ଯିଖରୀୟ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ
ଲେଖକ
ଯିଖରୀୟ 1:1 ଇଦ୍ଦୋଙ୍କ ପୌତ୍ର ବେରିଖୀୟଙ୍କ ପୁତ୍ର ଯିଖରୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ପୁସ୍ତକର ଲେଖକ ବୋଲି ପ୍ରକାଶ କରେ। ନିର୍ବାସନରୁ ଆସୁଥିବା ଯାଜକ ପରିବାରଗୁଡ଼ିକ ମଧ୍ୟରୁ ଇଦ୍ଦୋ ଏକ ଯାଜକ ପରିବାରର ମୁଖ୍ୟ ବ୍ୟକ୍ତି ଥିଲେ (ନିହି. 12:4,16)। ଯେତେବେଳେ ଯିଖରୀୟଙ୍କ ପରିବାର ଯିରୂଶାଲମକୁ ଫେରି ଆସିଲେ ହୁଏତ, ସେତେବେଳେ ସେ ବାଳକ ଥିଲେ। ଯିଖରୀୟଙ୍କର ବଂଶାବଳୀ ହେତୁ, ସେ ଭବିଷ୍ୟଦ୍‍ବକ୍ତା ହେବା ସତ୍ତ୍ୱେ ମଧ୍ୟ ଜଣେ ଯାଜକ ଥିଲେ। ତେଣୁକରି ଯିହୁଦୀମାନଙ୍କର ମନ୍ଦିରର ସେବାକାର୍ଯ୍ୟ, ଉପାସନା ବିଷୟରେ ସୁପରିଚିତ ଥିଲେ, ଯଦିଓ ସେ ସମ୍ପୂର୍ଣ୍ଣ ଭାବରେ ମନ୍ଦିରରେ ସେବାକାର୍ଯ୍ୟ କରି ନ ଥିଲେ।
ସମୟ ଓ ସ୍ଥାନ
ପ୍ରାୟ 520-480 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଏହା ବାବିଲୀୟ ବନ୍ଦୀତ୍ୱରୁ ପ୍ରତ୍ୟାବର୍ତ୍ତନ ପରେ ଲେଖାଯାଇଅଛି। ମନ୍ଦିର ସମ୍ପୂର୍ଣ୍ଣ ହେବା ପୂର୍ବରୁ ଭବିଷ୍ୟଦ୍‍ବକ୍ତା ଯିଖରୀୟ ଅଧ୍ୟାୟ 1-8 ଲେଖିଛନ୍ତି ଏବଂ ଅଧ୍ୟାୟ 9-14 ସମ୍ପୂର୍ଣ୍ଣ ହେବା ପରେ ଲେଖିଛନ୍ତି।
ପ୍ରାପକ
ଯିରୂଶାଲମରେ ବାସ କରୁଥିବା ଲୋକେ ଏବଂ ନିର୍ବାସନରୁ ଫେରି ଆସିଥିବା ଲୋକମାନେ।
ଉଦ୍ଦେଶ୍ୟ
ନିର୍ବାସନରୁ ଫେରିଥିବା ଲୋକମାନଙ୍କୁ ଆଶା ଏବଂ ବୁଝିବା ଶକ୍ତି ପ୍ରଦାନ କରିବା ଏବଂ ଆସୁଥିବା ସେମାନଙ୍କର ମସୀହ ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟଙ୍କୁ ଅପେକ୍ଷା କରିବାକୁ ଉତ୍ସାହିତ କରିବା ଯିଖରୀୟଙ୍କର ଉଦ୍ଦେଶ୍ୟ ଥିଲା। ପରମେଶ୍ୱର ଆପଣା ଲୋକମାନଙ୍କୁ ଶିକ୍ଷା, ଚେତାବନୀ ଏବଂ ସୁଧାରିବାକୁ ନିଜର ଭବିଷ୍ୟଦ୍‍ବକ୍ତାମାନଙ୍କୁ ବ୍ୟବହାର କଲେ। କିନ୍ତୁ ସେମାନେ ଶୁଣିବାକୁ ପ୍ରତ୍ୟାଖ୍ୟାନ କଲେ। ସେମାନଙ୍କର ପାପ ପରମେଶ୍ୱରଙ୍କ ଦଣ୍ଡ ଆଣିଲା। ଏହି ପୁସ୍ତକ ଏହା ପ୍ରମାଣ କରେ ଯେ ଭାବବାଣୀ ମଧ୍ୟ ଭ୍ରଷ୍ଟ ହେଇପାରେ।
