ଆୟୁବ ପୁସ୍ତକ
ଲେଖକ
ଆୟୁବ ପୁସ୍ତକର ଲେଖକ ଅଜ୍ଞାତ, କୌଣସି ଲେଖକଙ୍କୁ ଚିହ୍ନଟ କରାଯାଇ ନାହିଁ। ସେଠାରେ ଏକାଧିକ ଲେଖକ ଥିଲେ। ସମ୍ଭବତଃ, ଆୟୁବ ପୁସ୍ତକ ବାଇବଲର ଅନ୍ୟ ପୁସ୍ତକଗୁଡ଼ିକ ଠାରୁ ପୁରାତନ ପୁସ୍ତକ ଅଟେ। ଆୟୁବ ଜଣେ ଉତ୍ତମ ଓ ଧର୍ମନିଷ୍ଠ ବ୍ୟକ୍ତି ଥିଲେ, ଯିଏ ଅସହ୍ୟ ଦୁଃଖଭୋଗ କରିଥିଲେ ଏବଂ ତାହାଙ୍କର ପରିବାର ଏବଂ ସାଙ୍ଗମାନେ, ତାହାଙ୍କ ପ୍ରତି ସେହିପରି ବିପତ୍ତି କିପରି ଘଟିଥିଲା ତାହା ଅନୁସନ୍ଧାନ କରିବାକୁ ଚେଷ୍ଟା କଲେ। ଏହି ପୁସ୍ତକର ମୁଖ୍ୟ ଚରିତ୍ରଗୁଡ଼ିକ ହେଲେ, ଆୟୁବ, ତୈମନୀୟ ଇଲୀଫସ୍‍, ଶୂହୀୟ ବିଲ୍‍ଦଦ୍‍ ଓ ନାମାଥୀୟ ସୋଫର, ବୁଯୀୟ ଇଲୀହୂ।
ସମୟ ଓ ସ୍ଥାନ
ଅଜ୍ଞାତ
ଏହି ପୁସ୍ତକର ଅଧିକାଂଶ ଅଂଶ ପ୍ରକାଶ କରେ ଯେ ଏହା ନିର୍ବାସନ ସମୟରେ କିମ୍ବା ନିର୍ବାସନ ପରେ ଲେଖାଯାଇଥିଲା ଏବଂ ଇଲୀହୂ ଅଧ୍ୟାୟଗୁଡ଼ିକ ହୁଏତ, ପରବର୍ତ୍ତୀ ସମୟରେ ଲେଖାଯାଇଅଛି।
ପ୍ରାପକ
ପ୍ରାଚୀନ ଯିହୁଦୀ ଏବଂ ବାଇବଲର ପରବର୍ତ୍ତୀ ସମସ୍ତ ପାଠକମାନେ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଆୟୁବ ପୁସ୍ତକର ମୂଳ ପ୍ରାପକ ଦାସତ୍ଵ ଇସ୍ରାଏଲମାନଙ୍କର ସନ୍ତାନମାନେ ଥିଲେ। ଏହା ବିଶ୍ୱାସ କରାଯାଏ ଯେ, ମିସରରେ ଯନ୍ତ୍ରଣା ଭୋଗୁଥିବା ଇସ୍ରାଏଲ ଲୋକମାନଙ୍କୁ କିଛି ଆଶ୍ଵସ୍ତ ଦେବାକୁ ମୋଶା ଅଭିପ୍ରେତ ଥିଲେ।
ଉଦ୍ଦେଶ୍ୟ
ଆୟୁବ ପୁସ୍ତକ ନିମ୍ନଲିଖିତ ବିଷୟଗୁଡ଼ିକ ବୁଝିବା ନିମନ୍ତେ ଆମ୍ଭମାନଙ୍କୁ ସାହାଯ୍ୟ କରେ: ଶୟତାନ ଆମ୍ଭମାନଙ୍କ ଉପରକୁ କୌଣସି ଆର୍ଥିକ କିମ୍ବା ଶାରୀରିକ ବିନାଶ କରିପାରେ ନାହିଁ, ଶୟତାନ ଯାହା କରିବାକୁ ସମର୍ଥ ଏବଂ ଅସମର୍ଥ ସେସବୁ ଉପରେ ପରମେଶ୍ୱରଙ୍କ ଶକ୍ତି ଅଛି। ଦୁନିଆର ସମସ୍ତ ଦୁଃଖଭୋଗ ପଛରେ ଥିବା ସମସ୍ତ “କାହିଁକି” ଗୁଡ଼ିକ ବୁଝିବା ମନୁଷ୍ୟର ବୁଝିବା ଶକ୍ତି ବାହାରେ। ଦୁଷ୍ଟମାନେ ଆପଣା ଆପଣା କର୍ମନୁସାରେ ଫଳ ପାଇବେ। ଆତ୍ମାକୁ ସାମର୍ଥ୍ୟ କିମ୍ବା ଶିକ୍ଷା ଦେବାକୁ କିମ୍ବା ପରୀକ୍ଷା କରିବାକୁ କିମ୍ବା ପବିତ୍ର କରିବାକୁ ଆମ୍ଭମାନଙ୍କ ଜୀବନରେ ହୁଏତ, ବେଳେବେଳେ ଦୁଃଖକୁ ଅନୁମତି ମିଳି ଥାଏ।
ବିଷୟବସ୍ତୁ
ଦୁଃଖଭୋଗ ଦ୍ଵାରା ଆଶୀର୍ବାଦ
ରୂପରେଖା
1. ଉପକ୍ରମ ଏବଂ ଶୟତାନର ଆକ୍ରମଣ — 1:1-2:13
2. ଆୟୁବ ତାହାଙ୍କର ଦୁଃଖଭୋଗ ବିଷୟରେ ତିନି ବନ୍ଧୁଙ୍କ ସହ ଆଲୋଚନା — 3:1-31:40
3. ଇଲୀହୂ ପରମେଶ୍ୱରଙ୍କ ଉତ୍ତମତାକୁ ଘୋଷଣା କଲେ — 32:1-37:24
4. ପରମେଶ୍ୱର ଆୟୁବଙ୍କ ନିକଟରେ ତାଙ୍କର ସାର୍ବଭୌମତ୍ଵ ପ୍ରକାଶ କରନ୍ତି — 38:1-41:34
5. ପରମେଶ୍ୱର ଆୟୁବଙ୍କୁ ପୁନଃରୁଦ୍ଧାର କରନ୍ତି — 42:1-17
1
ଶୟତାନ ଦ୍ୱାରା ଆୟୁବ ପରୀକ୍ଷିତ
ଊଷ ଦେଶରେ ଆୟୁବ ନାମକ ଏକ ବ୍ୟକ୍ତି ଥିଲା; ଆଉ ସେ ସିଦ୍ଧ, ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଥିଲା। ପୁଣି, ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଥିଲେ। ମଧ୍ୟ ତାହାର ସମ୍ପତ୍ତି ସାତ ହଜାର ମେଷ, ତିନି ହଜାର ଉଷ୍ଟ୍ର, ପାଞ୍ଚ ଶହ ହଳ ବଳଦ, ପାଞ୍ଚ ଶହ ଗର୍ଦ୍ଦଭୀ ଓ ଅନେକ ଦାସଦାସୀ ଥିଲେ। ତେଣୁ ସେ ପୂର୍ବଦେଶୀୟ ସମସ୍ତ ଲୋକଙ୍କ ଅପେକ୍ଷା ମହାନ ହୋଇଥିଲା। ଆଉ, ତାହାର ପୁତ୍ରମାନେ ଯାଇ ପ୍ରତ୍ୟେକେ ଆପଣା ଆପଣା ଦିନରେ ଆପଣା ଆପଣା ଗୃହରେ ଭୋଜ କଲେ; ପୁଣି ସେମାନେ ଲୋକ ପଠାଇ ଆପଣାମାନଙ୍କ ସଙ୍ଗେ ଭୋଜନ ଓ ପାନ କରିବା ପାଇଁ ଆପଣାମାନଙ୍କ ତିନି ଭଗିନୀଙ୍କୁ ନିମନ୍ତ୍ରଣ କଲେ। ପୁଣି, ପାଳିକ୍ରମେ ସେମାନଙ୍କ ଭୋଜର ଦିନ ଗତ ହୁଅନ୍ତେ, ଆୟୁବ ସେମାନଙ୍କୁ ଡକାଇ ପବିତ୍ର କଲା ଓ ଅତି ପ୍ରଭାତରେ ଉଠି ସେ ସମସ୍ତଙ୍କ ପାଇଁ ହୋମବଳି ଉତ୍ସର୍ଗ କଲା; କାରଣ ଆୟୁବ କହିଲା, “ହୋଇପାରେ, ଆମ୍ଭର ପିଲାମାନେ ପାପ କରିଥିବେ ଓ ମନେ ମନେ ପରମେଶ୍ୱରଙ୍କୁ ଅଭିଶାପ କରିଥିବେ।” ଏହିରୂପେ ଆୟୁବ ସର୍ବଦା କଲା।
ଦିନକରେ ପରମେଶ୍ୱରଙ୍କ ଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ମଧ୍ୟ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲା। ଏଥିରେ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ପୃଥିବୀରେ ଏଣେତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି।” ତହୁଁ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ?” ତେବେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ଆୟୁବ କʼଣ ଅକାରଣରେ ପରମେଶ୍ୱରଙ୍କୁ ଭୟ କରୁଅଛି? 10 ତୁମ୍ଭେ କʼଣ ତାହାର ଚତୁର୍ଦ୍ଦିଗରେ, ପୁଣି ତାହାର ଗୃହର ଓ ତାହାର ସର୍ବସ୍ୱର ଚତୁର୍ଦ୍ଦିଗରେ ବାଡ଼ ଦେଇ ନାହଁ? ତୁମ୍ଭେ ତାହାର ହସ୍ତକୃତ କାର୍ଯ୍ୟରେ ଆଶୀର୍ବାଦ ଦେଇଅଛ ଓ ଦେଶରେ ତାହାର ସମ୍ପତ୍ତି ବୃଦ୍ଧି ପାଇଅଛି। 11 ମାତ୍ର ଏବେ ଆପଣା ହସ୍ତ ବିସ୍ତାର କରି ତାହାର ସର୍ବସ୍ୱ ସ୍ପର୍ଶ କର, ତହିଁରେ ସେ ତୁମ୍ଭକୁ ତୁମ୍ଭ ମୁଖ ଆଗରେ ପରିତ୍ୟାଗ କରିବ।” 12 ତହୁଁ ସଦାପ୍ରଭୁ ଶୟତାନକୁ କହିଲେ, “ଦେଖ, ତାହାର ସର୍ବସ୍ୱରେ ତୁମ୍ଭର କ୍ଷମତା ଅଛି; କେବଳ ତାହାରି ଉପରେ ତୁମ୍ଭେ ହସ୍ତ ନ ଦିଅ।” ତହିଁରେ ଶୟତାନ ସଦାପ୍ରଭୁଙ୍କ ସାକ୍ଷାତରୁ ବାହାରିଗଲା।
