିନ୍ଥ, ଏଫିସ, କାଇସରିୟା, ମେଲିତୀ ଦ୍ୱୀପ, ରୋମ ଏହି ପୁସ୍ତକ ଲେଖିବାର ମୁଖ୍ୟ ସ୍ଥାନ ଗୁଡ଼ିକ ଥିଲେ।
ପ୍ରାପକ
ଲୂକ ଥୀୟଫିଲଙ୍କୁ ଲେଖିଛନ୍ତି (ପ୍ରେରି. 1:1)। ଥୀୟଫିଲଙ୍କ ବିଷୟରେ ବହୁତ ସୂଚନା ନାହିଁ। କିଛି ସମ୍ଭାବ୍ୟ ବିଷୟ ଅଛି ଯାହା ପ୍ରକାଶ କରେ ଯେ ସେ ଲୂକଙ୍କର ସହକର୍ମୀ ଥିଲେ କିମ୍ବା ତାହାଙ୍କ ନାମ ଥୀୟଫିଲ (ଯାହାର ଅର୍ଥ “ଈଶ୍ଵରଙ୍କ ପ୍ରେମୀ”) ବିଶ୍ଵବ୍ୟାପି ଖ୍ରୀଷ୍ଟୀୟ ସମାଜକୁ ନିର୍ଦ୍ଦେଶ କରିବାକୁ ବ୍ୟବହାର କରାଯାଏ।
ଉଦ୍ଦେଶ୍ୟ
ପ୍ରେରିତ ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ମଣ୍ଡଳୀର ଉତ୍ପତ୍ତି ଏବଂ ବୃଦ୍ଧିକୁ ପ୍ରକାଶ କରିବା, ବାପ୍ତିଜକ ଯୋହନ, ଯୀଶୁ ଏବଂ ତାହାଙ୍କର ବାର ଶିଷ୍ୟଙ୍କ ଦ୍ଵାରା ସୁସମାଚାର ଗୁଡ଼ିକରେ ପ୍ରଚାର କରାଯାଇଥିବା ବାର୍ତ୍ତାକୁ ଏହା ବଜାଇ ରଖେ। ଏହା ପେଣ୍ଟିକଷ୍ଟ ଦିବସରେ ପବିତ୍ର ଆତ୍ମାଙ୍କ ଅବତୀର୍ଣ୍ଣଠାରୁ ଖ୍ରୀଷ୍ଟିୟାନ ଧର୍ମ ପ୍ରସାରଣ ବିଷୟରେ ତଥ୍ୟ ପ୍ରଦାନ କରେ।
ବିଷୟବସ୍ତୁ
ସୁସମାଚାରର ପ୍ରସାରଣ
ରୂପରେଖା
1. ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞା — 1:1-26
2. ପବିତ୍ର ଆତ୍ମାଙ୍କ ପ୍ରକାଶନ — 2:1-4
3. ପବିତ୍ର ଆତ୍ମାଙ୍କ ସାମର୍ଥ୍ୟ ଦ୍ଵାରା ପ୍ରେରିତମାନଙ୍କର ସେବାକାର୍ଯ୍ୟ ଏବଂ ଯିରୂଶାଲମ ସହରରେ ମଣ୍ଡଳୀର ଅତ୍ୟାଚାର — 2:5-8:3
4. ଯିହୂଦା ପ୍ରଦେଶ ଓ ଶମିରୋଣରେ ପବିତ୍ର ଆତ୍ମାଙ୍କ ସାମର୍ଥ୍ୟ ଦ୍ଵାରା ପ୍ରେରିତମାନଙ୍କର ସେବାକାର୍ଯ୍ୟ — 8:4-12:25
5. ଜଗତର ଅନ୍ୟ ଅଂଶ ଗୁଡ଼ିକରେ ପବିତ୍ର ଆତ୍ମାଙ୍କ ସାମର୍ଥ୍ୟ ଦ୍ଵାରା ପ୍ରେରିତମାନଙ୍କର ସେବାକାର୍ଯ୍ୟ — 13:1-28:31
1
ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞା
ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ, ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟଗୁଡ଼ିକୁ ମୁଁ ପ୍ରଥମ ପୁସ୍ତକରେ* ଲୂକଙ୍କ ଦ୍ୱାରା ଲିଖିତ ସୁସମାଚାର ପୁସ୍ତକରେ ଲେଖିଅଛି। ଯୀଶୁ ଆପଣା ଦୁଃଖଭୋଗ ଉତ୍ତାରେ ମଧ୍ୟ ଅନେକ ପ୍ରମାଣ ଦ୍ୱାରା ପ୍ରେରିତମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ। ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ଯିରୂଶାଲମ ସହରରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋʼଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ; କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।”
ଯୀଶୁଙ୍କ ସ୍ୱର୍ଗାରୋହଣ
ଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; “ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି?” ସେ ସେମାନଙ୍କୁ କହିଲେ, “ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତା ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ। କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦିୟା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ।” ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା। 10 ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, 11 ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ।
ଯିହୂଦା ଇଷ୍କାରିୟୋତୀୟର ସ୍ଥାନ ପୂରଣ
12 ଏହାପରେ ସେମାନେ ଜୀତ ନାମକ ପର୍ବତରୁ ଯିରୂଶାଲମ ସହରକୁ ବାହୁଡ଼ି ଆସିଲେ। ସେହି ପର୍ବତ ଯିରୂଶାଲମ ପାଖରେ, ଗୋଟିଏ ବିଶ୍ରାମବାରର ବାଟ ପ୍ରାୟ ଏକ କିଲୋମିଟରରୁ ଅଧିକ ଦୂର ଦୂରରେ ଥିଲା। 13 ସେମାନେ, ଅର୍ଥାତ୍‍ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବାର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଉଦ୍‌ଯୋଗୀ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୂଦା, ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରୀରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ। 14 ଏମାନେ ସମସ୍ତେ ସ୍ତ୍ରୀଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରୀୟମ ଓ ତାହାଙ୍କ ଭାଇମାନଙ୍କ ସହିତ ଏକ ମନରେ ପ୍ରାର୍ଥନାରେ ଲାଗି ରହିଲେ। 15 ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ; (ସେଠାରେ ଯୀଶୁଙ୍କର ଅନୁଗତ ପ୍ରାୟ ଶହେ କୋଡ଼ିଏ ଜଣ ଥିଲେ), 16 ମୋହର ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା; 17 କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ଗଣାଯାଇଥିଲା ଓ ଏହି ସେବାପଦରେ ଅଂଶ ପ୍ରାପ୍ତ ହୋଇଥିଲା। 18 ଏହି ଲୋକ (ଯିହୂଦା) ଅଧର୍ମର ମୂଲ୍ୟ ଦ୍ୱାରା ଖଣ୍ଡିଏ କ୍ଷେତ ପାଇଲା, ପୁଣି, ସେ ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରି ପଡ଼ିଲା; 19 ଆଉ, ଏହା ଯିରୂଶାଲମ ସହରରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ “ହକଲ୍‌ଦମା”, ଅର୍ଥାତ୍‍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା। 20 ଆଉ, ଗୀତସଂହିତା ପୁସ୍ତକରେ ଲେଖାଅଛି,
“ ‘ତାହାର ବାସସ୍ଥାନ ଶୂନ୍ୟ ହେଉ,
ସେଠାରେ କେହି ବାସ ନ କରୁ।’
ଏବଂ,
‘ତାହାର ଅଧ୍ୟକ୍ଷ ପଦ ଅନ୍ୟ ଜଣଙ୍କୁ ଦିଆଯାଉ।’
21 ଅତଏବ, ପ୍ରଭୁ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ନେବା ସମୟଠାରୁ ଆରମ୍ଭ କରି, ଆମ୍ଭମାନଙ୍କ ନିକଟରୁ ଊର୍ଦ୍ଧ୍ୱକୁ ନିଆଯିବା ଦିନ ପର୍ଯ୍ୟନ୍ତ ଯେତେ ସମୟ ଆମ୍ଭମାନଙ୍କ ମଧ୍ୟରେ ଗମନାଗମନ କରୁଥିଲେ, 22 ସେହି ସମୟରେ ଯେଉଁ ଲୋକମାନେ ଆମ୍ଭମାନଙ୍କ ସଙ୍ଗୀ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭମାନଙ୍କ ସହିତ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ।” 23 ସେଥିରେ ସେମାନେ ଦୁଇ ଜଣଙ୍କୁ, ଅର୍ଥାତ୍‍ ଯୋଷେଫଙ୍କୁ, ଯାହାକୁ ବର୍ଶବ୍ବା ବୋଲି କହନ୍ତି ଓ ଯାହାଙ୍କ ଉପନାମ ଯୂସ୍ତ, ତାହାଙ୍କୁ ଓ ମଥିୟଙ୍କୁ ପୃଥକ୍ କରି ଏହି ପ୍ରାର୍ଥନା କଲେ, 24 “ହେ ସର୍ବାନ୍ତର୍ଯ୍ୟାମୀ ପ୍ରଭୁ, ଯିହୂଦା ନିଜ ଉପଯୁକ୍ତ ସ୍ଥାନକୁ ଯିବା ନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି, 25 ସେହି ପ୍ରେରିତପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ।” 26 ଆଉ, ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ପୁଣି, ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏଗାର ଜଣ ପ୍ରେରିତଙ୍କ ସହିତ ଗଣିତ ହେଲେ।

*1:2 ଲୂକଙ୍କ ଦ୍ୱାରା ଲିଖିତ ସୁସମାଚାର ପୁସ୍ତକରେ

1:12 ପ୍ରାୟ ଏକ କିଲୋମିଟରରୁ ଅଧିକ ଦୂର