21
ସଦାପ୍ରଭୁଙ୍କ ନିଷ୍କୋଷ ଖଡ୍ଗ
ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମ ପ୍ରତି ଆପଣା ମୁଖ ରଖ, ପବିତ୍ର ସ୍ଥାନ ସମୂହର ପ୍ରତି ଆପଣା ବାକ୍ୟ ବର୍ଷଣ କର ଓ ଇସ୍ରାଏଲ ଦେଶ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର, ଆଉ, ଇସ୍ରାଏଲ ଦେଶକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ଆପଣା ଖଡ୍ଗ କୋଷରୁ ବାହାର କରି ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ବଧ କରିବା। ଆମ୍ଭେ ତୁମ୍ଭ ମଧ୍ୟରୁ ଧାର୍ମିକ ଓ ଦୁଷ୍ଟକୁ ବଧ କରିବା, ଏଥିପାଇଁ ଆମ୍ଭର ଖଡ୍ଗ କୋଷରୁ ବାହାରି ଦକ୍ଷିଣଠାରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ପ୍ରାଣୀର ବିରୁଦ୍ଧରେ ଯିବ; ତହିଁରେ ସମସ୍ତ ପ୍ରାଣୀ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା ଖଡ୍ଗ କୋଷରୁ ବାହାର କରିଅଛୁ; ତାହା ଆଉ ଫେରିବ ନାହିଁ। ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଦୀର୍ଘ ନିଃଶ୍ୱାସ ଛାଡ଼; ତୁମ୍ଭେ ଆପଣା କଟି ଭାଙ୍ଗି ମନସ୍ତାପପୂର୍ବକ ସେମାନଙ୍କ ସାକ୍ଷାତରେ ଦୀର୍ଘ ନିଃଶ୍ୱାସ ଛାଡ଼ିବ। ଆଉ, ‘ତୁମ୍ଭେ କାହିଁକି ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛ?’ ଏ କଥା ଯଦି ସେମାନେ ତୁମ୍ଭକୁ ପଚାରିବେ, ତେବେ ତୁମ୍ଭେ କହିବ, ‘ସମ୍ବାଦ ସକାଶେ, କାରଣ ତାହା ଆସୁଅଛି; ତହିଁରେ ପ୍ରତ୍ୟେକ ହୃଦୟ ତରଳି ଯିବ ଓ ସକଳ ହସ୍ତ ଦୁର୍ବଳ ହେବ, ପ୍ରତ୍ୟେକ ମନ କ୍ଳାନ୍ତ ହେବ ଓ ସମସ୍ତ ଆଣ୍ଠୁ ଜଳ ପରି ହେବ; ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ,’ ” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି;
କୁହ, ଖଡ୍ଗ, ଖଡ୍ଗ, ତାହା ଶାଣିତ ଓ ମଧ୍ୟ ମାର୍ଜିତ ହୋଇଅଛି;
10 ହତ୍ୟା କରିବା ନିମନ୍ତେ ତାହା ଶାଣିତ ହୋଇଅଛି, ବିଜୁଳି ପରି ହେବା ପାଇଁ ତାହା ମାର୍ଜିତ ହୋଇଅଛି;
ତେବେ ଆମ୍ଭେମାନେ କି ଆମୋଦ ପ୍ରମୋଦ କରିବା? ଆମ୍ଭ ପୁତ୍ରର ରାଜଦଣ୍ଡ ଯାବତୀୟ କାଷ୍ଠକୁ ତୁଚ୍ଛ କରେ।
11 ପୁଣି, ହାତରେ ଧରାଯିବା ନିମନ୍ତେ ତାହା ମାର୍ଜିତ ହେବା ପାଇଁ ଦିଆଯାଇଅଛି;
ହନ୍ତାର ହସ୍ତରେ ଦେବା ନିମନ୍ତେ ଖଡ୍ଗ ଶାଣିତ ଓ ମାର୍ଜିତ ହୋଇଅଛି।
12 ହେ ମନୁଷ୍ୟ-ସନ୍ତାନ, କ୍ରନ୍ଦନ ଓ ହାହାକାର କର; କାରଣ ତାହା ଆମ୍ଭର ଲୋକମାନଙ୍କ ବିରୁଦ୍ଧରେ, ଇସ୍ରାଏଲର ସମସ୍ତ ଅଧିପତିଗଣର ବିରୁଦ୍ଧରେ ଉପସ୍ଥିତ ହୋଇଅଛି;
ସେମାନେ ଆମ୍ଭ ଲୋକମାନଙ୍କ ସହିତ ଖଡ୍ଗରେ ସମର୍ପିତ ହୋଇଅଛନ୍ତି, ଏଣୁ ତୁମ୍ଭେ ଆପଣା ଊରୁ ଦେଶରେ ଆଘାତ କର।
