2
 1 ସଦାପ୍ରଭୁ ଏହି କଥା କହନ୍ତି,  
“ମୋୟାବର ତିନି, ହିଁ, ଚାରି ଅପରାଧ ସକାଶୁ  
ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ;  
କାରଣ ସେ ଇଦୋମ ରାଜାର ଅସ୍ଥି ଦଗ୍ଧ କରି ତାହା ଚୂର୍ଣ୍ଣ କଲା;   
 2 ମାତ୍ର ଆମ୍ଭେ ମୋୟାବର ଉପରେ ଅଗ୍ନି ନିକ୍ଷେପ କରିବା  
ଓ ତାହା କରୀୟୋଥ୍ ନଗରର ଅଟ୍ଟାଳିକାସବୁ ଗ୍ରାସ କରିବ;  
ପୁଣି, ମୋୟାବ କୋଳାହଳ, ସିଂହନାଦ ଓ ତୂରୀଧ୍ୱନି ସହିତ ପ୍ରାଣତ୍ୟାଗ କରିବ;   
 3 ପୁଣି, ଆମ୍ଭେ ତହିଁ ମଧ୍ୟରୁ ବିଚାରକର୍ତ୍ତାକୁ ଉଚ୍ଛିନ୍ନ କରିବା  
ଓ ତାହା ସଙ୍ଗେ ତହିଁର ସମସ୍ତ ଅଧିପତିଙ୍କୁ ସଂହାର କରିବା।”  
ଏହା ସଦାପ୍ରଭୁ କହନ୍ତି।   
ଯିହୁଦାର ଦଣ୍ଡ 
  4 ସଦାପ୍ରଭୁ ଏହି କଥା କହନ୍ତି,  
“ଯିହୁଦାର ତିନି, ହଁ, ଚାରି ଅପରାଧ ସକାଶୁ  
ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ;  
କାରଣ ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି  
ଓ ତାହାଙ୍କର ବିଧିସବୁ ପାଳନ କରି ନାହାନ୍ତି,  
ପୁଣି ସେମାନଙ୍କର ପିତୃପୁରୁଷମାନେ ଯେଉଁ ମିଥ୍ୟା ଦେବଗଣର ଅନୁଗାମୀ ହେଲେ,  
ତଦ୍ଦ୍ୱାରା ସେମାନେ ଭ୍ରାନ୍ତ ହୋଇଅଛନ୍ତି;   
 5 ମାତ୍ର ଆମ୍ଭେ ଯିହୁଦା ଉପରେ ଅଗ୍ନି ନିକ୍ଷେପ କରିବା  
ଓ ତାହା ଯିରୂଶାଲମର ଅଟ୍ଟାଳିକାସବୁ ଗ୍ରାସ କରିବ।”   
ଇସ୍ରାଏଲର ଦଣ୍ଡ 
  6 ସଦାପ୍ରଭୁ ଏହି କଥା କହନ୍ତି,  
“ଇସ୍ରାଏଲର ତିନି, ହଁ, ଚାରି ଅପରାଧ ସକାଶୁ  
ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ;  
କାରଣ ସେମାନେ ରୂପା ପାଇଁ ଧାର୍ମିକକୁ  
ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ ବିକ୍ରୟ କରିଅଛନ୍ତି;   
 7 ସେମାନେ ଦରିଦ୍ରର ମସ୍ତକରେ ଧୂଳିର ଆକାଂକ୍ଷା କରନ୍ତି  
ଓ ନମ୍ର ଲୋକମାନଙ୍କର ମାର୍ଗ ବକ୍ର କରନ୍ତି;  
ପୁଣି, ଆମ୍ଭର ପବିତ୍ର ନାମ ଅପବିତ୍ର କରିବା ପାଇଁ  
ଜଣେ ପୁରୁଷ ଓ ତାହାର ପିତା ଏକ ଯୁବତୀଠାରେ ଗମନ କରନ୍ତି;   
 8 ଆଉ, ସେମାନେ ପ୍ରତ୍ୟେକ ଯଜ୍ଞବେଦିର ନିକଟରେ  
ବନ୍ଧକି ବସ୍ତ୍ରର ଉପରେ ଶୟନ କରନ୍ତି,  
ଆଉ ସେମାନେ ଅର୍ଥଦଣ୍ଡପ୍ରାପ୍ତ ଲୋକମାନଙ୍କର ଦ୍ରାକ୍ଷାରସ  
ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହରେ ପାନ କରନ୍ତି।   
 9 ତଥାପି ଏରସ ବୃକ୍ଷ ତୁଲ୍ୟ ଦୀର୍ଘ ଓ ଅଲୋନ ବୃକ୍ଷ ତୁଲ୍ୟ ବଳିଷ୍ଠ  
ଇମୋରୀୟକୁ ଆମ୍ଭେ ସେମାନଙ୍କ ସମ୍ମୁଖରେ ବିନାଶ କଲୁ;  
ଆଉ, ଉପରେ ତାହାର ଫଳ ଓ ତଳେ ତାହାର ମୂଳ ନଷ୍ଟ କଲୁ।   
 10 ଆହୁରି, ଇମୋରୀୟମାନଙ୍କ ଦେଶ ଅଧିକାର କରିବା ନିମନ୍ତେ  
ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲୁ  
ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ପଥ କଢ଼ାଇ ତୁମ୍ଭମାନଙ୍କୁ ଗମନ କରାଇଲୁ।   
 11 ପୁଣି, ଆମ୍ଭେ ତୁମ୍ଭମାନଙ୍କ ପୁତ୍ରଗଣ ମଧ୍ୟରୁ ଭବିଷ୍ୟଦ୍ବକ୍ତାଗଣ  
ଓ ତୁମ୍ଭମାନଙ୍କ ଯୁବାଗଣ ମଧ୍ୟରୁ ନାସରୀୟ ଲୋକମାନଙ୍କୁ ଉତ୍ପନ୍ନ କଲୁ।  
ସଦାପ୍ରଭୁ କହନ୍ତି,  
ହେ ଇସ୍ରାଏଲ-ସନ୍ତାନଗଣ, ଏପରି କି ହୋଇ ନାହିଁ?”   
 12 ମାତ୍ର ତୁମ୍ଭେମାନେ ନାସରୀୟ ଲୋକମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦେଲ  
ଓ ଭବିଷ୍ୟଦ୍ବକ୍ତାମାନଙ୍କୁ ଆଜ୍ଞା ଦେଇ କହିଲ, ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ।   
 13 “ଦେଖ, ହଳାରେ ପୂର୍ଣ୍ଣ ଶଗଡ଼ ଯେପରି ଚାପେ,  
ସେପରି ଆମ୍ଭେ ତୁମ୍ଭମାନଙ୍କ ନିଜ ସ୍ଥାନରେ ତୁମ୍ଭମାନଙ୍କୁ ଚାପିବା।   
 14 ତହିଁରେ ଦ୍ରୁତଗାମୀର ପଳାୟନ ଉପାୟ ନଷ୍ଟ ହେବ  
ଓ ବଳବାନ ଆପଣା ବଳ ଦୃଢ଼ କରିବ ନାହିଁ,  
ଅଥବା ବୀର ଆପଣାକୁ ରକ୍ଷା କରିବ ନାହିଁ;   
 15 ଅଥବା ଧନୁର୍ଦ୍ଧାରୀ ଠିଆ ହେବ ନାହିଁ  
ଓ ଯାହାର ଚରଣ ଦ୍ରୁତଗାମୀ, ସେ ଆପଣାକୁ ରକ୍ଷା କରିବ ନାହିଁ;  
ଯେ ଅଶ୍ୱାରୋହୀ, ସେ ଆପଣାକୁ ରକ୍ଷା କରିବ ନାହିଁ;   
 16 ପୁଣି, ବୀରଗଣ ମଧ୍ୟରେ ଯେ ସାହସିକ,  
ସେ ଉଲଙ୍ଗ ହୋଇ ସେଦିନ ପଳାଇଯିବ।”  
ଏହା ସଦାପ୍ରଭୁ କହନ୍ତି।