5
 1 ହେ ସୈନ୍ୟଦଳର କନ୍ୟେ,  
ଏବେ ତୁମ୍ଭେ ଦଳ ଦଳ ହୋଇ ଆପଣାକୁ ଏକତ୍ର କର;  
ସେମାନେ ଆମ୍ଭମାନଙ୍କ ପ୍ରତିକୂଳରେ ସୈନ୍ୟ ବେଷ୍ଟନ କରିଅଛନ୍ତି;  
ସେମାନେ ଇସ୍ରାଏଲର ବିଚାରକର୍ତ୍ତାର ଗାଲରେ ଦଣ୍ଡାଘାତ କରିବେ।   
 2 ମାତ୍ର ହେ ବେଥଲିହିମ-ଇଫ୍ରାଥା,  
ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ,  
ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ  
ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ;  
ପୁରାତନ କାଳରୁ,  
ଅନାଦିକାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି।   
 3 ଏନିମନ୍ତେ ଯେଉଁ ସ୍ତ୍ରୀ ପ୍ରସବ ବେଦନାଗ୍ରସ୍ତା ହେଉଅଛି, ସେ ଯେପର୍ଯ୍ୟନ୍ତ ପ୍ରସବ ନ କରେ,  
ସେହି ସମୟ ପର୍ଯ୍ୟନ୍ତ ସେ ସେମାନଙ୍କୁ ତ୍ୟାଗ କରିବେ;  
ତହିଁ ଉତ୍ତାରେ ତାହାଙ୍କର ଅବଶିଷ୍ଟ ଭ୍ରାତୃଗଣ ଇସ୍ରାଏଲର ସନ୍ତାନଗଣର ନିକଟକୁ ଫେରି ଆସିବେ।   
 4 ପୁଣି, ସେ ଠିଆ ହୋଇ ସଦାପ୍ରଭୁଙ୍କ ଶକ୍ତିରେ,  
ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମର ମହିମାରେ ଆପଣା ପଲ ଚରାଇବେ  
ଓ ସେମାନେ ସୁସ୍ଥିର ହୋଇ ବାସ କରିବେ;  
କାରଣ ସେହି ସମୟରେ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମହାନ ହେବେ।   
 5 ଆଉ, ଏହି ମନୁଷ୍ୟ ଆମ୍ଭମାନଙ୍କର ଶାନ୍ତି ସ୍ୱରୂପ ହେବେ;  
ଯେଉଁ ସମୟରେ ଅଶୂରୀୟ ଗୋଷ୍ଠୀ ଆମ୍ଭମାନଙ୍କ ଦେଶକୁ ଆସିବେ  
ଓ ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପଦାର୍ପଣ କରିବ,  
ସେହି ସମୟରେ ଆମ୍ଭେମାନେ ତାହା ବିରୁଦ୍ଧରେ ସାତ ଜଣ ପଲରକ୍ଷକ  
ଓ ଆଠ ଜଣ ପ୍ରଧାନ ଲୋକଙ୍କୁ ଉତ୍ଥାପନ କରିବା।   
ଯାକୁବର ଅବଶିଷ୍ଟାଂଶଙ୍କ ଉଦ୍ଧାର 
  6 ପୁଣି, ସେମାନେ ଖଡ୍ଗ ଦ୍ୱାରା ଅଶୂରୀୟର ଦେଶ  
ଓ ନିମ୍ରୋଦ୍ ଦେଶର ପ୍ରବେଶ-ସ୍ଥାନସକଳ ଉଚ୍ଛିନ୍ନ କରିବେ;  
ପୁଣି, ଅଶୂରୀୟ ଗୋଷ୍ଠୀ ଆମ୍ଭମାନଙ୍କ ଦେଶକୁ ଆସି  