13 କାରଣ ପରୀକ୍ଷା ଗୋଟିଏ ଅଛି, ପୁଣି, ସେହି ତୁଚ୍ଛକାରୀ ରାଜଦଣ୍ଡ ଆଉ ନ ରହେ, ତେବେ ତହିଁରେ ହିଁ କି? ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
14 ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ଓ ତୁମ୍ଭ ଦୁଇ ହସ୍ତ ଏକତ୍ର ମାର; ସେହି ଖଡ୍ଗ, ଆହତ ଲୋକମାନଙ୍କର ଖଡ୍ଗ ଦୁଇଗୁଣ, ତିନିଗୁଣ ହେଉ;
ତାହା ଆହତ ମହତ ଲୋକର ଖଡ୍ଗ, ତାହା ସେମାନଙ୍କ ଭିତର କୋଠରିରେ ପ୍ରବେଶ କରେ।
15 ସେମାନଙ୍କର ଅନ୍ତଃକରଣ ଯେପରି ତରଳି ଯାଏ ଓ ସେମାନଙ୍କର ଅନେକ ବିଘ୍ନ ଜନ୍ମେ, ଏଥିପାଇଁ ଆମ୍ଭେ ସେମାନଙ୍କର ସକଳ ନଗର-ଦ୍ୱାର ବିରୁଦ୍ଧରେ ଖଡ୍ଗର ଅଗ୍ରଭାଗ ରଖିଅଛୁ; ଆଃ! ତାହା ବିଜୁଳି ତୁଲ୍ୟ ନିର୍ମିତ, ହତ୍ୟା କରିବା ନିମନ୍ତେ ତାହା ତୀକ୍ଷ୍ଣ କରାଯାଇଅଛି।
16 ତୁମ୍ଭେ ଆପଣାକୁ ଏକତ୍ର କର, ଡାହାଣକୁ ଯାଅ, ଆପଣାକୁ ସଜାଇ ବାମ ପ୍ରତି ଯାଅ; ଯେକୌଣସି ପ୍ରତି ତୁମ୍ଭର ମୁଖ ରଖାଯାଇଅଛି (ଆପଣାକୁ ପ୍ରସ୍ତୁତ କର)।
17 ଆମ୍ଭେ ମଧ୍ୟ ଆପଣାର ଦୁଇ ହସ୍ତ ଏକତ୍ର ମାରିବା ଓ ଆମ୍ଭେ ଆପଣା କୋପକୁ ତୃପ୍ତ କରାଇବା,” ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
18 ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ, 19 “ହେ ମନୁଷ୍ୟ-ସନ୍ତାନ, ବାବିଲ ରାଜାର ଖଡ୍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇ ପଥ ନିରୂପଣ କର; ସେ ଦୁଇ ପଥ ଏକ ଦେଶରୁ ଆସିବ; ଆଉ, ତୁମ୍ଭେ ଏକ ସ୍ଥାନ ଚିହ୍ନିତ କର, ନଗରଗାମୀ ପଥ ମୁଣ୍ଡରେ ଚିହ୍ନିତ କର। 20 ଅମ୍ମୋନ-ସନ୍ତାନଗଣର ରବ୍ବାକୁ ଓ ପ୍ରାଚୀର-ବେଷ୍ଟିତ ଯିରୂଶାଲମସ୍ଥ ଯିହୁଦାକୁ ଖଡ୍ଗ ଆସିବା ନିମନ୍ତେ ତୁମ୍ଭେ ପଥ ପ୍ରସ୍ତୁତ କର। 21 କାରଣ ବାବିଲ ରାଜା ମନ୍ତ୍ର ପାଠ କରିବା ନିମନ୍ତେ ଦୁଇ ପଥର ସଙ୍ଗମ ସ୍ଥାନରେ, ଅର୍ଥାତ୍‍, ଦୁଇ ପଥର ମୁଣ୍ଡରେ ଠିଆ ହେଲା; ସେ ତୀରସବୁ ଏଣେତେଣେ ହଲାଇଲା, ସେ ଠାକୁରମାନଙ୍କୁ ମନ୍ତ୍ରଣା ପଚାରିଲା, ସେ ଯକୃତ ନିରୀକ୍ଷଣ କଲା।
22 ତାହାର ଦକ୍ଷିଣ ହସ୍ତରେ ଯିରୂଶାଲମ ନାମରେ, ଅର୍ଥାତ୍‍, ସେହି ସ୍ଥାନରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବଧଆଜ୍ଞା ଦେବାକୁ,
ଉଚ୍ଚସ୍ୱରରେ ସିଂହନାଦ କରିବାକୁ, ନଗରର ଦ୍ୱାରସମୂହର ବିରୁଦ୍ଧରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ,
ବନ୍ଧ ବାନ୍ଧିବାକୁ ଓ ଦୁର୍ଗ ନିର୍ମାଣ କରିବାକୁ ଯିରୂଶାଲମର ନାମରେ ମନ୍ତ୍ର ଉଠିଲା।
23 ମାତ୍ର ସେମାନଙ୍କ ପ୍ରତି, ଅର୍ଥାତ୍‍, ଯେଉଁମାନେ ଥରକୁଥର ସେମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେମାନଙ୍କ ଦୃଷ୍ଟିରେ ତାହା ମିଥ୍ୟା ବୋଧ ହେବ;
ତଥାପି ସେମାନେ ଯେପରି ଧରାଯିବେ, ଏଥିପାଇଁ ସେ ସେମାନଙ୍କର ଅଧର୍ମ ସ୍ମରଣରେ ଆଣିବେ।
24 ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନଙ୍କର ଆଜ୍ଞା-ଲଙ୍ଘନସବୁ ଅନାବୃତ ହେବାରେ ତୁମ୍ଭେମାନେ ଆପଣାମାନଙ୍କର ଅଧର୍ମ ସ୍ମରଣ କରାଇଅଛ,
ଏଥିପାଇଁ ତୁମ୍ଭମାନଙ୍କର ସକଳ କ୍ରିୟାରେ ତୁମ୍ଭମାନଙ୍କର ପାପ ପ୍ରକାଶ ପାଏ; ତୁମ୍ଭେମାନେ ସ୍ମରଣରେ ଆସିବାରୁ ତୁମ୍ଭେମାନେ ହସ୍ତରେ ଧରାଯିବ।
25 ପୁଣି, ହେ ଆହତ ଦୁଷ୍ଟ ଇସ୍ରାଏଲୀୟ ଅଧିପତି, ଅନ୍ତିମ ଅପରାଧ ସମୟରେ ତୁମ୍ଭର ଦିନ ଉପସ୍ଥିତ ହୋଇଅଛି;
26 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ; ଏହା ସେହିପରି ଆଉ ରହିବ ନାହିଁ; ଯାହା ନୀଚ, ତାହାକୁ ଉଚ୍ଚ କର ଓ ଯାହା ଉଚ୍ଚ, ତାହାକୁ ନୀଚ କର। 27 ଆମ୍ଭେ ତାହା ଓଲଟାଇ ପକାଇବା, ଓଲଟାଇ ପକାଇବା, ଓଲଟାଇ ପକାଇବା; ଯେ ଅଧିକାରୀ ଅଟନ୍ତି, ସେ ନ ଆସିବା ପର୍ଯ୍ୟନ୍ତ ଏହା ମଧ୍ୟ ଆଉ ରହିବ ନାହିଁ, ତହୁଁ ଆମ୍ଭେ ତାହାଙ୍କୁ ଏହା ଦେବା।
28 ପୁଣି ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଅମ୍ମୋନ-ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି; ତୁମ୍ଭେ କୁହ, ଅନ୍ତିମ ଅଧର୍ମ ସମୟରେ ଯେଉଁମାନଙ୍କର ଦିନ ଉପସ୍ଥିତ ହୋଇଅଛି, ଏପରି ଆହତ ଦୁଷ୍ଟ ଲୋକମାନଙ୍କର ଗ୍ରୀବା ଉପରେ ତୁମ୍ଭକୁ ଥୋଇବା ନିମନ୍ତେ ଲୋକମାନେ ତୁମ୍ଭ ପାଇଁ ଅସାର ଦର୍ଶନ ପାଇଲେ ହେଁ ଓ ତୁମ୍ଭ ନିକଟରେ ମିଥ୍ୟା ମନ୍ତ୍ର ପାଠ କଲେ ହେଁ, 29 ଖଡ୍ଗ, ଖଡ୍ଗ ନିଷ୍କୋଷ ହୋଇଅଛି, ହତ୍ୟା ଓ ଗ୍ରାସ କରିବା ନିମନ୍ତେ ତାହା ଯେପରି ବିଦ୍ୟୁତ୍ ପରି ହେବ, ଏଥିପାଇଁ ତାହା ମାର୍ଜିତ ହୋଇଅଛି। 30 ତାକୁ ପୁନର୍ବାର ତାହାର କୋଷକୁ ଫେରାଇ ଆଣ। ତୁମ୍ଭେ ଯେଉଁ ସ୍ଥାନରେ ସୃଷ୍ଟ ହୋଇଥିଲ ଓ ଯେଉଁ ଦେଶରେ ତୁମ୍ଭେ ଜନ୍ମ ହୋଇଥିଲ, ସେଠାରେ ଆମ୍ଭେ ତୁମ୍ଭର ବିଚାର କରିବା। 31 ଆଉ, ଆମ୍ଭେ ତୁମ୍ଭ ଉପରେ ଆପଣା କ୍ରୋଧ ଢାଳିବା; ଆମ୍ଭେ ତୁମ୍ଭ ଉପରେ ଆପଣା କୋପରୂପ ଅଗ୍ନି ଫୁଙ୍କିବା; ପୁଣି, ଆମ୍ଭେ ପଶୁବତ୍‍ ଓ ବିନାଶ କରିବାକୁ ନିପୁଣ ଲୋକମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା। 32 ତୁମ୍ଭେ ଅଗ୍ନି ପାଇଁ ଜାଳ ସ୍ୱରୂପ ହେବ; ତୁମ୍ଭର ରକ୍ତ ଦେଶ ମଧ୍ୟରେ ପତିତ ହେବ; ତୁମ୍ଭେ ଆଉ ସ୍ମୃତିପଥରେ ଆସିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।”