6
ପ୍ରଥମରୁ ଷଷ୍ଠ ମୁଦ୍ରା ଭଗ୍ନ
ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ର ପରି ସ୍ୱରରେ ଏହା କହୁଥିବା ଶୁଣିଲି, ଆସ। ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ୱ, ପୁଣି, ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦିଆ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ। ମେଷଶାବକ ଯେତେବେଳେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଦ୍ୱିତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ। ସେଥିରେ ଆଉ ଗୋଟିଏ ଅଶ୍ୱ ବାହାରି ଆସିଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି, ତାହାକୁ ଗୋଟିଏ ବୃହତ୍ ଖଡ୍ଗ ଦିଆଗଲା। ମେଷଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ତୃତୀୟ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ ଏବଂ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ କଳା ରଙ୍ଗର ଅଶ୍ୱ, ପୁଣି, ତାହାର ଆରୋହୀର ହସ୍ତରେ ଗୋଟିଏ ତରାଜୁ। ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ, କିନ୍ତୁ ତୁମ୍ଭେ ତୈଳ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ। ମେଷଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଚତୁର୍ଥ ପ୍ରାଣୀଙ୍କୁ ଏହା କହୁଥିବା ଶୁଣିଲି, ଆସ। ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁ‌ ବର୍ଣ୍ଣ ଅଶ୍ୱ, ତାହାର ଆରୋହୀ ନାମ ମୃତ୍ୟୁ, ପୁଣି, ପାତାଳ ତାହାର ପଶ୍ଚାଦ୍‍ଗମନ କରୁଥିଲା; ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ-ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚାରି ଭାଗ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା। ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ବରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି। 10 ସେମାନେ ଉଚ୍ଚସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ? 11 ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭ୍ରାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା। 12 ମେଷଶାବକ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ମୁଁ ଦେଖିଲି, ମହା ଭୂମିକମ୍ପ ହେଲା, ସୂର୍ଯ୍ୟ ଚଟବସ୍ତ୍ର ପରି କଳା ବର୍ଣ୍ଣ ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ପରି ହେଲା, 13 ପ୍ରବଳ ବାୟୁ ଆଘାତରେ ଡିମ୍ବିରିବୃକ୍ଷରୁ ଯେପରି ଅପକ୍ୱ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ପତିତ ହେଲେ, 14 ଆକାଶମଣ୍ଡଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି, ପର୍ବତ ଓ ଦ୍ୱୀପ ସମସ୍ତ ସ୍ଥାନାନ୍ତରିତ ହେଲେ। 15 ଆଉ ପୃଥିବୀର ରାଜାମାନେ, ପାତ୍ର-ମନ୍ତ୍ରୀମାନେ, ପ୍ରଧାନ ସେନାପତି ଓ ଧନୀମାନେ, ବଳବାନ ଲୋକମାନେ ଏବଂ ପରାଧୀନ ଓ ସ୍ୱାଧୀନ ଲୋକ ସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ, 16 ପୁଣି, ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡ଼ି ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଚାଇ ରଖ, 17 କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି ଆଉ କିଏ ଠିଆ ହୋଇପାରେ?