5
ଏବେ ଡାକ, ତୁମ୍ଭକୁ ଉତ୍ତର ଦେବାକୁ କʼଣ କେହି ଅଛି?
ପୁଣି, ପବିତ୍ରଗଣ ମଧ୍ୟରୁ ତୁମ୍ଭେ କାହାର ଅନୁସରଣ କରିବ?
କାରଣ ବିରକ୍ତି ଅଜ୍ଞାନକୁ ନାଶ କରେ
ଓ ଅନ୍ତର୍ଜ୍ୱାଳା ନିର୍ବୋଧକୁ ବଧ କରେ।
ଅଜ୍ଞାନର ଚେର ମାଡ଼ିବାର ମୁଁ ଦେଖିଅଛି;
ମାତ୍ର ହଠାତ୍‍ ତାହାର ବାସସ୍ଥାନକୁ ମୁଁ ଅଭିଶାପ ଦେଲି।
ତାହାର ସନ୍ତାନଗଣ ସୁରକ୍ଷାଠାରୁ ଦୂରରେ ଅଛନ୍ତି
ଓ ସେମାନେ ନଗର-ଦ୍ୱାରରେ ମର୍ଦ୍ଦିତ ହୁଅନ୍ତି,
ଅବା ସେମାନଙ୍କୁ ଉଦ୍ଧାର କରିବାକୁ କେହି ନ ଥାଏ।
କ୍ଷୁଧିତ ଲୋକ ସେମାନଙ୍କର ଶସ୍ୟ ଖାଇଯାʼନ୍ତି
ଓ କଣ୍ଟା ମଧ୍ୟରୁ ହିଁ ତାହା ନେଇଯାʼନ୍ତି,
ଆଉ ଜାଲ ସେମାନଙ୍କ ସମ୍ପତ୍ତିକୁ ଚାହିଁକରି ଥାଏ।
କାରଣ କ୍ଳେଶ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ,
କିଅବା ଦୁଃଖ ଭୂମିରୁ ଅଙ୍କୁରିତ ହୁଏ ନାହିଁ;
ମାତ୍ର ଅଗ୍ନିକଣିକା ଯେପରି ଉପରକୁ ଉଠେ,
ସେହିପରି ମନୁଷ୍ୟ ଦୁଃଖ ନିମନ୍ତେ ଜାତ ଅଟେ।
ମାତ୍ର ମୁଁ ପରମେଶ୍ୱରଙ୍କର ଅନ୍ଵେଷଣ କରିବି
ଓ ମୁଁ ଆପଣା ବିଷୟ ପରମେଶ୍ୱରଙ୍କଠାରେ ସମର୍ପଣ କରିବି।
ପରମେଶ୍ୱର ମହାନ, ଅନନୁସନ୍ଧେୟ
ଏବଂ ଅସଂଖ୍ୟ ଆଶ୍ଚର୍ଯ୍ୟକର୍ମ କରନ୍ତି;
10 ସେ ପୃଥିବୀରେ ବୃଷ୍ଟି ପ୍ରଦାନ କରନ୍ତି
ଓ କ୍ଷେତ୍ରକୁ ଜଳ ପଠାନ୍ତି।
11 ଏହିରୂପେ ସେ ନୀଚ ଲୋକକୁ ଉଚ୍ଚରେ ସ୍ଥାପନ କରନ୍ତି
ଓ ଶୋକାର୍ତ୍ତମାନଙ୍କୁ ରକ୍ଷା କରି ଉନ୍ନତ କରନ୍ତି।
12 ସେ ଧୂର୍ତ୍ତମାନଙ୍କର କଳ୍ପନା ବ୍ୟର୍ଥ କରନ୍ତି,
ତେଣୁ ସେମାନଙ୍କ ହସ୍ତ ସେମାନଙ୍କ କାର୍ଯ୍ୟ ସାଧନ କରିପାରେ ନାହିଁ।
13 ସେ ବୁଦ୍ଧିମାନ ଲୋକଙ୍କୁ ସେମାନଙ୍କ ଧୂର୍ତ୍ତତାରେ ଧରନ୍ତି
ଓ କୁଟିଳମନାମାନଙ୍କ ମନ୍ତ୍ରଣା ଶୀଘ୍ର ବିଫଳ ହୁଏ।
14 ସେମାନେ ଦିନ ବେଳେ ଅନ୍ଧକାରଗ୍ରସ୍ତ ହୁଅନ୍ତି,
ପୁଣି ମଧ୍ୟାହ୍ନରେ ରାତ୍ରିକାଳର ନ୍ୟାୟ ଦରାଣ୍ଡି ହୁଅନ୍ତି।
15 ମାତ୍ର ସେ ଦୀନହୀନକୁ ସେମାନଙ୍କ ଖଡ୍ଗରୂପ ମୁଖରୁ
ଓ ପରାକ୍ରମୀମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି।
16 ଏହେତୁ ଦରିଦ୍ର ଭରସା ପାଏ
ଓ ଅଧର୍ମ ନିଜ ମୁଖ ବନ୍ଦ କରେ।
17 ଦେଖ, ପରମେଶ୍ୱର ଯାହାକୁ ଶାସନ କରନ୍ତି, ସେ ମନୁଷ୍ୟ ଧନ୍ୟ;
ଏହେତୁ ତୁମ୍ଭେ ସର୍ବଶକ୍ତିମାନଙ୍କର ଶାସ୍ତି ତୁଚ୍ଛ ନ କର।
18 କାରଣ ସେ କ୍ଷତ କରନ୍ତି ଓ ବାନ୍ଧନ୍ତି;
ସେ ଆଘାତ କରନ୍ତି ଓ ତାହାଙ୍କ ହସ୍ତ ସୁସ୍ଥ କରଇ;
19 ସେ ଛଅଗୋଟି ସଙ୍କଟରୁ ତୁମ୍ଭକୁ ଉଦ୍ଧାର କରିବେ;
ଆହୁରି, ସାତ ସଙ୍କଟରୁ ତୁମ୍ଭକୁ କୌଣସି ଅମଙ୍ଗଳ ସ୍ପର୍ଶ କରିବ ନାହିଁ।
20 ଦୁର୍ଭିକ୍ଷ ସମୟରେ ସେ ତୁମ୍ଭକୁ ମୃତ୍ୟୁୁରୁ
ଓ ଯୁଦ୍ଧରେ ଖଡ୍ଗର ବଳରୁ ମୁକ୍ତ କରିବେ।
21 ଜିହ୍ୱାର କୋରଡ଼ା-ପ୍ରହାରରୁ ତୁମ୍ଭେ ଗୋପନରେ ରଖାଯିବ;
କିଅବା ବିନାଶ ଉପସ୍ଥିତ ହେଲେ ତୁମ୍ଭେ ଭୀତ ନୋହିବ।
22 ତୁମ୍ଭେ ବିନାଶ ଓ ଦୁର୍ଭିକ୍ଷ ପ୍ରତି ହସିବ;
ଅଥବା ପୃଥିବୀର ପଶୁଗଣ ବିଷୟରେ ଭୟଗ୍ରସ୍ତ ନୋହିବ।
23 କାରଣ ପଦାର ପଥର ସଙ୍ଗେ ତୁମ୍ଭର ଚୁକ୍ତି ହେବ
ଓ ପଦାର ପଶୁଗଣ ତୁମ୍ଭ ସଙ୍ଗେ ଶାନ୍ତିରେ ରହିବେ।
24 ପୁଣି, ତୁମ୍ଭର ତମ୍ବୁ ଶାନ୍ତିରେ ଅଛି, ଏହା ତୁମ୍ଭେ ଜାଣିବ
ଓ ତୁମ୍ଭେ ଆପଣା ପଶୁଶାଳାକୁ ଗଲେ କିଛି ହଜି ନ ଥିବାର ଦେଖିବ।
25 ମଧ୍ୟ ତୁମ୍ଭର ବଂଶ ବହୁସଂଖ୍ୟକ
ଓ ତୁମ୍ଭର ସନ୍ତାନସନ୍ତତି ଭୂମିର ତୃଣ ପରି ହେବାର ଜାଣିବ।
26 ତୁମ୍ଭେ ଯଥା ସମୟରେ ଆନୀତ ଶସ୍ୟବିଡ଼ା ତୁଲ୍ୟ ପୂର୍ଣ୍ଣାୟୁ ହୋଇ ଆପଣା କବରକୁ ଆସିବ।
27 ଦେଖ, ଆମ୍ଭେମାନେ ତାହା ଅନୁସନ୍ଧାନ କରିଅଛୁ, ତାହା ସେପରି ଅଟେ;
ତାହା ଶୁଣ ଓ ଆପଣା ମଙ୍ଗଳ ନିମନ୍ତେ ତାହା ଜ୍ଞାତ ହୁଅ।”