ଯୋୟେଲ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ
ଲେଖକ
ଯୋୟେଲ ପୁସ୍ତକର ଲେଖକ ଭବିଷ୍ୟଦ୍‍ବକ୍ତା ଯୋୟେଲ ଥିଲେ (ଯୋୟେ. 1:1)। ଏହି ପୁସ୍ତକରୁ ଯେତେ ସୂଚନା ଭବିଷ୍ୟଦ୍‍ବକ୍ତା ଯୋୟେଲଙ୍କ ବ୍ୟକ୍ତିଗତ ବିଷୟରେ ଆମ୍ଭେମାନେ ପାଉ ତାʼଠାରୁ ଅଧିକ ସୂଚନା ଆମ୍ଭମାନଙ୍କ ନିକଟରେ ନାହିଁ। ସେ ନିଜକୁ ପଥୂୟେଲଙ୍କ ସନ୍ତାନ ବୋଲି ପୁସ୍ତକରେ ପରିଚୟ ଦେଇଅଛନ୍ତି ଏବଂ ସେ ଯିହୁଦାର ଲୋକମାନଙ୍କ ନିମନ୍ତେ ଭାବବାଣୀ କରିଥିଲେ ଏବଂ ସେ ଯିରୂଶାଲମ ନିମନ୍ତେ ଏକ ମହାନ ଇଚ୍ଛାକୁ ପ୍ରକାଶ କରିଛନ୍ତି। ଯିହୁଦାରୁ ଉପାସନା କେନ୍ଦ୍ର ସହିତ ଏକ ଆତ୍ମିୟତାକୁ ସୂଚାଇ ମନ୍ଦିର ଏବଂ ଯାଜକମାନଙ୍କ ଉପରେ ଯୋୟେଲ ଅନେକ ଟିପ୍ପଣୀ ମଧ୍ୟ କରିଛନ୍ତି।
ସମୟ ଓ ସ୍ଥାନ
ପ୍ରାୟ 835-600 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ସମ୍ଭବତଃ, ଯୋୟେଲ ପୁରାତନ ନିୟମ ଇତିହାସର ପାରସିକମାନଙ୍କ ସମୟର ବାସ କରୁଥିଲେ। ସେହି ସମୟରେ ପାରସିକମାନଙ୍କ ସମୟରେ ଯିରୂଶାଲମକୁ ଫେରିବା ନିମନ୍ତେ କିଛି ଯିହୁଦୀ ଲୋକମାନଙ୍କୁ ଅନୁମତି ଦେଇଥିଲେ ଏବଂ ପରିଶେଷରେ ମନ୍ଦିର ପୁନଃନିର୍ମାଣ କରାଯାଇଥିଲା। ମନ୍ଦିର ସହିତ ଯୋୟେଲ ସୂପରିଚିତ ଥିଲେ ତେଣୁ ଏହି ପୁସ୍ତକ ମନ୍ଦିରର ପୁନଃନିର୍ମାଣ ପରେ ଲେଖାଯାଇଥିବ।
ପ୍ରାପକ
ଇସ୍ରାଏଲର ଲୋକ ଏବଂ ବାଇବଲର ପରବର୍ତ୍ତୀ ସମସ୍ତ ପାଠକମାନେ।
ଉଦ୍ଦେଶ୍ୟ
ପରମେଶ୍ୱର ଦୟାଳୁ ଅଟନ୍ତି, ଯେଉଁମାନେ ଅନୁତାପ କରନ୍ତି ସେ ସେମାନଙ୍କୁ କ୍ଷମା ପ୍ରଦାନ କରନ୍ତି। ଏହି ପୁସ୍ତକକୁ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଘଟଣାଗୁଡ଼ିକ ସହ ଚିହ୍ନଟ କରାଯାଇଅଛି। ପ୍ରଥମଟି ପଙ୍ଗପାଳମାନଙ୍କର ଆକ୍ରମଣ ଏବଂ ଦ୍ଵିତୀୟଟି ପବିତ୍ର ଆତ୍ମାଙ୍କ ଅବତରଣ। ପେଣ୍ଟିକଷ୍ଟ ଦିବସରେ ଏହାର ପ୍ରାରମ୍ଭିକ ସମ୍ପୂର୍ଣ୍ଣତା ପ୍ରେରିତ ଅଧ୍ୟାୟ 2 ରେ ପିତରଙ୍କ ଦ୍ଵାରା ଉଲ୍ଲେଖ କରାଯାଇଅଛି।
ବିଷୟବସ୍ତୁ
ପରମେଶ୍ୱରଙ୍କ ଦିନ
ରୂପରେଖା
1. ଇସ୍ରାଏଲ ଉପରେ ପଙ୍ଗପାଳମାନଙ୍କର ଆକ୍ରମଣ — 1:1-20
2. ପରମେଶ୍ୱରଙ୍କ ଦଣ୍ଡ — 2:1-17
3. ଇସ୍ରାଏଲର ପୁନଃରୁଦ୍ଧାର — 2:18-32
4. ଦେଶଗୁଡ଼ିକ ଉପରେ ପରମେଶ୍ୱରଙ୍କ ବିଚାର ଏବଂ ସେମାନଙ୍କ ମଧ୍ୟରେ ବାସ — 3:1-21
1
ପଥୂୟେଲଙ୍କ ପୁତ୍ର ଯୋୟେଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
ଶସ୍ୟ ହାନି ସକାଶୁ ଦେଶବାସୀଙ୍କ ବିଳାପ
ହେ ଇସ୍ରାଏଲର ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ,
ଆଉ ହେ ଦେଶନିବାସୀସକଳ, ତୁମ୍ଭେମାନେ କର୍ଣ୍ଣପାତ କର।
ତୁମ୍ଭମାନଙ୍କ ସମୟରେ କିଅବା
ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟରେ କି ଏହା ଘଟିଅଛି?
ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ
ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ,
ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଉନ୍ତୁ।
ଶୂକ କୀଟ ଯାହା ଛାଡ଼ିଲା, ପଙ୍ଗପାଳ ତାହା ଖାଇଅଛି
ଓ ପଙ୍ଗପାଳ ଯାହା ଛାଡ଼ିଲା, ପତଙ୍ଗ ତାହା ଖାଇଅଛି
ଓ ପତଙ୍ଗ ଯାହା ଛାଡ଼ିଲା, ଘୁର୍ଘୁରିଆ ତାହା ଖାଇଅଛି।
ହେ ମତୁଆଳାମାନେ, ଜାଗି ଉଠ ଓ ରୋଦନ କର,
ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର;
କାରଣ ତାହା ତୁମ୍ଭମାନଙ୍କର ମୁଖରୁ ଅନ୍ତର କରାଯାଇଅଛି।
ଯେହେତୁ ଆମ୍ଭ ଦେଶ ବିରୁଦ୍ଧରେ ଏକ ଗୋଷ୍ଠୀ ଉଠି ଆସିଅଛି,
ସେ ବଳବାନ ଓ ଅସଂଖ୍ୟ; ତାହାର ଦନ୍ତ ସିଂହଦନ୍ତ ତୁଲ୍ୟ
ଓ ତାହାର କଳଦନ୍ତ ଏକ ବୃହତ ସିଂହର କଳଦନ୍ତ ତୁଲ୍ୟ।
ସେ ଆମ୍ଭର ଦ୍ରାକ୍ଷାଲତା ଉଜାଡ଼ କରିଅଛି
ଓ ଆମ୍ଭ ଡିମ୍ବିରି ବୃକ୍ଷର ଛେଲି ଛଡ଼ାଇ ପକାଇଅଛି;
ସେ ତାହା ସମ୍ପୂର୍ଣ୍ଣ ଛେଲିଶୂନ୍ୟ କରି ପକାଇ ଦେଇଅଛି;
ତହିଁର ଶାଖାସବୁ ଶୁକ୍ଳ କରାଯାଇଅଛି।
ଯୌବନକାଳୀନ ସ୍ୱାମୀ ଶୋକରେ
ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର।
ସଦାପ୍ରଭୁଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ
ଓ ପେୟ-ନୈବେଦ୍ୟ ଅନ୍ତର କରାଯାଇଅଛି;
ସଦାପ୍ରଭୁଙ୍କର ପରିଚାରକ ଯାଜକଗଣ ଶୋକ କରନ୍ତି।
10 କ୍ଷେତ୍ର ଉଜାଡ଼ ହୋଇଅଛି, ଭୂମି ଶୋକ କରୁଅଛି;
କାରଣ ଶସ୍ୟ ଉଜାଡ଼ ହୋଇଅଛି,
ନୂତନ ଦ୍ରାକ୍ଷାରସ ଶୁଖି ଯାଇଅଛି; ତୈଳ କ୍ଷୟ ପାଇଅଛି।
11 ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ,
ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ,
ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର;
କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।
12 ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମ୍ବିରିବୃକ୍ଷ ମ୍ଳାନ ହେଉଅଛି;
ଡାଳିମ୍ବ ବୃକ୍ଷ, ମଧ୍ୟ ଖର୍ଜ୍ଜୁର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ,
ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି;
କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି।
ଅନୁତାପ ନିମନ୍ତେ ଆହ୍ୱାନ
13 ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର;
ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର;
ହେ ଆମ୍ଭ ପରମେଶ୍ୱରଙ୍କର ପରିଚାରକଗଣ,
ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ସାରାରାତ୍ରି କ୍ଷେପଣ କର;
କାରଣ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ
ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ନିବୃତ୍ତ କରାଯାଇଅଛି।
14 ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର,
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଗୃହରେ
ପ୍ରାଚୀନଗଣଙ୍କୁ ଓ ଦେଶ ନିବାସୀ ସମସ୍ତଙ୍କୁ ଏକତ୍ର କରି
ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।
15 ହାୟ ହାୟ ସେ ଦିନ! କାରଣ ସଦାପ୍ରଭୁଙ୍କ ଦିନ ସନ୍ନିକଟ,
ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ତୁଲ୍ୟ ତାହା ଉପସ୍ଥିତ ହେବ।
16 ଆମ୍ଭମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ
ଆନନ୍ଦ ଓ ଉଲ୍ଲାସ କି ଅଲଗା କରାଯାଇ ନାହିଁ?
17 ବିହନସବୁ ଟେଳା ତଳେ ପଚି ଯାଉଅଛି;
ଗୋଲାସବୁ ଧ୍ୱଂସିତ, ଶସ୍ୟ ଅମାରସବୁ ଭଗ୍ନ ହୋଇଅଛି;
କାରଣ ଶସ୍ୟ ଶୁଷ୍କ ହୋଇଅଛି।
18 ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି!
ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି;
ମେଷପଲ ଦଣ୍ଡ ପାଉଅଛନ୍ତି।
19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି;
କାରଣ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି
ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।
20 ହଁ, କ୍ଷେତ୍ରସ୍ଥ ପଶୁସକଳ ତୁମ୍ଭ ନିକଟରେ ଧଇଁସଇଁ ହେଉଅଛନ୍ତି;
ଯେହେତୁ ଜଳସ୍ରୋତସବୁ ଶୁଷ୍କ ହୋଇଅଛି
ଓ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି।