ଉପଦେଶକ
ଲେଖକ
ଉପଦେଶକ ପୁସ୍ତକ ସିଧାସଳଖ ଭାବରେ ଲେଖକଙ୍କ ବିଷୟରେ ସୂଚନା ଦିଏ ନାହିଁ। ଉପଦେଶକ 1:1 ଲେଖକ ନିଜ ବିଷୟରେ “ପ୍ରଚାରକ” ଏବ୍ରୀ ଶବ୍ଦ “କୋହେଲେଥ୍” ଭାବରେ ପ୍ରକାଶ କରନ୍ତି। ଏଠାରେ ପ୍ରଚାରକ ନିଜକୁ ଯିରୂଶାଲମର ରାଜା ଦାଉଦଙ୍କର ପୁତ୍ର ବୋଲି ଘୋଷଣା କରନ୍ତି, ସେ ପ୍ରକାଶ କରନ୍ତି ଯେ ତାହାଙ୍କ ପୂର୍ବରୁ ଯିରୂଶାଲମରେ କେହି ତାହାଙ୍କଠାରୁ ଅଧିକ ଜ୍ଞାନୀ ନ ଥିଲେ ଏବଂ ସେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଅନେକ ହିତୋପଦେଶଗୁଡ଼ିକୁ ସଂଗ୍ରହ କରିଛନ୍ତି (ଉପଦେଶକ 1:1, 16; 12:9)। ଶଲୋମନ ଦାଉଦଙ୍କ ଏକମାତ୍ର ପୁତ୍ର ଥିଲେ ଯିଏ ଯିରୂଶାଲମରେ ତାହାଙ୍କ ପରେ ତାହାଙ୍କ ସିଂହାସନର ଅଧିକାରୀ ହୋଇ ସେହି ନଗରରୁ ଇସ୍ରାଏଲକୁ ଶାସନ କଲେ (1:12)। ଏହି ପୁସ୍ତକରେ ଅଳ୍ପ ପଦଗୁଡ଼ିକ ଅଛି ଯାହା ସୂଚାଏ ଯେ ଶଲୋମନ ଏହି ପୁସ୍ତକକୁ ଲେଖିଛନ୍ତି। ପୁସ୍ତକରେ କିଛି ସୂତ୍ର ରହିଅଛି ଯାହା ପ୍ରସ୍ତାବ ଦିଏ ଯେ ଶଲୋମନଙ୍କ ମୃତ୍ୟୁ ପରେ, ସମ୍ଭବତଃ, ଅନେକ ଏକ ଶତ ବର୍ଷ ପରେ ଏକ ଅନ୍ୟ ବ୍ୟକ୍ତି ପୁସ୍ତକ ଲେଖିଥାଇ ପାରନ୍ତି।
ସମୟ ଓ ସ୍ଥାନ
ପ୍ରାୟ 940-931 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଉପଦେଶକ ପୁସ୍ତକଟି ସମ୍ଭବତଃ, ଶଲୋମନଙ୍କ ରାଜତ୍ୱ ଶେଷରେ ଯିରୂଶାଲମରେ ଲେଖାଯାଇଅଛି।
ପ୍ରାପକ
ଉପଦେଶକ ପ୍ରାଚୀନ ଇସ୍ରାଏଲ ଏବଂ ବାଇବଲର ସମସ୍ତ ପାଠକମାନଙ୍କ ନିମନ୍ତେ ଲେଖାଯାଇଥିଲା।
ଉଦ୍ଦେଶ୍ୟ
ଏହି ପୁସ୍ତକ ଆମ୍ଭମାନଙ୍କୁ ଏକ ଶକ୍ତ ଚେତାବନୀ ଦିଏ। ଲକ୍ଷବିହୀନ ଜୀବନ ଯାପନ ବୃଥା ଏବଂ ପରମେଶ୍ୱରଙ୍କୁ ଭୟ ନ କରିବା ନିରର୍ଥକ ଓ ଅସାର, ଏବଂ ବାୟୁର ପାଶ୍ଚାତ ଧାବନ ମାତ୍ର ଅଟେ। ଯଦି ଆମ୍ଭେମାନେ ସୁଖ, ଧନ, ଜ୍ଞାନ, ସମ୍ମାନ, କିମ୍ବା ଆନନ୍ଦକୁ ଅନ୍ୱେଷଣ କରି ଯେବେ ଆମ୍ଭେମାନେ ଜୀବନର ଶେଷ ମୁହୂର୍ତ୍ତକୁ ଆସୁ ଏବଂ ଜାଣିପାରୁ ଯେ ଆମ୍ଭମାନଙ୍କର ଜୀବନ ଯାପନ ବୃଥା ଥିଲା। ପରମେଶ୍ୱରଙ୍କ ଉପରେ କେନ୍ଦ୍ରୀକୃତ ଥିବା ଜୀବନ ହିଁ ଅର୍ଥପୂର୍ଣ୍ଣ ଜୀବନ ଅଟେ।
ବିଷୟବସ୍ତୁ
ପରମେଶ୍ୱରଙ୍କ ବ୍ୟତୀତ ସମସ୍ତ ବିଷୟ ଅସାର ଅଟେ।
ରୂପରେଖା
1. ଉପକ୍ରମ — 1:1-11
2. ଜୀବନର ଅନେକ ଦୃଷ୍ଟିକୋଣ ଗୁଡ଼ିକର ଅସାରତା — 1:12-5:7
3. ପରମେଶ୍ୱରଙ୍କ ଭୟ — 5:8-12:8
4. ଉପସଂହାର — 12:9-14
1
ସମସ୍ତ ଅସାର
1 ଦାଉଦଙ୍କର ପୁତ୍ର, ଯିରୂଶାଲମସ୍ଥ ରାଜା, ଉପଦେଶକଙ୍କର ବାକ୍ୟମାଳା।
2 ଉପଦେଶକ କହୁଅଛନ୍ତି,
“ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର।”
3 ମନୁଷ୍ୟ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହୁଏ,
ତାହାର ସେହିସବୁରୁ କି ଲାଭ?
4 ଏକ ପିଢ଼ି ଯାଏ ଓ ଅନ୍ୟ ପିଢ଼ି ଆସେ;
କିନ୍ତୁ ପୃଥିବୀ ସଦାକାଳ ଥାଏ।
