4
 1 “ହେ ଶମରୀୟାର ପର୍ବତବାସିନୀ ବାଶନର ଗାଭୀସବୁ,  
ତୁମ୍ଭେମାନେ ଏହି ବାକ୍ୟ ଶୁଣ,  
ତୁମ୍ଭେମାନେ ଦରିଦ୍ରଗଣ ପ୍ରତି ଉପଦ୍ରବ କରୁଅଛ,  
ଦୀନହୀନମାନଙ୍କୁ ଦଳି ପକାଉଅଛ,  
ତୁମ୍ଭେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ,  
‘ଆଣ, ଆମ୍ଭେମାନେ ପାନ କରିବା।’   
 2 ପ୍ରଭୁ ସଦାପ୍ରଭୁ ଆପଣା ପବିତ୍ରତାରେ ଶପଥ କରି କହିଅଛନ୍ତି,  
ଦେଖ, ଯେଉଁ ସମୟରେ ଲୋକମାନେ ତୁମ୍ଭମାନଙ୍କୁ ତେଣ୍ଟାରେ  
ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ବନଶୀ କଣ୍ଟାରେ ଟାଣି ନେବେ,  
ଏପରି ସମୟ ତୁମ୍ଭମାନଙ୍କ ଉପରେ ଆସିବ।   
 3 ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ  
ଆପଣା ଆପଣା ସମ୍ମୁଖସ୍ଥ ଭଗ୍ନ ସ୍ଥାନ ଦେଇ ବାହାରି ଯିବ  
ଓ ହର୍ମ୍ମୋଣରେ ଆପଣାମାନଙ୍କୁ ନିକ୍ଷେପ କରିବ।”  
ଏହା ସଦାପ୍ରଭୁ କହନ୍ତି।   
 4 “ତୁମ୍ଭେମାନେ ବେଥେଲ୍କୁ ଯାଇ ଅପରାଧ କର;  
ଗିଲ୍ଗଲ୍କୁ ଯାଇ ଅପରାଧ ବୃଦ୍ଧି କର;  
ଆଉ, ପ୍ରତି ପ୍ରଭାତରେ ଆପଣା ଆପଣା ବଳି  
ଓ ପ୍ରତି ତିନି ଦିନରେ ଆପଣା ଆପଣାର ଦଶମାଂଶ ଉତ୍ସର୍ଗ କର;   
 5 ପୁଣି, ପ୍ରଶଂସାର୍ଥକ ବଳି ନିମନ୍ତେ ତାଡ଼ି ମିଶ୍ରିତ ଦ୍ରବ୍ୟ ଉତ୍ସର୍ଗ କର  
ଓ ସ୍ଵେଚ୍ଛାଦତ୍ତ ଉପହାର ବିଷୟ ଘୋଷଣା କରି ପ୍ରକାଶ କର;  
କାରଣ, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଏପରି କରିବାକୁ ଭଲ ପାଅ।”  
ଏହା ପ୍ରଭୁ ସଦାପ୍ରଭୁ କହନ୍ତି।   
ଶିକ୍ଷା ଗ୍ରହଣ କରିବାକୁ ଇସ୍ରାଏଲ ଅସମର୍ଥ 
  6 “ଆଉ, ଆମ୍ଭେ ତୁମ୍ଭମାନଙ୍କର ସମୁଦାୟ ନଗରରେ ଦନ୍ତ ପଂକ୍ତିର ନିର୍ମଳତା  
ଓ ତୁମ୍ଭମାନଙ୍କର ସମୁଦାୟ ବାସ ସ୍ଥାନରେ ଅନ୍ନ-ଅଭାବ ତୁମ୍ଭମାନଙ୍କୁ ଦେଇଅଛୁ;  
ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”  
ଏହା ସଦାପ୍ରଭୁ କହନ୍ତି।   
 7 “ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେ  
ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ;  
ପୁଣି, ଏକ ନଗରରେ ଜଳ ବର୍ଷାଇ ଅଛୁ  
ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ;  
ଏକ କ୍ଷେତ୍ରରେ ବୃଷ୍ଟି ହେଲା  
ଓ ଯେଉଁ କ୍ଷେତ୍ରରେ ବୃଷ୍ଟି ହେଲା ନାହିଁ, ତାହା ଶୁଷ୍କ ହେଲା।   
 8 ତହିଁ ସକାଶୁ ଦୁଇ, ତିନି ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ,  
ମାତ୍ର ତୃପ୍ତ ହେଲେ ନାହିଁ;  
ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”  
ଏହା ସଦାପ୍ରଭୁ କହନ୍ତି।   
 9 “ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭମାନଙ୍କୁ ଆଘାତ କରିଅଛୁ;  
ଶୂକ କୀଟ ତୁମ୍ଭମାନଙ୍କର ବହୁସଂଖ୍ୟକ ଉଦ୍ୟାନ,  
ଦ୍ରାକ୍ଷାକ୍ଷେତ୍ର, ଡିମ୍ବିରିବୃକ୍ଷ ଓ ଜୀତବୃକ୍ଷ ଗ୍ରାସ କରିଅଛି;  
ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”  
ଏହା ସଦାପ୍ରଭୁ କହନ୍ତି।   
 10 “ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ମିସର ଦେଶର ମହାମାରୀ ତୁଲ୍ୟ ମହାମାରୀ ପଠାଇଅଛୁ;  
ତୁମ୍ଭମାନଙ୍କର ଯୁବାଗଣକୁ ଆମ୍ଭେ ଖଡ୍ଗରେ ସଂହାର କରିଅଛୁ  
ଓ ତୁମ୍ଭମାନଙ୍କର ଅଶ୍ୱଗଣକୁ ନେଇ ଯାଇଅଛୁ;  
ପୁଣି, ଆମ୍ଭେ ତୁମ୍ଭମାନଙ୍କର ଛାଉଣି ସ୍ଥାନର ଦୁର୍ଗନ୍ଧ  
ତୁମ୍ଭମାନଙ୍କର ନାସିକା ପର୍ଯ୍ୟନ୍ତ ହିଁ ପ୍ରବେଶ କରାଇଅଛୁ;  
ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”  
ଏହା ସଦାପ୍ରଭୁ କହନ୍ତି।   
 11 “ପରମେଶ୍ୱର ସଦୋମ ଓ ହମୋରାକୁ ଯେପରି ଉତ୍ପାଟନ କରିଥିଲେ,  
ସେପରି ଆମ୍ଭେ ତୁମ୍ଭମାନଙ୍କର କେତେକ (ସ୍ଥାନ) ଉତ୍ପାଟନ କରିଅଛୁ,  
ଆଉ ତୁମ୍ଭେମାନେ ପୋଡ଼ା ଖୁଣ୍ଟ ପରି ଅଗ୍ନିରୁ କଢ଼ାଗଲ;  
ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”  
ଏହା ସଦାପ୍ରଭୁ କହନ୍ତି।   
 12 “ଏଥିପାଇଁ ହେ ଇସ୍ରାଏଲ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା;  
ଆଉ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା,  
ଏଥିସକାଶୁ ହେ ଇସ୍ରାଏଲ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ସହିତ  
ସାକ୍ଷାତ କରିବାକୁ ପ୍ରସ୍ତୁତ ହୁଅ।”   
 13 କାରଣ ଦେଖ, ଯେ ପର୍ବତଗଣ ନିର୍ମାଣ କରନ୍ତି,  
ବାୟୁକୁ ସୃଷ୍ଟି କରନ୍ତି ଓ ମନୁଷ୍ୟ ପ୍ରତି ତାହାର ଚିନ୍ତା ପ୍ରକାଶ କରନ୍ତି,  
ଯେ ଅରୁଣକୁ ଅନ୍ଧକାରମୟ କରନ୍ତି  
ଓ ପୃଥିବୀର ଉଚ୍ଚସ୍ଥଳୀସକଳର ଉପରେ ଗମନାଗମନ କରନ୍ତି।  
ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।