ଏଜ୍ରା ପୁସ୍ତକ
ଲେଖକ
ଏବ୍ରୀ ପରମ୍ପରା ଅନୁସାରେ ଏହି ପୁସ୍ତକର ଲେଖକ ଏଜ୍ରା ଅଟନ୍ତି। ଏଜ୍ରା, ପ୍ରଧାନ ଯାଜକ ହାରୋଣଙ୍କର ଏକ ମୂଳ ବଂଶଧର ଥିଲେ ତାହା ଆପେକ୍ଷିକ ଭାବରେ ଅଜ୍ଞାତ ଅଟେ (7:1-5), ଏହିପରି, ସେ ଜଣେ ଯାଜକ ଓ ଜ୍ଞାନୀ ବ୍ୟକ୍ତି ଥିଲେ। ପରମେଶ୍ୱରଙ୍କ ପ୍ରତି ତାହାଙ୍କର ଉତ୍ସାହ ଏବଂ ପରମେଶ୍ୱରଙ୍କର ବ୍ୟବସ୍ଥା ତାହାଙ୍କୁ ଯିହୁଦୀ ଲୋକମାନଙ୍କର ଏକ ସମୂହକୁ, ରାଜା ଅର୍ତ୍ତକ୍ଷସ୍ତଙ୍କ ପାରସ୍ୟ ସାମ୍ରାଜ୍ୟରେ ଶାସନ ସମୟରେ, ଇସ୍ରାଏଲକୁ ଫେରେଇ ଆଣିବାକୁ ଉତ୍ସାହିତ କଲା।
ସମୟ ଓ ସ୍ଥାନ
ପ୍ରାୟ 457-440 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ବାବିଲରୁ ଫେରି ଆସିବା ପରେ କାର୍ଯ୍ୟଗୁଡ଼ିକ ଯିହୁଦା, ସମ୍ଭବତଃ, ଯିରୂଶାଲମରେ ଲିପିବଦ୍ଧ କରାଯାଇଅଛି।
ପ୍ରାପକ
ନିର୍ବାସନ ପରେ ଯିରୂଶାଲମରେ ଇସ୍ରାଏଲ ଲୋକ ଏବଂ ଶାସ୍ତ୍ରର ସମସ୍ତ ପରବର୍ତ୍ତୀ ପାଠକମାନେ।
ଉଦ୍ଦେଶ୍ୟ
ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ତାହାଙ୍କ ନିକଟକୁ ପୁଣିଥରେ ଫେରାଇ ଆଣିବା, ଏବଂ ଶାରୀରିକ ଭାବରେ ସେମାନଙ୍କୁ ସେମାନଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ କରେଇବା ଏବଂ ଆତ୍ମିକ ଭାବରେ ପାପରୁ ଅନୁତାପ କରେଇବା ନିମନ୍ତେ, ଏଜ୍ରାଙ୍କୁ ଏକ ଆଦର୍ଶ ଭାବରେ ବ୍ୟବହାର କଲେ। ଯେତେବେଳେ ଆମ୍ଭେମାନେ ପ୍ରଭୁଙ୍କର କାର୍ଯ୍ୟ କରୁ, ଆମ୍ଭେମାନେ ଅବିଶ୍ୱାସୀ ଓ ଆତ୍ମିକ ଶକ୍ତିଗୁଡ଼ିକଠାରୁ ବିରୋଧର ସମ୍ମୁଖୀନ ହୋଇପାରୁ, ଯଦି ଆମ୍ଭେମାନେ ପୂର୍ବରୁ ପ୍ରସ୍ତୁତ ରହିବା ତେବେ ଆମ୍ଭେମାନେ ବିରୋଧକୁ ସମ୍ମୁଖୀନ କରିବାକୁ ସୁସଜ୍ଜିତ ରହିବା। ବିଶ୍ୱାସ ଦ୍ଵାରା ଆମ୍ଭମାନଙ୍କର ପ୍ରଗତିର ପଥକୁ ରୋକିବା ନିମନ୍ତେ ଆମ୍ଭେମାନେ ଅନୁମତି ଦେବା ନାହିଁ। ଏଜ୍ରା ପୁସ୍ତକ ଆମ୍ଭମାନଙ୍କୁ ସ୍ମରଣ କରାଏ ଯେ ଆମ୍ଭମାନଙ୍କ ଜୀବନରେ ପରମେଶ୍ୱରଙ୍କ ଯୋଜନାକୁ ପୂରା ହେବାକୁ ଅସମର୍ଥ କରୁଥିବା ଦୁଇଟି ବଡ଼ ପ୍ରତିବନ୍ଧକ ହେଲେ ନିରୁତ୍ସାହ ଏବଂ ଭୟ।
ବିଷୟବସ୍ତୁ
ପୁନଃରୁଦ୍ଧାର
ରୂପରେଖା
1. ଯିରୁବ୍ବାବିଲ୍‍ଙ୍କ ଅଧୀନରେ ପ୍ରଥମ ପ୍ରତ୍ୟାବର୍ତ୍ତନ — 1:1-6:22
2. ଏଜ୍ରାଙ୍କ ଅଧୀନରେ ଦ୍ୱିତୀୟ ପ୍ରତ୍ୟାବର୍ତ୍ତନ — 7:1-10:44
1
କୋରସ୍‍ଙ୍କ ଘୋଷଣାନାମା
ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍‍ର ମନକୁ ଉଦ୍ଦୀପିତ କରନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, ଯଥା,
“ପାରସ୍ୟର ରାଜା କୋରସ୍‍ ଏହା କହନ୍ତି, ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯିହୁଦା ଦେଶସ୍ଥିତ ଯିରୂଶାଲମକୁ ଯାତ୍ରା କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣ କରୁ; ସେ ପରମେଶ୍ୱର ଅଟନ୍ତି। ଆଉ, ଯେକେହି ଯେକୌଣସି ସ୍ଥାନରେ ଅବଶିଷ୍ଟ ଥାଇ ପ୍ରବାସ କରୁଅଛି, ତାହାର ସେହି ସ୍ଥାନସ୍ଥ ଲୋକମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହ ନିମନ୍ତେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଛଡ଼ା ରୂପା ଓ ସୁନା, ନାନା ଦ୍ରବ୍ୟ ଓ ପଶୁ ଦେଇ ତାହାର ସାହାଯ୍ୟ କରନ୍ତୁ।”
ସେତେବେଳେ ଯିହୁଦାର ଓ ବିନ୍ୟାମୀନ୍‍ର ପିତୃବଂଶୀୟ ପ୍ରଧାନମାନେ, ଆଉ ଯାଜକମାନେ ଓ ଲେବୀୟମାନେ, ଅର୍ଥାତ୍‍, ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହ ନିର୍ମାଣାର୍ଥେ ଯାତ୍ରା କରିବା ପାଇଁ ପରମେଶ୍ୱର ଯେଉଁ ସମସ୍ତଙ୍କ ମନକୁ ଉଦ୍ଦୀପିତ କଲେ, ସେମାନେ ଉଠିଲେ। ପୁଣି, ସ୍ଵେଚ୍ଛାଦତ୍ତ ଦ୍ରବ୍ୟ ଛଡ଼ା ସେମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକ ସମସ୍ତେ ରୌପ୍ୟମୟ ପାତ୍ର, ସ୍ୱର୍ଣ୍ଣ, ନାନା ଦ୍ରବ୍ୟ ଓ ପଶୁ ଓ ବହୁମୂଲ୍ୟ ଦ୍ରବ୍ୟ ଦେଇ ସେମାନଙ୍କର ହସ୍ତ ସବଳ କଲେ। ଆଉ, ନବୂଖଦ୍‍ନିତ୍ସର ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ଯିରୂଶାଲମରୁ ଆଣି ଆପଣା ଦେବ ମନ୍ଦିରରେ ରଖିଥିଲା, କୋରସ୍‍ ରାଜା ତାହାସବୁ ବାହାର କରି ଆଣିଲା। ପାରସ୍ୟର ରାଜା କୋରସ୍‍ କୋଷାଧ୍ୟକ୍ଷ ମିତ୍ରଦାତର ହସ୍ତ ଦ୍ୱାରା ତାହାସବୁ ବାହାର କରି ଆଣି ଯିହୁଦାର ଅଧିପତି ଶେଶବସରକୁ ଗଣନା କରିଦେଲା। ସେହି ଦ୍ରବ୍ୟର ସଂଖ୍ୟା ଏହି; ତିରିଶ ସୁନା ଥାଳୀ, ଏକ ହଜାର ରୂପାଥାଳୀ, ଅଣତିରିଶ ଛୁରୀ; 10 ତିରିଶ ସ୍ୱର୍ଣ୍ଣମୟ ପାନପାତ୍ର, ଚାରି ଶହ ଦଶ ରୌପ୍ୟମୟ ମଧ୍ୟମ ପାନପାତ୍ର, ପୁଣି ଏକ ସହସ୍ର ଅନ୍ୟାନ୍ୟ ପାତ୍ର, 11 ସର୍ବସୁଦ୍ଧା ପାଞ୍ଚ ହଜାର ଚାରି ଶହ ସ୍ୱର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା; ବନ୍ଦୀ ଲୋକମାନେ ବାବିଲରୁ ଯିରୂଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଲା।