16
ଆୟୁବ - ତୁମ୍ଭେ ସବୁ ମିଥ୍ୟା ସାନ୍ତ୍ୱନାକାରୀ
ଏଥିରେ ଆୟୁବ ଉତ୍ତର କରି କହିଲା,
“ମୁଁ ଏପରି ଅନେକ କଥା ଶୁଣିଅଛି;
ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ।
ଅସାର କଥାରେ କି ଶେଷ ଥାଏ?
ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି?
ମୁଁ ମଧ୍ୟ ତୁମ୍ଭମାନଙ୍କ ପରି କହି ପାରନ୍ତି;
ଯଦି ତୁମ୍ଭମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥାʼନ୍ତା,
ତେବେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି
ଓ ତୁମ୍ଭମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇ ପାରନ୍ତି।
ମାତ୍ର ମୁଁ ଆପଣା ମୁଖରେ ତୁମ୍ଭମାନଙ୍କୁ ସବଳ କରନ୍ତି
ଓ ମୋʼ ଓଷ୍ଠାଧରର ସାନ୍ତ୍ୱନା ତୁମ୍ଭମାନଙ୍କ ଦୁଃଖରେ ଉପଶମ କରନ୍ତା।
ମୁଁ କଥା କହିଲେ ହେଁ ମୋʼ ଦୁଃଖର ଉପଶମ ହେଉ ନାହିଁ;
ମୁଁ ନୀରବ ହେଲେ ହେଁ ମୋହର ଆରାମ ହୁଏ ନାହିଁ।
ମାତ୍ର ସେ ଏବେ ମୋତେ କ୍ଳାନ୍ତ କରିଅଛନ୍ତି;
ତୁମ୍ଭେ ମୋହର ସକଳ ସଙ୍ଗୀଦଳ ଶୂନ୍ୟ କରିଅଛ।
ପୁଣି, ତୁମ୍ଭେ ମୋତେ ଦୃଢ଼ କରି ଧରିଅଛ, ଏହା ମୋର ପ୍ରତିକୂଳରେ ସାକ୍ଷୀ ହୁଏ;
ଆଉ, ମୋʼ କ୍ଷୀଣତା ମୋʼ ପ୍ରତିକୂଳରେ ଉଠି
ମୋʼ ମୁଖ ଆଗରେ ସାକ୍ଷ୍ୟ ଦିଏ।
ସେ ନିଜ କୋପରେ ମୋତେ ବିଦୀର୍ଣ୍ଣ ଓ ତାଡ଼ନା କରିଅଛନ୍ତି;
ସେ ମୋʼ ଉପରେ ଦନ୍ତ କଡ଼ମଡ଼ କରିଅଛନ୍ତି;
ମୋହର ବିପକ୍ଷ ମୋʼ ଉପରେ ଆପଣା ଚକ୍ଷୁ ତୀବ୍ର କରିଅଛି।
10 ସେମାନେ ମୋʼ ଉପରେ ଆପଣା ଆପଣା ମୁଖ ମେଲା କରିଅଛନ୍ତି;
ସେମାନେ ଧିକ୍କାରପୂର୍ବକ ମୋʼ ଗାଲରେ ମାରିଅଛନ୍ତି;
ସେମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି।
11 ପରମେଶ୍ୱର ମୋତେ ଅଧାର୍ମିକମାନଙ୍କ ନିକଟରେ ସମର୍ପଣ କରନ୍ତି
ଓ ମୋତେ ଦୁଷ୍ଟମାନଙ୍କ ହସ୍ତରେ ପକାଇ ଦିଅନ୍ତି।
12 ମୁଁ ଆରାମରେ ଥିଲି, ସେ ମୋତେ ଭଗ୍ନ କଲେ;
ହଁ, ମୋʼ ବେକ ଧରି ମୋତେ କଚାଡ଼ି ଖଣ୍ଡ ଖଣ୍ଡ କରିଅଛନ୍ତି;
ମଧ୍ୟ ସେ ମୋତେ ଆପଣାର ଲକ୍ଷ୍ୟ ରୂପେ ସ୍ଥାପନ କରିଅଛନ୍ତି।
13 ତାହାଙ୍କ ଧନୁର୍ଦ୍ଧରମାନେ ମୋତେ ଚାରିଆଡ଼େ ଘେରିଅଛନ୍ତି,
ସେ ମୋହର ବୃକକ୍ ବିଦୀର୍ଣ୍ଣ କରନ୍ତି ଓ ଦୟା କରନ୍ତି ନାହିଁ;
ସେ ମୋହର ପିତ୍ତ ଭୂମିରେ ଢାଳନ୍ତି।
14 ସେ ମୋତେ ଭାଙ୍ଗିଭାଙ୍ଗି ଭାଙ୍ଗି ପକାନ୍ତି;
ସେ ବୀର ପରି ମୋର ଉପରକୁ ଧାଇଁ ଆସନ୍ତି।
15 ମୁଁ ଆପଣା ଚର୍ମ ଉପରେ ଅଖା ସିଁଇଅଛି
ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି।
16 ରୋଦନରେ ମୋହର ମୁଖ ବିକୃତ ହୋଇଅଛି
ଓ ମୃତ୍ୟୁଚ୍ଛାୟା ମୋʼ ଚକ୍ଷୁର ପତା ଉପରେ ଅଛି।
17 ତଥାପି ମୋʼ ହସ୍ତରେ ଦୌରାତ୍ମ୍ୟ ନାହିଁ
ଓ ମୋହର ପ୍ରାର୍ଥନା ନିର୍ମଳ।
18 ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ
ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମ-ସ୍ଥାନ ନ ପାଉ।
19 ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି
ଓ ମୋʼ ପକ୍ଷରେ ପ୍ରମାଣଦାତା ସ୍ୱର୍ଗରେ ଅଛନ୍ତି।
20 ମୋʼ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି;
ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ;
21 ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର
ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ।
22 କାରଣ ଅଳ୍ପ ବର୍ଷ ଗତ ହେଲେ
ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ, ସେହି ପଥରେ ମୁଁ ଯିବି।