2
ଯୂନସଙ୍କ ପ୍ରାର୍ଥନା
1 ସେତେବେଳେ ଯୂନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ।
2 ଆଉ, ସେ କହିଲେ,
“ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି,
ତହିଁରେ ସେ ମୋତେ ଉତ୍ତର ଦେଲେ,
ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି,
ତୁମ୍ଭେ ମୋର ରବ ଶୁଣିଲ।
3 କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ,
ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା;
ତୁମ୍ଭର ଢେଉ ଓ ତରଙ୍ଗସବୁ
ମୋʼ ଉପର ଦେଇ ଗଲା।
4 ଆଉ, ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି;
ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି।
5 ଜଳରାଶି ପ୍ରାଣ ପର୍ଯ୍ୟନ୍ତ ହିଁ ମୋତେ ଘେରିଲା;
ଗଭୀର ସାଗର ମୋତେ ଚାରିଆଡ଼େ ଘେରିଲା;
ସମୁଦ୍ରର ଦଳ ମୋʼ ମସ୍ତକର ଚାରିଆଡ଼େ ଜଡ଼ିତ ହେଲା।
6 ମୁଁ ପର୍ବତଗଣର ମୂଳ ପର୍ଯ୍ୟନ୍ତ ତଳକୁ ଗଲି;
ମୋʼ ପଶ୍ଚାତ୍ ପୃଥିବୀ ଆପଣାର ଅର୍ଗଳସକଳ ଚିରକାଳ ନିମନ୍ତେ ରୁଦ୍ଧ କଲା;
ତଥାପି ହେ ସଦାପ୍ରଭୁ, ମୋʼ ପରମେଶ୍ୱର, ତୁମ୍ଭେ ଗର୍ତ୍ତରୁ ମୋʼ ପ୍ରାଣକୁ ବାହାର କରି ଆଣିଲ।
7 ମୋʼ ମଧ୍ୟରେ ମୋʼ ପ୍ରାଣ ମୂର୍ଚ୍ଛିତ ହେବା ବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି;
ପୁଣି, ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା।
8 ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି,
ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି।
9 ମାତ୍ର ମୁଁ ଧନ୍ୟବାଦ ସହିତ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି;
ମୁଁ ଯାହା ମାନତ କରିଅଛି, ତାହା ପରିଶୋଧ କରିବି;
ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ।”
10 ଏଥିରେ ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ, ସେ ଯୂନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା।