The Epistle of Paul the Apostle to the Ephisians
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଲେଖକ
ଏଫିସୀୟ 1:1 ପ୍ରେରିତ ପାଉଲଙ୍କୁ ଏହି ପତ୍ରର ଲେଖକ ଭାବେ ପ୍ରକାଶ କରେ। ମଣ୍ଡଳୀର ପ୍ରାଚୀନ ଦିନଗୁଡ଼ିକ ଏବଂ ପ୍ରାରମ୍ଭିକ ପ୍ରେରିତିକ ପିତାମାନେ, ଯେପରି ରୋମର କ୍ଲେମେଣ୍ଟ୍, ଇଗନସିଅସ, ହେର୍ମାସ୍, ଏବଂ ପୋଲିକାର୍ପ୍ ପାଉଲ ଏହି ପୁସ୍ତକୁ ଲେଖିଛନ୍ତି ବୋଲି ଉଦ୍ଧୃତ କରନ୍ତି।
ସମୟ ଓ ସ୍ଥାନ
ପ୍ରାୟ 60 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।
ପାଉଲ ହୁଏତ ରୋମରେ କାରାଗାରରେ ଥିବା ସମୟରେ ଏହି ପତ୍ର ଲେଖିଛନ୍ତି।
ପ୍ରାପକ
ଏଫିସୀୟ ମଣ୍ଡଳୀ ହେଉଛି ପ୍ରାଥମିକ ପ୍ରାପକ। ଏହି ପତ୍ରର ପାଠକ ବିଜାତିମାନେ ବୋଲି ପାଉଲ ସ୍ପଷ୍ଟ ସୂଚନା ପ୍ରଦାନ କରନ୍ତି। ଏଫିସୀୟ 2:11-13 ରେ ସେ କହନ୍ତି ଯେ ତାହାଙ୍କର ପାଠକମାନେ ହେଲେ “ଜନ୍ମରୁ ବିଜାତି” (ଏଫି. 2:11), ଏଣୁ ଯିହୁଦୀମାନେ ସେମାନଙ୍କୁ “ପ୍ରତିଜ୍ଞାର ନିୟମ ସହ ଅପରିଚିତ” ବୋଲି ବିଚାର କରନ୍ତି (ଏଫି. 2:12)। ସେହିପରି, ଏଫିସୀୟ 3:1 ରେ ପାଉଲ ନିଜର ବିଜାତି ପାଠକମାନଙ୍କୁ ସୂଚନା ପ୍ରଦାନ କରନ୍ତି ଯେ ସେମାନଙ୍କ ସକାଶେ ସେ ଜଣେ ବନ୍ଦୀ ଅଟନ୍ତି।
ଉଦ୍ଦେଶ୍ୟ
ଯେଉଁମାନେ ଖ୍ରୀଷ୍ଟଙ୍କ ପରି ପରିପକ୍ୱ ହେବା ନିମନ୍ତେ ଇଚ୍ଛା କରନ୍ତି ସେମାନେ ଏହି ପତ୍ର ପ୍ରାପ୍ତ କରନ୍ତୁ ବୋଲି ପାଉଲଙ୍କର ଉଦ୍ଦେଶ୍ୟ ଥିଲା। ଏଫିସୀୟ ପୁସ୍ତକରେ ଈଶ୍ବରଙ୍କ ପ୍ରକୃତ ସନ୍ତାନ ହେବା ନିମନ୍ତେ ଶୃଙ୍ଖଳା ଅତ୍ୟାବଶ୍ୟକ ଅଟେ ବୋଲି ଲିପିବଦ୍ଧ କରାଯାଇଅଛି। ଆହୁରି, ଈଶ୍ବରଙ୍କ ଆହ୍ୱାନ ଏବଂ ଉଦ୍ଦେଶ୍ୟକୁ ସଫଳ କରିବା ନିମନ୍ତେ ଏହି ପୁସ୍ତକ ଏକ ବିଶ୍ୱାସୀକୁ ସୁରକ୍ଷା ଏବଂ ସ୍ଥାପିତ ହେବାକୁ ସାହାଯ୍ୟ କରେ। ମଣ୍ଡଳୀର ପ୍ରକୃତି ଏବଂ ଉଦ୍ଦେଶ୍ୟକୁ ଏଫିସୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ବର୍ଣ୍ଣନା କରି ପାଉଲ ସେମାନଙ୍କର ଖ୍ରୀଷ୍ଟୀୟ ବିଶ୍ଵାସକୁ ମଜଭୁତ କରିବାକୁ ଚାହାନ୍ତି। ଏହି ପତ୍ରରେ ପାଉଲ ଅନେକ ଶବ୍ଦଗୁଡ଼ିକୁ ବ୍ୟବହାର କରିଛନ୍ତି ଯାହା ତାହାଙ୍କର ବିଜାତି ଖ୍ରୀଷ୍ଟିୟାନ ପାଠକମାନଙ୍କ ନିମନ୍ତେ ସେମାନଙ୍କର ପୂର୍ବ ଧର୍ମରେ ପରିଚିତ ଥିଲା, ଯଥା: ଶରୀର-ମସ୍ତକ, ପରିପୂର୍ଣ୍ଣତା, ରହସ୍ୟ, ଯୁଗ, ଶାସକ, ଇତ୍ୟାଦି। ଖ୍ରୀଷ୍ଟ ହେଉଛନ୍ତି ସର୍ବୋପରିସ୍ଥ ଏବଂ ସେ ସମସ୍ତ ପ୍ରକାର ଦେବମାନଙ୍କଠାରୁ ଉଚ୍ଚ ଓ ଆତ୍ମିକ ପୁରୁଷ ଅଟନ୍ତି ବୋଲି ପ୍ରମାଣ କରିବା ନିମନ୍ତେ ସେ ଏହିସବୁ ଶବ୍ଦଗୁଡ଼ିକୁ ବ୍ୟବହାର କରିଛନ୍ତି।
ବିଷୟବସ୍ତୁ
ଖ୍ରୀଷ୍ଟଙ୍କଠାରେ ଆଶୀର୍ବାଦ
ରୂପରେଖା
1. ମଣ୍ଡଳୀର ବିଶ୍ଵାସୀମାନଙ୍କ ନିମନ୍ତେ ଶିକ୍ଷା — 1:1-3:21
2. ମଣ୍ଡଳୀର ବିଶ୍ଵାସୀମାନଙ୍କ ନିମନ୍ତେ କର୍ତ୍ତବ୍ୟ — 4:1-6:24
