104
ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ସ୍ତୁତି
1 ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର।
ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭେ ଅତି ମହାନ;
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
2 ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ;
ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
3 ତୁମ୍ଭେ ଜଳରାଶି ଉପରେ ଆପଣା କୋଠରିର କଡ଼ିକାଠ ପକାଇଅଛ;
ତୁମ୍ଭେ ମେଘମାଳକୁ ଆପଣା ରଥ କରିଥାଅ;
ତୁମ୍ଭେ ବାୟୁର ପକ୍ଷ ଉପରେ ଗମନାଗମନ କରୁଅଛ।
4 ତୁମ୍ଭେ ବାୟୁକୁ ଆପଣାର ଦୂତ କର;*ତୁମ୍ଭେ ବାୟୁକୁ ଆପଣାର ଦୂତ କର; ଅର୍ଥାତ୍ ତୁମ୍ଭେ ଆପଣାର ଦୂତକୁ ବାୟୁ ପରି କର;
ଅଗ୍ନିଶିଖାକୁ ଆପଣାର ପରିଚାରକ କର।†ଅଗ୍ନିଶିଖାକୁ ଆପଣାର ପରିଚାରକ କର। ଅର୍ଥାତ୍ ଆପଣାର ପରିଚାରକଙ୍କୁ ଅଗ୍ନିଶିଖା ତୁଲ୍ୟ କର
5 ତୁମ୍ଭେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ,
ତାହା କଦାପି ବିଚଳିତ ହେବ ନାହିଁ।
6 ତୁମ୍ଭେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ;
ପର୍ବତଗଣ ଉପରେ ଜଳରାଶି ଠିଆ ହେଲା।
7 ତୁମ୍ଭ ଧମକରେ ସେସବୁ ପଳାଇଲେ;
ତୁମ୍ଭ ବଜ୍ରଧ୍ୱନିରେ ସେସବୁ ଶୀଘ୍ର ଚାଲିଗଲେ;
8 ସେସବୁ ପର୍ବତଗଣ ଉପରେ ଉଠି ଓ ସମସ୍ଥଳରେ ଓହ୍ଲାଇ
ସେମାନଙ୍କ ନିମନ୍ତେ ତୁମ୍ଭର ନିରୂପିତ ସ୍ଥାନକୁ ଚାଲିଗଲେ।
9 ସେମାନେ ଯେପରି ସୀମା ଲଙ୍ଘନ ନ କରିବେ
ଓ ପୃଥିବୀକୁ ଆଚ୍ଛାଦନ କରିବା ପାଇଁ ପୁନର୍ବାର ଫେରି ନ ଆସିବେ,
ଏଥିପାଇଁ ତୁମ୍ଭେ ଏକ ସୀମା ନିରୂପଣ କରିଅଛ।
10 ସେ ଉପତ୍ୟକାସମୂହରେ ନିର୍ଝର ବୁହାନ୍ତି;
ତାହା ପର୍ବତଗଣ ମଧ୍ୟରେ ଧାଏଁ;
11 ତାହା କ୍ଷେତ୍ରସ୍ଥ ପଶୁଗଣକୁ ଜଳ ଯୋଗାଏ,
ବନ୍ୟ ଗର୍ଦ୍ଦଭମାନେ ତହିଁରେ ଆପଣା ଆପଣା ତୃଷା ନିବାରଣ କରନ୍ତି।
12 ତହିଁ ନିକଟରେ ଖେଚର ପକ୍ଷୀଗଣ ବସା କରନ୍ତି,
ସେମାନେ ଡାଳ ମଧ୍ୟରେ ଗାନ କରନ୍ତି।
13 ସେ ଆପଣା ସ୍ବର୍ଗରୁ‡ସ୍ବର୍ଗରୁ କୋଠରିରୁ ପର୍ବତଗଣକୁ ଜଳରେ ସେଚନ କରନ୍ତି;
ପୃଥିବୀ ତାହାଙ୍କ କର୍ମର ଫଳରେ ତୃପ୍ତ ହୁଏ।
14 ସେ ପଶୁଗଣ ନିମନ୍ତେ ତୃଣ
ଓ ମନୁଷ୍ୟର ସେବା ନିମନ୍ତେ ଶାକ ଅଙ୍କୁରିତ କରନ୍ତି;
ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।
15 ପୁଣି, ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ,
ମୁଖ-ଚିକ୍କଣକାରୀ ତୈଳ ଓ ମନୁଷ୍ୟର ହୃଦୟ
ସବଳକାରୀ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।
16 ସଦାପ୍ରଭୁଙ୍କ ବୃକ୍ଷଶ୍ରେଣୀ ପରିତୃପ୍ତ;
ଲିବାନୋନରେ ତାହାଙ୍କ ରୋପିତ ଏରସ ବୃକ୍ଷସକଳ ପରିତୃପ୍ତ;
17 ତହିଁ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି;
ଦେବଦାରୁ ବୃକ୍ଷ ଚରଳର ଗୃହ।
18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ନିମନ୍ତେ ଅଟେ,
ଶୈଳସବୁ ଶାଫନ୍ର ଆଶ୍ରୟ।
19 ସେ ଋତୁ ନିମନ୍ତେ ଚନ୍ଦ୍ର ନିରୂପଣ କରିଅଛନ୍ତି;
ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ;
ତହିଁରେ ସକଳ ବନ-ପଶୁ ବାହାରି ଭ୍ରମଣ କରନ୍ତି।
21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜ୍ଜନ କରନ୍ତି
ଓ ପରମେଶ୍ୱରଙ୍କଠାରୁ ଆହାର ଚାହାନ୍ତି।
22 ସୂର୍ଯ୍ୟୋଦୟ ହେଲେ ସେମାନେ ଚାଲିଯାʼନ୍ତି
ଓ ଆପଣା ଆପଣା ଗୁମ୍ଫାରେ ଶୟନ କରନ୍ତି।
23 ମନୁଷ୍ୟ ଆପଣା କାର୍ଯ୍ୟକୁ
ଓ ସନ୍ଧ୍ୟାକାଳ ପର୍ଯ୍ୟନ୍ତ ଆପଣା ପରିଶ୍ରମକୁ ବାହାରେ।
24 ହେ ସଦାପ୍ରଭୋ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ!
ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ;
ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ।
25 ସେହି ସମୁଦ୍ର ବୃହତ ଓ ପ୍ରଶସ୍ତ,
ତହିଁ ମଧ୍ୟରେ ଜଳଚର,
କ୍ଷୁଦ୍ର ଓ ବୃହତ ଅସଂଖ୍ୟ ଜନ୍ତୁ ଅଛନ୍ତି।
26 ତହିଁରେ ଜାହାଜ ଗତାୟାତ କରେ;
ତହିଁରେ ଖେଳିବା ପାଇଁ ତୁମ୍ଭର ସୃଷ୍ଟ ଲିବିୟାଥନ ଥାଏ।
27 ଏସମସ୍ତେ ଉପଯୁକ୍ତ ସମୟରେ ଆପଣା ଆପଣା
ଭକ୍ଷ୍ୟ ପାଇବା ନିମନ୍ତେ ତୁମ୍ଭର ଅନୁସରଣ କରନ୍ତି।
28 ଯାହା ତୁମ୍ଭେ ସେମାନଙ୍କୁ ଦିଅ, ତାହା ସେମାନେ ସାଉଣ୍ଟନ୍ତି।
ତୁମ୍ଭେ ଆପଣା ହସ୍ତ ମେଲାଇଲେ, ସେମାନେ ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହୁଅନ୍ତି।
29 ତୁମ୍ଭେ ଆପଣା ମୁଖ ଲୁଚାଇଲେ, ସେମାନେ ବ୍ୟାକୁଳ ହୁଅନ୍ତି;
ତୁମ୍ଭେ ସେମାନଙ୍କ ନିଃଶ୍ୱାସ ହରଣ କଲେ,
ସେମାନେ ମରନ୍ତି ଓ ପୁନର୍ବାର ଧୂଳିରେ ମିଶିଯାʼନ୍ତି।
30 ତୁମ୍ଭେ ଆପଣା ଆତ୍ମା§ଆତ୍ମା ଶ୍ୱାସ ପଠାଇଲେ, ସେମାନେ ସୃଷ୍ଟ ହୁଅନ୍ତି;
ଆଉ, ତୁମ୍ଭେ ଭୂମିର ମୁଖ ନୂତନ କରୁଥାଅ।
31 ସଦାପ୍ରଭୁଙ୍କ ଗୌରବ ଅନନ୍ତକାଳ ଥାଉ;
ସଦାପ୍ରଭୁ ଆପଣା କାର୍ଯ୍ୟସକଳରେ ଆନନ୍ଦ କରନ୍ତୁ।
32 ସେ ପୃଥିବୀକୁ ଅନାଇଲେ, ତାହା କମ୍ପିତ ହୁଏ,
ସେ ପର୍ବତଗଣକୁ ଛୁଇଁଲେ, ସେମାନେ ଧୂମ ଉଦ୍ଗାର କରନ୍ତି।
33 ମୁଁ ବଞ୍ଚିଥିବା ଯାଏ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି;
ମୋହର ଅସ୍ତିତ୍ୱ ଥିବାଯାଏ, ମୁଁ ମୋହର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
34 ତାହାଙ୍କ ପ୍ରତି ମୋʼ ଧ୍ୟାନ ସୁମିଷ୍ଟ ହେଉ;
ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି।
35 ପାପୀଗଣ ପୃଥିବୀରୁ ଉଚ୍ଛିନ୍ନ ହେଉନ୍ତୁ
ଓ ଦୁଷ୍ଟମାନେ ଆଉ ନ ଥାଉନ୍ତୁ।
ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର।
ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।