5 ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ,
ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ।
6 ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ;
ଆପଣା ପଥରେ ସର୍ବଦା ଘୂରେ
ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ।
7 ନଦୀସବୁ ସମୁଦ୍ରକୁ ବହିଯାଆନ୍ତି,
ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ;
ନଦୀସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି।
8 ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ; ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ;
ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।
9 ଯାହା ହୋଇଅଛି, ତାହା ହିଁ ହେବ
ଓ ଯାହା କରାଯାଇଅଛି, ତାହା ହିଁ କରାଯିବ;
ପୁଣି, ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ।
10 ଯାହା ବିଷୟରେ ମନୁଷ୍ୟମାନେ କହନ୍ତି,
ଦେଖ, ଏହା ନୂତନ, ଏହାପରି କି କୌଣସି ବିଷୟ ଅଛି?
ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା।
11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ;
କିଅବା ଭବିଷ୍ୟତରେ ଯେଉଁମାନେ ଉତ୍ପନ୍ନ ହେବେ,
ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।
ଜ୍ଞାନର ଅସାରତା
12 ମୁଁ ଉପଦେଶକ, ଯିରୂଶାଲମରେ ଇସ୍ରାଏଲ ଉପରେ ରାଜା ଥିଲି।
13 ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି; ଏତଦ୍ଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ-ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ।
14 ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି; ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍ଧାବନମାତ୍ର।
15 ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେ ପୁଣି,
ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ।
16 ମୁଁ ଆପଣା ହୃଦୟରେ ଭାବି କହିଲି, “ଦେଖ, ଯିରୂଶାଲମରେ ମୋʼ ପୂର୍ବେ ଥିବା ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ବହୁତ ଜ୍ଞାନପ୍ରାପ୍ତ ହୋଇଅଛି; ଆହୁରି, ମୋହର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହା ଅନୁଭବୀ ହୋଇଅଛି।”
17 ତହୁଁ ମୁଁ ଜ୍ଞାନର ତତ୍ତ୍ୱ, ପୁଣି ପାଗଳାମି ଓ ଅଜ୍ଞାନତାର ତତ୍ତ୍ୱ ଜାଣିବା ପାଇଁ ମନୋଯୋଗ କଲି; ଏହା ହିଁ ବାୟୁର ପଶ୍ଚାଦ୍ଧାବନ ବୋଲି ଜାଣିଲି।
18 କାରଣ ବହୁତ ଜ୍ଞାନରେ ବହୁତ କ୍ଲେଶ ଥାଏ;
ପୁଣି, ଯେ ବିଦ୍ୟା ବୃଦ୍ଧି କରେ, ସେ ଦୁଃଖ ବୃଦ୍ଧି କରେ।