1
ଅଭିବାଦନ
ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛି। ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଖ୍ରୀଷ୍ଟଙ୍କଠାରେ ନିହିତ ଆତ୍ମିକ ଆଶୀର୍ବାଦ
ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି, ଅର୍ଥାତ୍‍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ; ପୁଣି, ଈଶ୍ବର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ; ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍‍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି। ପୂର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି, 10 ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ। 11 ତାହାଙ୍କଠାରେ ମଧ୍ୟ ଆମ୍ଭେ ବିଶ୍ୱାସୀମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ବର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେ ବିଶ୍ୱାସୀମାନେ ପୂର୍ବରୁ ନିରୂପିତ ହେଲୁ, 12 ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ପୂର୍ବରୁ ଭରସା କରିଥିଲୁ, ତାହା ଯେପରି ଈଶ୍ବରଙ୍କ ଗୌରବର ପ୍ରଶଂସାର କାରଣ ହେଉ। 13 ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍‍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ; 14 ଈଶ୍ବରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।
ପାଉଲଙ୍କ ପ୍ରାର୍ଥନା
15 ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ, 16 ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ। 17 ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ବର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି; 18 ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ତାହାଙ୍କ ଆହ୍ୱାନର ଭରସା କଅଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କଅଣ, 19 ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କଅଣ, ଏହିସବୁ ଜାଣି ପାର; 20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ, 21 ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ, 22 ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ; 23 ସେହି ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ସ୍ୱରୂପ, ଅର୍ଥାତ୍‍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା।