ନାହୂମ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ
ଲେଖକ
ନାହୂମ ପୁସ୍ତକର ଲେଖକ ନିଜକୁ ନାହୂମ ବୋଲି ପ୍ରକାଶ କରନ୍ତି (ଏବ୍ରୀରେ “ସାନ୍ତ୍ୱନାଦାତା”) ଇଲକୋଶୀୟ (1:1) ଅଟେ। ଭବିଷ୍ୟଦ୍ବକ୍ତା ଭାବେ, ନାହୂମ ଅଶୂରୀୟା ଲୋକମାନଙ୍କୁ ବିଶେଷକରି ସେମାନଙ୍କର ରାଜଧାନୀ ନୀନିବୀରେ ମନପରିବର୍ତ୍ତନର ବାର୍ତ୍ତା ଦେବା ନିମନ୍ତେ ପ୍ରେରିତ ହୋଇଥିଲେ। ଏହା ପ୍ରାୟ ଭବିଷ୍ୟଦ୍ବକ୍ତା ଯୂନସଙ୍କ ନୀନିବୀରେ ମନପରିବର୍ତ୍ତନର ପ୍ରଚାରର 150 ବର୍ଷ ପରେ ଥିଲା ଏହା ପ୍ରତୀୟମାନ ହୁଏ ଯେ ସେମାନେ ପୁଣିଥରେ ନିଜର ପୂର୍ବ ପ୍ରତିମା ପୂଜାକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ସମୟ ଓ ସ୍ଥାନ
ପ୍ରାୟ 620-612 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ନାହୂମ ପୁସ୍ତକର ସମୟ ନିରପେକ୍ଷ ଏବଂ ନିର୍ଦ୍ୱନ୍ଦରେ ଲେଖାଯାଇ ପାରିବ କାରଣ ଏହା ସୁପରିଚିତ ଦୁଇଟି ଐତିହାସିକ ଘଟଣାଗୁଡ଼ିକରେ ମଧ୍ୟରେ ଅଛି: ଥେବେସ୍ର ପତନ ଏବଂ ନୀନିବୀର ପତନ।
ପ୍ରାପକ
ନାହୂମଙ୍କର ଭାବବାଣୀ ଉଭୟ ଅଶୂରୀୟା ଲୋକମାନକୁ ଯିଏ ଉତ୍ତର ଯିହୁଦାର ଦଶ ଗୋଷ୍ଠୀକୁ ବନ୍ଦୀ କରି ନେଇଥିଲେ ଏବଂ ଯିହୁଦାର ଦକ୍ଷିଣ ରାଜ୍ୟକୁ ମଧ୍ୟ ଯେଉଁମାନେ ଭୟଭୀତ ଥିଲେ ଯେ ସେମାନଙ୍କ ପ୍ରତି ମଧ୍ୟ ସେହିପରି ଘଟିବ।
ଉଦ୍ଦେଶ୍ୟ
ପରମେଶ୍ୱରଙ୍କ ବିଚାର ସର୍ବଦା ନ୍ୟାୟସଙ୍ଗତ ଏବଂ ସ୍ଥିର। ପରମେଶ୍ୱର କ୍ଷଣିକ ନିମନ୍ତେ ଅନୁଗ୍ରହ ପ୍ରଦାନ କରନ୍ତି ନାହିଁ କିମ୍ବା ଶେଷରେ ସମସ୍ତଙ୍କ ନିମନ୍ତେ ତାହାଙ୍କର ବିଚାର ଉତ୍ତମ ଉପହାର ସହ ସମଧାନ କରିବ ନାହିଁ। ପରମେଶ୍ୱର ଭବିଷ୍ୟଦ୍ବକ୍ତା ଯୂନସଙ୍କୁ ସେମାନଙ୍କ ନିକଟକୁ 150 ବର୍ଷ ପୂର୍ବରୁ ପ୍ରେରଣ କରି ଚେତାବନୀ ଦେଇଥିଲେ ଯେ ଯଦି ସେମାନେ ମନପରିବର୍ତ୍ତନ ନ କରନ୍ତି ତେବେ ପରିଣାମ କʼଣ ହେବ। ଲୋକମାନେ ସେହି ସମୟରେ ମନପରିବର୍ତ୍ତନ କରିଥିଲେ କିନ୍ତୁ ସେମାନେ ପୂର୍ବଠାରୁ ଅଧିକ ବର୍ତ୍ତମାନ ପାପରେ ବାସ କରୁଥିଲେ। ଅଶୂରୀୟା ଲୋକମାନେ ସମ୍ପୂର୍ଣ୍ଣ କ୍ରୂର ଭାବରେ ସେମାନଙ୍କ ଉପରେ ବିଜୟ ପ୍ରାପ୍ତ କରନ୍ତି। ବର୍ତ୍ତମାନ ନାହୂମ ଯିହୁଦାର ଲୋକମାନଙ୍କୁ ନିରାଶ ନ ହେବାକୁ କହୁଛନ୍ତି କାରଣ ପରମେଶ୍ୱର ଅଶୂରୀୟା ଲୋକମାନଙ୍କର ବିଚାର କରିବେ ଏବଂ ସେମାନେ ଶୀଘ୍ର ଆପଣା ପରିଣାମ ପାଇବେ।
ବିଷୟବସ୍ତୁ
ଆଶ୍ୱାସନ
ରୂପରେଖା
1. ପରମେଶ୍ୱରଙ୍କ ସାର୍ବଭୌମ ଶକ୍ତି — 1:1-14
2. ପରମେଶ୍ୱରଙ୍କ ବିଚାର ଏବଂ ନୀନିବୀ — 1:15-3:19
1
1 ନୀନିବୀ ବିଷୟକ ବାର୍ତ୍ତା। ଇଲକୋଶୀୟ ନାହୂମଙ୍କର ଦର୍ଶନ ପୁସ୍ତକ।
ନୀନିବୀ ପ୍ରତି ପରମେଶ୍ୱରଙ୍କ କ୍ରୋଧ
2 ସଦାପ୍ରଭୁ (ସ୍ୱଗୌରବ ରକ୍ଷଣେ) ଉଦ୍ଯୋଗୀ ପରମେଶ୍ୱର ଓ ପ୍ରତିଫଳଦାତା ଅଟନ୍ତି; ସଦାପ୍ରଭୁ ପ୍ରତିଫଳଦାତା ଓ କ୍ରୋଧପୂର୍ଣ୍ଣ ଅଟନ୍ତି; ସଦାପ୍ରଭୁ ଆପଣା ବିପକ୍ଷଗଣକୁ ପ୍ରତିଫଳ ଦିଅନ୍ତି ଓ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି।
3 ସଦାପ୍ରଭୁ କ୍ରୋଧରେ ଧୀର ଓ ପରାକ୍ରମରେ ମହାନ ଓ କୌଣସି ପ୍ରକାରେ ଦୋଷୀକୁ ନିର୍ଦ୍ଦୋଷ କରିବେ ନାହିଁ; ଘୂର୍ଣ୍ଣିବାୟୁ ଓ ତୋଫାନ ମଧ୍ୟରେ ସଦାପ୍ରଭୁଙ୍କର ପଥ ଅଛି ଓ ମେଘମାଳ ତାହାଙ୍କର ପାଦଧୂଳି।
4 ସେ ସମୁଦ୍ରକୁ ଧମକାଇ ଶୁଷ୍କ କରନ୍ତି ଓ ନଦ-ନଦୀସକଳ ନିର୍ଜଳ କରନ୍ତି; ବାଶନ ଅଞ୍ଚଳ ଓ କର୍ମିଲ ପର୍ବତ ମ୍ଳାନ ହୁଏ ଓ ଲିବାନୋନର ପୁଷ୍ପ ମ୍ଳାନ ହୁଏ।
5 ତାହାଙ୍କ ଆଗରେ ପର୍ବତଗଣ କମ୍ପିତ ହୁଅନ୍ତି ଓ ଉପପର୍ବତସବୁ ତରଳି ଯାʼନ୍ତି; ଆଉ, ତାହାଙ୍କ ସାକ୍ଷାତରେ ପୃଥିବୀ କମ୍ପିତ ହୁଏ, ହଁ ଜଗତ ଓ ତନ୍ନିବାସୀ ସମସ୍ତେ କମ୍ପିତ ହୁଅନ୍ତି।
6 ତାହାଙ୍କ କ୍ରୋଧ ସମ୍ମୁଖରେ କିଏ ଠିଆ ହୋଇପାରେ? ଓ ତାହାଙ୍କ କ୍ରୋଧର ପ୍ରଚଣ୍ଡତାରେ କିଏ ରହିପାରେ? ତାହାଙ୍କ କୋପ ଅଗ୍ନି ତୁଲ୍ୟ ଢଳାଯାଏ ଓ ତାହାଙ୍କ ଦ୍ୱାରା ଶୈଳସବୁ ବିଦୀର୍ଣ୍ଣ ହୁଏ।
7 ସଦାପ୍ରଭୁ ମଙ୍ଗଳମୟ ଓ ସଙ୍କଟ ଦିନରେ ଦୃଢ଼ ଦୁର୍ଗ ଅଟନ୍ତି; ଆଉ, ଯେଉଁମାନେ ତାହାଙ୍କଠାରେ ନିର୍ଭର କରନ୍ତି; ସେମାନଙ୍କୁ ସେ ଜାଣନ୍ତି।
8 ମାତ୍ର ସେ ପ୍ଲାବନକାରୀ ବନ୍ୟା ଦ୍ୱାରା ସେହି ସ୍ଥାନ ନିଃଶେଷ ରୂପେ ସଂହାର କରିବେ ଓ ଆପଣା ଶତ୍ରୁଗଣକୁ ଅନ୍ଧକାରକୁ ତଡ଼ି ଦେବେ।
9 ତୁମ୍ଭେମାନେ ସଦାପ୍ରଭୁଙ୍କ ପ୍ରତିକୂଳରେ କି କଳ୍ପନା କରୁଅଛ? ସେ ନିଃଶେଷ ରୂପେ ସଂହାର କରିବେ; ଦ୍ୱିତୀୟ ଥର କ୍ଳେଶ ଉପସ୍ଥିତ ହେବ ନାହିଁ।
10 କାରଣ ସେମାନେ ଜଡ଼ିତ କଣ୍ଟକର ନ୍ୟାୟ ଓ ମଦ୍ୟପାନରେ ତିନ୍ତିବା ପରି ହେଲେ ହେଁ ଶୁଷ୍କ ନଡ଼ା ତୁଲ୍ୟ ନିଃଶେଷ ରୂପେ ଗ୍ରାସିତ ହେବେ।
11 ସଦାପ୍ରଭୁଙ୍କ ବିରୁଦ୍ଧରେ ଯେ କୁସଂକଳ୍ପ କରେ, ଯେ ଦୁଷ୍କ୍ରିୟା କରିବାକୁ ପରାମର୍ଶ ଦିଏ, ଏପରି ଏକ ଜଣ ତୁମ୍ଭ ମଧ୍ୟରୁ ବାହାର ହୋଇ ଯାଇଅଛି।
12 ସଦାପ୍ରଭୁ ଏହି କଥା କହନ୍ତି; “ସେମାନେ ସମ୍ପୂର୍ଣ୍ଣ ଶକ୍ତିବିଶିଷ୍ଟ ଓ ବହୁସଂଖ୍ୟକ ହେଲେ ହେଁ ସେହିପରି କଟାଯିବେ ଓ ସେମାନେ ବୋହି ଚାଲିଯିବେ। ଯଦ୍ୟପି ଆମ୍ଭେ ତୁମ୍ଭକୁ କ୍ଳେଶ ଦେଇଅଛୁ, ତଥାପି ଆମ୍ଭେ ତୁମ୍ଭକୁ ଆଉ କ୍ଳେଶ ଦେବା ନାହିଁ।
13 ପୁଣି, ଏବେ ଆମ୍ଭେ ତୁମ୍ଭ ସ୍କନ୍ଧରୁ ତାହାର ଯୁଆଳି ଭାଙ୍ଗି ପକାଇବା ଓ ତୁମ୍ଭର ବନ୍ଧନସବୁ ଛିଣ୍ଡାଇ ଦେବା।”
14 ପୁଣି, ସଦାପ୍ରଭୁ ତୁମ୍ଭ ବିଷୟରେ ଏହି ଆଜ୍ଞା କରିଅଛନ୍ତି ଯେ, “ତୁମ୍ଭ ନାମରୂପ ବୀଜ ଆଉ ବୁଣା ନୋହିବ; ତୁମ୍ଭ ଦେବାଳୟରେ ଆମ୍ଭେ ଖୋଦିତ ପ୍ରତିମା ଓ ଛାଞ୍ଚରେ ଢଳା ପ୍ରତିମା ଉଚ୍ଛିନ୍ନ କରିବା; ଆମ୍ଭେ ତୁମ୍ଭର କବର ପ୍ରସ୍ତୁତ କରିବା; କାରଣ ତୁମ୍ଭେ ପାପାଧମ ଅଟ।”
15 ଯେ ସୁସମାଚାର ଆଣେ ଓ ଶାନ୍ତି ପ୍ରଚାର କରେ, ପର୍ବତଗଣର ଉପରେ ତାହାର ଚରଣ ଦେଖ! ହେ ଯିହୁଦା, ତୁମ୍ଭେ ଆପଣା ଉତ୍ସବସକଳ ପାଳନ କର ଓ ଆପଣା ମାନତସବୁ ପୂର୍ଣ୍ଣ କର; କାରଣ ସେହି ଦୁଷ୍ଟ ତୁମ୍ଭ ମଧ୍ୟରେ ଆଉ ଗତାୟାତ କରିବେ ନାହିଁ; ଯେହେତୁ ସେମାନେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛନ୍ତି।