ଆମ୍ଭମାନଙ୍କ ସୀମାରେ ପଦାର୍ପଣ କଲେ  
ସେ ସେମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।   
 7 ଆଉ, ସଦାପ୍ରଭୁଙ୍କ ନିକଟରୁ ଆଗତ ଯେଉଁ ଶିଶିର  
ଓ ତୃଣ ଉପରେ ପତିତ ଯେଉଁ ବୃଷ୍ଟି  
ମନୁଷ୍ୟ ପାଇଁ ବିଳମ୍ବ ନ କରେ,  
କିଅବା ମନୁଷ୍ୟ-ସନ୍ତାନଗଣର ଅପେକ୍ଷା ନ କରେ,  
ତାହାର ତୂଲ୍ୟ ଯାକୁବର ଅବଶିଷ୍ଟାଂଶ ଅନେକ ଗୋଷ୍ଠୀ ମଧ୍ୟରେ ରହିବେ।   
 8 ପୁଣି, ବନ ପଶୁଗଣ ମଧ୍ୟରେ ଯେପରି ସିଂହ,  
ମେଷପଲ ମଧ୍ୟରେ ଯେପରି ଯୁବା ସିଂହ  
ଯାଇ ଦଳି ପକାଏ ଓ ବିଦୀର୍ଣ୍ଣ କରେ,  
ଆଉ ଉଦ୍ଧାରକାରୀ କେହି ନ ଥାଏ,  
ସେପରି ଗୋଷ୍ଠୀଗଣ ମଧ୍ୟରେ,  
ଅନେକ ଗୋଷ୍ଠୀ ମଧ୍ୟରେ ଯାକୁବର ଅବଶିଷ୍ଟାଂଶ ହେବେ।   
 9 ତୁମ୍ଭ ବିପକ୍ଷଗଣର ଉପରେ ତୁମ୍ଭର ହସ୍ତ ଉନ୍ନତ ହେଉ  
ଓ ତୁମ୍ଭର ଶତ୍ରୁ ସମସ୍ତେ ଉଚ୍ଛିନ୍ନ ହେଉନ୍ତୁ।   
 10 ଆହୁରି, ସଦାପ୍ରଭୁ କହନ୍ତି, ସେଦିନ  
ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭ ଅଶ୍ୱଗଣକୁ ଉଚ୍ଛିନ୍ନ କରିବା  
ଓ ତୁମ୍ଭର ରଥସବୁ ନଷ୍ଟ କରିବା;   
 11 ପୁଣି, ଆମ୍ଭେ ତୁମ୍ଭ ଦେଶର ନଗରସବୁ ଉଚ୍ଛିନ୍ନ କରିବା  
ଓ ତୁମ୍ଭର ଦୃଢ଼ ଦୁର୍ଗସବୁ ଭାଙ୍ଗି ପକାଇବା;   
 12 ପୁଣି, ଆମ୍ଭେ ତୁମ୍ଭ ହସ୍ତରୁ ମାୟାବୀତ୍ୱ ଉଚ୍ଛିନ୍ନ କରିବା  
ଓ ଗଣକମାନେ ତୁମ୍ଭ ମଧ୍ୟରେ ଆଉ ନ ଥିବେ;   
 13 ଆଉ, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଖୋଦିତ ପ୍ରତିମା  
ଓ ତୁମ୍ଭର ସ୍ତମ୍ଭସକଳ ଉଚ୍ଛିନ୍ନ କରିବା;  
ତହିଁରେ ତୁମ୍ଭେ ଆପଣା ହସ୍ତକୃତ ବସ୍ତୁକୁ ଆଉ ପ୍ରଣାମ କରିବ ନାହିଁ।   
 14 ପୁଣି, ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଆଶେରା ମୂର୍ତ୍ତିସକଳ ଉତ୍ପାଟନ କରିବା  
ଓ ତୁମ୍ଭର ନଗରସବୁ ବିନଷ୍ଟ କରିବା।   
 15 ଆଉ, ଯେଉଁ ଗୋଷ୍ଠୀମାନେ କଥାରେ ମନୋଯୋଗ କଲେ ନାହିଁ,  
ସେମାନଙ୍କଠାରୁ ଆମ୍ଭେ କୋପରେ ଓ ପ୍ରଚଣ୍ଡତାରେ ପରିଶୋଧ ନେବା।