102
ଜଣେ ଦୁଃଖରେ ବ୍ୟଥିତ ବ୍ୟକ୍ତିର ପ୍ରାର୍ଥନା
ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।
ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ
ଓ ମୋʼ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ।
ମୋʼ ସଙ୍କଟ ଦିନରେ ମୋʼ ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ;
ମୋʼ ପ୍ରତି ଆପଣା କର୍ଣ୍ଣ ଡେର;
ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ।
କାରଣ ମୋʼ ବଞ୍ଚିବାର ଦିନସବୁ ଧୂଆଁ ପରି କ୍ଷୟ ପାଏ
ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ।
ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି,
ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ।
ମୋହର ହାହାକାର ଶବ୍ଦ ସକାଶୁ
ମୋʼ ଅସ୍ଥିସବୁ ମୋʼ ମାଂସରେ ଲାଗି ରହେ।
ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର* ତୁଲ୍ୟ;
ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି।
ମୁଁ ଉଜାଗର ରହେ
ଓ ଛାତ ଉପରିସ୍ଥ ଏକାକୀ ଥିବା ଘରଚଟିଆ ତୁଲ୍ୟ ହୋଇଅଛି;
ମୋʼ ଶତ୍ରୁମାନେ ସାରାଦିନ ମୋତେ ନିନ୍ଦା କରନ୍ତି;
ମୋʼ ବିରୁଦ୍ଧରେ କ୍ରୋଧାନ୍ୱିତ ଲୋକମାନେ ମୋʼ ନାମ ନେଇ ଅଭିଶାପ ଦିଅନ୍ତି।
କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି
ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି।
10 ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି;
ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ।
11 ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ
ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି।
12 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ଅନନ୍ତକାଳ
ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ।
13 ତୁମ୍ଭେ ଉଠି ସିୟୋନକୁ ଦୟା କରିବ;
କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ,
ନିରୂପିତ ସମୟ ଉପସ୍ଥିତ।
14 ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା
ଓ ତହିଁର ଧୂଳିରେ ଦୟାଭାବ ବହନ୍ତି।
15 ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ
ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ।
16 କାରଣ ସଦାପ୍ରଭୁ ସିୟୋନକୁ ପୁନଃନିର୍ମାଣ କରିଅଛନ୍ତି
ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;
17 ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି
ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି।
18 ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ;
ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ।
19 କାରଣ ବନ୍ଦୀର ହାହାକାର ଶୁଣିବାକୁ,
ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ;
20 ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି;
ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ;
21 ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ
ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ,
22 ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ
ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ;
23 ସଦାପ୍ରଭୁ ଜୀବନର ପଥ ମଧ୍ୟରେ ମୋର ବଳ ହ୍ରାସ କଲେ,
ସେ ମୋହର ଆୟୁ ଊଣା କଲେ।
24 ମୁଁ କହିଲି, “ହେ ମୋହର ପରମେଶ୍ୱର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ;
ତୁମ୍ଭର ବର୍ଷ ପୁରୁଷାନୁକ୍ରମରେ ଥାଏ।”
25 ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ;
ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ।
26 ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ;
ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ;
ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ।
27 ମାତ୍ର ତୁମ୍ଭେ ସେହି ଅଟ
ଓ ତୁମ୍ଭ ବଞ୍ଚିବାର ବର୍ଷ ଶେଷ ହେବ ନାହିଁ।
28 ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ
ଓ ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ।
* 102:6 ପାଣିଭେଳା ପକ୍ଷୀର ଶାଗୁଣା କିଅବା ପେଚା 102:23 ପଥ ଅର୍ଥାତ୍‍ ଯୁବକ ଥିବା ସମୟରେ