ଦାନିୟେଲଙ୍କ ପୁସ୍ତକ  
ଲେଖକ  
ଏହି ପୁସ୍ତକ ଲେଖକଙ୍କ ନାମରେ ନାମାଙ୍କିତ ଅଟେ, ଦାନିୟେଲ ପୁସ୍ତକ ବାବିଲରେ ଇସ୍ରାଏଲରୁ ଏକ ଯିହୁଦୀ ଭାବରେ ତାହାଙ୍କ ସମୟର ଉତ୍ପନ୍ନ ଅଟେ। “ଦାନିୟେଲ” ଅର୍ଥ “ପରମେଶ୍ୱର ମୋର ବିଚାରକ।” ଏହି ପୁସ୍ତକ ଅନେକ ବାକ୍ୟାଂଶ ଗୁଡ଼ିକରେ, ଯେପରି 9:2; 10:2 ସୂଚିତ କରେ ଯେ ଦାନିୟେଲ ଏହାର ଲେଖକ ଅଟନ୍ତି। ବାବିଲର ରାଜଧାନୀରେ ଦାନିୟେଲ ତାହାଙ୍କ ସମୟରେ ଯିହୁଦୀ ନିର୍ବାସନ ଲୋକଙ୍କ ନିମନ୍ତେ ଭାବବାଣୀ ଏବଂ ଅନୁଭବଗୁଡ଼ିକୁ ଲିପିବଦ୍ଧ କରିଥିଲେ ଯେଉଁଠାରେ ରାଜାଙ୍କ ପ୍ରତି ତାହାଙ୍କ ସେବା ତାହାଙ୍କୁ ସମ୍ପ୍ରଦାୟର ଉଚ୍ଚସ୍ତର ପ୍ରବେଶ ଅଧିକାରର ସୁବିଧା ଦେଇଥିଲା। ଗୋଟିଏ ଅନ୍ୟ ଦେଶ ଏବଂ ସଂସ୍କୃତିରେ ତାହାଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତତା ତାହାଙ୍କୁ ବାଇବଲର ସମସ୍ତ ଲୋକମାନଙ୍କଠାରୁ ଭିନ୍ନ କରେ।  
ସମୟ ଓ ସ୍ଥାନ  
ପ୍ରାୟ 605-530 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।  
ପ୍ରାପକ  
ବାବିଲରେ ଥିବା ଯିହୁଦୀ ନିର୍ବାସିତ ଲୋକମାନେ ଏବଂ ବାଇବଲର ପରବର୍ତ୍ତୀ ସମସ୍ତ ପାଠକ।  
ଉଦ୍ଦେଶ୍ୟ  
ଦାନିୟେଲ ପୁସ୍ତକ ଭବିଷ୍ୟଦ୍ବକ୍ତା ଦାନିୟେଲଙ୍କର କାର୍ଯ୍ୟ, ଭାବବାଣୀ ଏବଂ ଦର୍ଶନଗୁଡ଼ିକୁ ଲିପିବଦ୍ଧ କରେ। ଏହି ପୁସ୍ତକ ଶିକ୍ଷା ଦିଏ ଯେ ପରମେଶ୍ୱର ତାହାଙ୍କ ଅନୁଗାମୀମାନଙ୍କ ପ୍ରତି ବିଶ୍ୱସ୍ତ ଅଟନ୍ତି। ପ୍ରଲୋଭନ ଏବଂ ବଳ ପ୍ରୟୋଗ ସତ୍ତ୍ୱେ, ବିଶ୍ଵାସୀମାନେ ଦୁନିଆରେ ନିଜ ନିଜର ଦାୟିତ୍ଵଗୁଡ଼ିକୁ ପାଳନ କରିବା ସମୟରେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଆବଶ୍ୟକ ଅଟେ।  
ବିଷୟବସ୍ତୁ  
ପରମେଶ୍ୱରଙ୍କ ସାର୍ବଭୌମତ୍ଵ  
ରୂପରେଖା  
1. ଦାନିୟେଲ ମହାନ ସ୍ୱପ୍ନର ଅର୍ଥ କରନ୍ତି — 1:1-2:49  