ବିଷୟବସ୍ତୁ
ପରମେଶ୍ୱରଙ୍କ ଉଦ୍ଧାର
ରୂପରେଖା
1. ମନପରିବର୍ତ୍ତନ ନିମନ୍ତେ ଆହ୍ୱାନ — 1:1-6
2. ଯିଖରୀୟଙ୍କ ଦର୍ଶନ — 1:7-6:15
3. ଉପବାସ ସମ୍ବନ୍ଧରେ ପ୍ରଶ୍ନ — 7:1-8:23
4. ଭବିଷ୍ୟତ ସମ୍ବନ୍ଧରେ ବୋଝ — 9:1-14:21
1
ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ଆହ୍ୱାନ
ଦାରୀୟାବସର ରାଜତ୍ଵର ଦ୍ୱିତୀୟ ବର୍ଷର ଅଷ୍ଟମ ମାସରେ ଇଦ୍ଦୋଙ୍କ ପୌତ୍ର ବେରିଖୀୟଙ୍କ ପୁତ୍ର ଯିଖରୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, “ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ପ୍ରତି ଅତିଶୟ ବିରକ୍ତ ହୋଇଥିଲେ। ଏଥିପାଇଁ ତୁମ୍ଭେ ଏହି ଲୋକମାନଙ୍କୁ କୁହ,
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭ ପ୍ରତି ଫେର,
ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଫେରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ତୁମ୍ଭେମାନେ ଆପଣାମାନଙ୍କର ପୂର୍ବପୁରୁଷଗଣର ତୁଲ୍ୟ ହୁଅ ନାହିଁ, ଯେଉଁମାନଙ୍କୁ ଡାକି ପୂର୍ବକାଳର ଭବିଷ୍ୟଦ୍‍ବକ୍ତାମାନେ ଉଚ୍ଚସ୍ୱରରେ କହିଲେ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା କୁପଥରୁ ଓ ଆପଣା ଆପଣା କୁକ୍ରିୟାରୁ ଏବେ ଫେର।’ ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା ଆମ୍ଭ ପ୍ରତି କର୍ଣ୍ଣପାତ କଲେ ନାହିଁ, ଏହା ସଦାପ୍ରଭୁ କହନ୍ତି।
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ଏମାନେ କେଉଁଠାରେ? ଓ ଭବିଷ୍ୟଦ୍‍ବକ୍ତାମାନେ, ଏମାନେ କି ଚିରକାଳ ବଞ୍ଚନ୍ତି?
ମାତ୍ର ଆମ୍ଭେ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣକୁ ଯେଉଁ ଯେଉଁ ବାକ୍ୟ ଓ ବିଧି ଆଜ୍ଞା କଲୁ,
ସେହି ସବୁ କି ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ସ୍ପର୍ଶ କଲା ନାହିଁ?
ତେବେ ସେମାନେ ଫେରି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ଆଚରଣ ଓ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ଯେରୂପ କରିବେ ବୋଲି ମନସ୍ଥ କଲେ, ସେହିପରି ବ୍ୟବହାର ଆମ୍ଭମାନଙ୍କ ପ୍ରତି ସେ କରିଅଛନ୍ତି।”
ଭାବବାଦୀଙ୍କ ଦର୍ଶନ - ଅଶ୍ୱ ଓ ଅଶ୍ୱାରୋହୀ
ଦାରୀୟାବସର ଦ୍ୱିତୀୟ ବର୍ଷ ଏଗାରତମ ମାସର, ଅର୍ଥାତ୍‍, ଶବାଟ ମାସର ଚବିଶତମ ଦିନରେ ଇଦ୍ଦୋଙ୍କ ପୌତ୍ର ବେରିଖୀୟଙ୍କ ପୁତ୍ର ଯିଖରୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, “ମୁଁ ରାତ୍ରିକାଳରେ ଦେଖିଲି, ଆଉ ଦେଖ, ରକ୍ତବର୍ଣ୍ଣ ଅଶ୍ୱାରୋହୀ ଏକ ପୁରୁଷ ଓ ସେ ନିମ୍ନ ଭୂମିସ୍ଥ ମେହେନ୍ଦି ବୃକ୍ଷମାନର ମଧ୍ୟରେ ଠିଆ ହେଲେ; ଆଉ, ତାଙ୍କ ପଛରେ ରକ୍ତବର୍ଣ୍ଣ, ପାଣ୍ଡୁରବର୍ଣ୍ଣ ଓ ଶୁକ୍ଳବର୍ଣ୍ଣ ଅଶ୍ୱଗଣ ଥିଲେ। ଏଥିରେ ମୁଁ କହିଲି, ‘ହେ ମହାଶୟ, ଏସବୁ କଅଣ?’ ତହିଁରେ ମୋʼ ସଙ୍ଗରେ କଥା କହୁଥିବା ଦୂତ ମୋତେ କହିଲେ, ‘ଏସବୁ କଅଣ, ଏହା ଆମ୍ଭେ ତୁମ୍ଭଙ୍କୁ ଜଣାଇବା।’ 10 ଏଥିରେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ପୁରୁଷ ଉତ୍ତର କରି କହିଲେ, ‘ପୃଥିବୀରେ ଏଣେତେଣେ ଗମନାଗମନ କରିବା ପାଇଁ ସଦାପ୍ରଭୁ ଏମାନଙ୍କୁ ପଠାଇଅଛନ୍ତି।’ 11 ସେତେବେଳେ ସେମାନେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ସଦାପ୍ରଭୁଙ୍କ ଦୂତକୁ ଉତ୍ତର କରି କହିଲେ, ‘ଆମ୍ଭେମାନେ ପୃଥିବୀର ଏଣେତେଣେ ଗମନାଗମନ କରିଅଛୁ, ଆଉ ଦେଖ, ସମୁଦାୟ ପୃଥିବୀ ସୁସ୍ଥିର ହୋଇ ବସିଅଛି ଓ ବିଶ୍ରାମରେ ଅଛି।’
12 ତହିଁରେ ସଦାପ୍ରଭୁଙ୍କ ଦୂତ ଉତ୍ତର କରି କହିଲେ, ‘ହେ ସୈନ୍ୟାଧିପତି ସଦାପ୍ରଭୁ, ଏହି ସତୁରି ବର୍ଷସାରା ତୁମ୍ଭେ ଯେଉଁମାନଙ୍କ ଉପରେ ବିରକ୍ତ ହୋଇ ଆସିଅଛ, ସେହି ଯିରୂଶାଲମ ଓ ଯିହୁଦାର ନଗରସମୂହ ପ୍ରତି ଆଉ କେତେ ସମୟ ଦୟା କରିବ ନାହିଁ?’ 13 ପୁଣି, ମୋʼ ସହିତ କଥା କହୁଥିବା ଦୂତକୁ ସଦାପ୍ରଭୁ ଉତ୍ତର କରି ମଙ୍ଗଳ କଥା ଓ ନାନା ସାନ୍ତ୍ୱନାଦାୟକ କଥା କହିଲେ। 14 ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତ ମୋତେ କହିଲେ, ତୁମ୍ଭେ ଘୋଷଣା କରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି
ଆମ୍ଭେ ଯିରୂଶାଲମ ଓ ସିୟୋନ ପକ୍ଷରେ ମହା ଈର୍ଷାରେ ଈର୍ଷାନ୍ୱିତ ଅଛୁ।
15 ଆଉ, ଯେଉଁ ଗୋଷ୍ଠୀଗଣ ନିଶ୍ଚିନ୍ତରେ ଅଛନ୍ତି, ସେମାନଙ୍କ ପ୍ରତି ଆମ୍ଭେ ଅତ୍ୟନ୍ତ ବିରକ୍ତ ଅଟୁ;
କାରଣ ଆମ୍ଭେ ଅଳ୍ପମାତ୍ର ବିରକ୍ତ ହୁଅନ୍ତେ, ସେମାନେ କ୍ଳେଶକୁ ବୃଦ୍ଧି କଲେ।
16 ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି;
ଆମ୍ଭେ ଦୟା ସହିତ ଯିରୂଶାଲମ ପ୍ରତି ଫେରିବୁ; ତହିଁ ମଧ୍ୟରେ ଆମ୍ଭ ଗୃହ ନିର୍ମିତ ହେବ
ଓ ଯିରୂଶାଲମ ସୂତା ଦ୍ୱାରା ମପା ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
17 ‘ଆହୁରି ଘୋଷଣା କରି କୁହ,
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ସମୃଦ୍ଧି ହେତୁ ଆମ୍ଭର ନଗରସକଳ ଚତୁର୍ଦ୍ଦିଗରେ ପୁନର୍ବାର ବିସ୍ତୀର୍ଣ୍ଣ ହେବ;
ସଦାପ୍ରଭୁ ପୁନର୍ବାର ସିୟୋନକୁ ସାନ୍ତ୍ୱନା କରିବେ ଓ ଯିରୂଶାଲମକୁ ପୁନର୍ବାର ମନୋନୀତ କରିବେ।’ ”
ଚାରି ଶୃଙ୍ଗ ଓ କମାରର ଦର୍ଶନ
18 ଏଥିଉତ୍ତାରେ ମୁଁ ଚକ୍ଷୁ ଖୋଲି ଅନାଇଲି, ଆଉ ଚାରି ଶୃଙ୍ଗ ଦେଖିଲି। 19 ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତଙ୍କୁ ମୁଁ କହିଲି, “ଏହିସବୁ କଅଣ?” ତହୁଁ ସେ ମୋତେ ଉତ୍ତର କଲେ, “ଏହିସବୁ ଶୃଙ୍ଗ ଯିହୁଦା, ଇସ୍ରାଏଲ ଓ ଯିରୂଶାଲମକୁ ଛିନ୍ନଭିନ୍ନ କରିଅଛନ୍ତି।” 20 ପୁଣି, ସଦାପ୍ରଭୁ ମୋତେ ଚାରି ଜଣ କମାର ଦେଖାଇଲେ। 21 ତେବେ ମୁଁ କହିଲି, “ଏମାନେ କଅଣ କରିବା ପାଇଁ ଆସିଅଛନ୍ତି?” ତହିଁରେ ସେ କହିଲେ, “ସେହି ଶୃଙ୍ଗସକଳ ଯିହୁଦାକୁ ଏପରି ଛିନ୍ନଭିନ୍ନ କଲେ ଯେ, କୌଣସି ମନୁଷ୍ୟ ଆପଣା ମସ୍ତକ ଉଠାଇ ପାରିଲା ନାହିଁ; ମାତ୍ର ଯେଉଁ ଗୋଷ୍ଠୀଗଣ ଯିହୁଦା ଦେଶକୁ ଛିନ୍ନଭିନ୍ନ କରିବା ପାଇଁ ତାହା ବିରୁଦ୍ଧରେ ଆପଣା ଆପଣା ଶୃଙ୍ଗ ଉଠାଇଲେ, ସେମାନଙ୍କୁ ଭୟ ଦେଖାଇବା ପାଇଁ ଓ ସେମାନଙ୍କର ଶୃଙ୍ଗ ଭାଙ୍ଗି ପକାଇବା ପାଇଁ ଏମାନେ ଆସିଅଛନ୍ତି।”