ଆୟୁବଙ୍କ ସନ୍ତାନ ଓ ସମ୍ପଦର ବିନାଶ
13 ଆଉ, ଦିନେ ତାହାର ପୁତ୍ର ଓ କନ୍ୟାଗଣ ଆପଣାମାନଙ୍କ ଜ୍ୟେଷ୍ଠ ଭ୍ରାତାର ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ, 14 ଏପରି ସମୟରେ ଆୟୁବ ନିକଟକୁ ଏକ ଦୂତ ଆସି କହିଲା, “ବଳଦମାନେ ହଳ ବୁଲାଉଥିଲେ ଓ ସେମାନଙ୍କ ନିକଟରେ ଗର୍ଦ୍ଦଭୀମାନେ ଚରୁଥିଲେ; 15 ଏଥିମଧ୍ୟରେ ଶିବାୟୀୟମାନେ ଆକ୍ରମଣ କରି ସେମାନଙ୍କୁ ନେଇଗଲେ; ଆହୁରି, ସେମାନେ ଖଡ୍ଗଧାରରେ ଦାସମାନଙ୍କୁ ବଧ କଲେ; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।” 16 ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “ଆକାଶରୁ ପରମେଶ୍ୱରଙ୍କ ଅଗ୍ନି ପଡ଼ି ମେଷପଲ ଓ ଦାସମାନଙ୍କୁ ଦଗ୍ଧ କରି ଗ୍ରାସ କରିଅଛି; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।” 17 ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “କଲ୍‍ଦୀୟମାନେ ତିନି ଦଳ ହୋଇ ଉଷ୍ଟ୍ରପଲ ଆକ୍ରମଣ କରି ସେମାନଙ୍କୁ ନେଇଗଲେ, ଆହୁରି ଖଡ୍ଗଧାରରେ ଦାସମାନଙ୍କୁ ବଧ କଲେ; ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।” 18 ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, “ଆପଣଙ୍କ ପୁତ୍ର ଓ କନ୍ୟାଗଣ ସେମାନଙ୍କ ଜ୍ୟେଷ୍ଠ ଭ୍ରାତାର ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ; 19 ଏଥିମଧ୍ୟରେ, ଦେଖନ୍ତୁ, ପ୍ରାନ୍ତର ଆଡ଼ୁ ପ୍ରବଳ ବାୟୁ ଆସି ଗୃହର ଚାରି କୋଣରେ ଲାଗନ୍ତେ, ତାହା ଯୁବକମାନଙ୍କ ଉପରେ ପଡ଼ିଲା, ତହିଁରେ ସେମାନେ ମଲେ; ପୁଣି, ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି।”
20 ସେତେବେଳେ ଆୟୁବ ଉଠି ଆପଣା ବସ୍ତ୍ର ଚିରିଲା ଓ ଆପଣା ମସ୍ତକ କ୍ଷୌର କଲା ଓ ଭୂମିରେ ପଡ଼ି ଉପାସନା କଲା; 21 ଆଉ, ସେ କହିଲା, “ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ଓ ମୁଁ ଉଲଙ୍ଗ ହୋଇ ସେଠାକୁ ଫେରିଯିବି; ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି; ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ।”
22 ଏହିସବୁରେ ଆୟୁବ ପାପ କଲା ନାହିଁ, ଅବା ପରମେଶ୍ୱରଙ୍କ ଉପରେ ଅବିବେଚନାର ଦୋଷାରୋପ କଲା ନାହିଁ।