2. ଶଦ୍ରକ୍, ମୈଶକ୍, ଅବେଦ୍ନଗୋ ଅଗ୍ନିକୁଣ୍ଡରୁ ଉଦ୍ଧାର ପ୍ରାପ୍ତ ହେଲେ — 3:1-30  
3. ନବୂଖଦ୍ନିତ୍ସରଙ୍କ ସ୍ୱପ୍ନ — 4:1-37  
4. ଉଡ଼ନ୍ତା ଆଙ୍ଗୁଳିର ଲେଖନୀ ଏବଂ ଦାନିୟେଲଙ୍କ ଧ୍ୱଂସ ବିଷୟରେ ଭାବବାଣୀ କରନ୍ତି — 5:1-31  
5. ଦାନିୟେଲ ସିଂହ ଗର୍ତ୍ତରେ — 6:1-28  
6. ଚାରି ପଶୁ ଗୁଡ଼ିକର ଦର୍ଶନ — 7:1-28  
7. ଛେଳି, ମେଣ୍ଢା ଓ ଛୋଟ ଶିଙ୍ଗର ଦର୍ଶନ — 8:1-27  
8. 70 ବର୍ଷରେ ଦାନିୟେଲଙ୍କର ପ୍ରାର୍ଥନାର ଉତ୍ତର — 9:1-27  
9. ଦାନିୟେଲଙ୍କ ଶେଷ ମହାଯୁଦ୍ଧ ବିଷୟରେ ଦର୍ଶନ — 10:1-12:13   
1
ଦାନିୟେଲ ବାବିଲକୁ ନୀତ 
 
1 ଯିହୁଦାର ରାଜା ଯିହୋୟାକୀମ୍ର ଶାସନ କାଳର ତୃତୀୟ ବର୍ଷରେ ବାବିଲର ରାଜା ନବୂଖଦ୍ନିତ୍ସର ଯିରୂଶାଲମକୁ ଆସି ତାହା ଅବରୋଧ କଲା।  
2 ପୁଣି, ପ୍ରଭୁ ଯିହୁଦାର ରାଜା ଯିହୋୟାକୀମ୍କୁ ଓ ପରମେଶ୍ୱରଙ୍କ ଗୃହର କେତେକ ପାତ୍ର ତାହାର ହସ୍ତରେ ସମର୍ପି ଦେଲେ; ତହିଁରେ ସେ ଶିନୀୟର ଦେଶରେ ଥିବା ଆପଣା ଦେବ ମନ୍ଦିରକୁ ସେହି ସବୁ ନେଇଗଲା ଓ ପାତ୍ରସକଳ ସେ ଆପଣା ଦେବତାର ଭଣ୍ଡାର ଗୃହରେ ରଖିଲା।  
3 ପୁଣି, ରାଜା ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ, ଅର୍ଥାତ୍, ରାଜକୀୟ ଓ କୁଳୀନ ବଂଶରୁ  
4 ନିଖୁଣ, ସୁନ୍ଦର ଓ ସମସ୍ତ ଜ୍ଞାନରେ ନିପୁଣ, ବିଦ୍ୟାରେ ବିଚକ୍ଷଣ, ବୁଦ୍ଧିରେ ବିଜ୍ଞ ଓ ରାଜପ୍ରାସାଦରେ ଠିଆ ହେବାକୁ ଯୋଗ୍ୟ କେତେକ ଯୁବା ଲୋକଙ୍କୁ ଆଣିବାକୁ ଓ କଲ୍ଦୀୟ ବିଦ୍ୟା ଓ ଭାଷା ଶିଖାଇବାକୁ ଆପଣାର ନପୁଂସକାଧିପତି ଅସ୍ପନସ୍କୁ କହିଲା।  
5 ଆଉ, ସେମାନେ ଯେପରି ତିନି ବର୍ଷର ଶେଷରେ ରାଜାଙ୍କ ନିକଟରେ ଠିଆ ହେବେ, ଏଥିପାଇଁ ରାଜା ସେମାନଙ୍କ ନିମନ୍ତେ ରାଜାର ଆହାରୀୟ ଦ୍ରବ୍ୟରୁ ଓ ପାନୀୟ ଦ୍ରାକ୍ଷାରସରୁ ଦୈନିକ ଅଂଶ ଦେବା ପାଇଁ ଓ ତିନି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପ୍ରତିପୋଷଣ କରିବା ପାଇଁ ନିରୂପଣ କଲା।  
6 ଏମାନଙ୍କ ମଧ୍ୟରେ ଯିହୁଦା ବଂଶୀୟ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ଥିଲେ।   
7 ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲା; ସେ ଦାନିୟେଲଙ୍କୁ ବେଲ୍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ୍ ଓ ଅସରୀୟକୁ ଅବେଦ୍ନଗୋ ନାମ ଦେଲା।   
ଦାନିୟେଲଙ୍କ ବିଶ୍ୱସ୍ତତା 
 
8 ମାତ୍ର ରାଜାର ଆହାରୀୟ ଦ୍ରବ୍ୟରେ ଓ ତାହାର ପାନୀୟ ଦ୍ରାକ୍ଷାରସରେ ଆପଣାକୁ ଅଶୁଚି ନ କରିବା ପାଇଁ ଦାନିୟେଲ ନିଜ ମନରେ ସ୍ଥିର କଲେ; ଏହେତୁ ସେ ଯେପରି ଆପଣାକୁ ଅଶୁଚି ନ କରନ୍ତି, ଏଥିପାଇଁ ସେ ନପୁଂସକାଧିପତିଙ୍କୁ ନିବେଦନ କଲେ।  
9 ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ।  
10 ତହିଁରେ ନପୁଂସକାଧିପତି ଦାନିୟେଲଙ୍କୁ କହିଲା, ଯେ ତୁମ୍ଭମାନଙ୍କର ଭକ୍ଷ୍ୟ ଓ ପାନୀୟ ଦ୍ରବ୍ୟ ନିରୂପଣ କରିଅଛନ୍ତି, “ମୁଁ ଆପଣାର ପ୍ରଭୁ ସେହି ମହାରାଜାଙ୍କୁ ଭୟ କରେ; କାରଣ ସେ ତୁମ୍ଭମାନଙ୍କର ସମବୟସ୍କ ଯୁବାମାନଙ୍କର ମୁଖ ଅପେକ୍ଷା ତୁମ୍ଭମାନଙ୍କ ମୁଖ କାହିଁକି ମଳିନ ଦେଖିବେ? ତାହାହେଲେ, ତୁମ୍ଭେମାନେ ରାଜାଙ୍କ ନିକଟରେ ମୋର ମସ୍ତକକୁ ସଂଶୟାପନ୍ନ କରିବ।”  
11 ତହିଁରେ ନପୁଂସକାଧିପତି ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟଙ୍କ ଉପରେ ଯେଉଁ ଗୃହାଧ୍ୟକ୍ଷକୁ ନିଯୁକ୍ତ କରିଥିଲା, ତାହାକୁ ଦାନିୟେଲ କହିଲେ;  
12 “ଅନୁଗ୍ରହ କରି ଆପଣା ଦାସମାନଙ୍କୁ ଦଶ ଦିନ ପରୀକ୍ଷା କରନ୍ତୁ; ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ଶସ୍ୟ ଓ ପାନ ନିମନ୍ତେ ଜଳ ଦିଆଯାଉ।  
13 ତହିଁ ଉତ୍ତାରେ ଆପଣଙ୍କ ସମ୍ମୁଖରେ ଆମ୍ଭମାନଙ୍କର ମୁଖ ଓ ରାଜକୀୟ ଭକ୍ଷ୍ୟ ଭୋଜନକାରୀ ଯୁବାମାନଙ୍କର ମୁଖ ଦେଖାଯାଉ; ତହିଁରେ ଆପଣ ଯେପରି ଦେଖନ୍ତି, ତଦନୁସାରେ ଆପଣ ଦାସମାନଙ୍କ ପ୍ରତି ବ୍ୟବହାର କରନ୍ତୁ।”  
14 ତହିଁରେ ସେ ଏହି ବିଷୟରେ ସେମାନଙ୍କ କଥା ଗ୍ରାହ୍ୟ କରି ଦଶ ଦିନ ପର୍ଯ୍ୟନ୍ତ ସେମାନଙ୍କର ପରୀକ୍ଷା କଲା।  
15 ପୁଣି, ଦଶ ଦିନର ଶେଷରେ ରାଜକୀୟ ଆହାର ଭୋଜନକାରୀ ସକଳ ଯୁବାଙ୍କ ମୁଖ ଅପେକ୍ଷା ସେମାନଙ୍କ ମୁଖ ସୁନ୍ଦର ଦେଖାଗଲା ଓ ସେମାନେ ଅଧିକ ହୃଷ୍ଟପୃଷ୍ଟ ଦେଖାଗଲେ।  
16 ଏଥିରେ ଗୃହାଧ୍ୟକ୍ଷ ସେମାନଙ୍କର ସେହି ଭକ୍ଷ୍ୟ ଓ ପାନୀୟ ଦ୍ରାକ୍ଷାରସ ବନ୍ଦ କରି ସେମାନଙ୍କୁ ଶସ୍ୟ ଦେଲା।   
17 ଆଉ, ପରମେଶ୍ୱର ସେହି ଚାରି ଯୁବାଙ୍କୁ ସମସ୍ତ ବିଦ୍ୟା ଓ ଜ୍ଞାନରେ, ବୁଦ୍ଧି ଓ ନିପୁଣତା ଦେଲେ ପୁଣି, ଦାନିୟେଲ ଯାବତୀୟ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ।  
18 ଆଉ, ରାଜା ସେମାନଙ୍କୁ ନିକଟକୁ ଆଣିବା ନିମନ୍ତେ ଯେଉଁ ସମୟ ନିରୂପଣ କରିଥିଲେ, ତାହା ଶେଷ ହୁଅନ୍ତେ, ନପୁଂସକାଧିପତି ସେମାନଙ୍କୁ ନବୂଖଦ୍ନିତ୍ସରର ଛାମୁକୁ ଆଣିଲା।  
19 ପୁଣି, ରାଜା ସେମାନଙ୍କ ସଙ୍ଗେ ଆଳାପ କଲେ; ଆଉ, ସେହି ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ସମାନ କେହି ଦେଖାଗଲେ ନାହିଁ; ଏଣୁ ଏମାନେ ରାଜାଙ୍କ ଛାମୁରେ ଠିଆ ହେଲେ।  
20 ଆଉ, ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେଉଁ କୌଣସି କଥା ରାଜା ସେମାନଙ୍କୁ ପଚାରିଲେ, ସେହି ସକଳ ବିଷୟରେ ସେ ଆପଣାର ସମଗ୍ର ରାଜ୍ୟସ୍ଥ ଯାବତୀୟ ମନ୍ତ୍ରବେତ୍ତା ଓ ଗଣକ ଅପେକ୍ଷା ସେମାନଙ୍କର ବିଜ୍ଞତା ଦଶଗୁଣ ଅଧିକ ଦେଖିଲା।  
21 ପୁଣି, ଦାନିୟେଲ କୋରସ୍ ରାଜାର ପ୍ରଥମ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିଲେ।