138
ଧନ୍ୟବାଦ ସ୍ତୁତି
ଦାଉଦଙ୍କର ଗୀତ।
1 ହେ ସଦାପ୍ରଭୁ, ମୁଁ ଆପଣାର ସର୍ବାନ୍ତଃକରଣରେ ତୁମ୍ଭର ଧନ୍ୟବାଦ କରିବି;
ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
2 ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା କରିବି,
ପୁଣି, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି।
କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ କରିଅଛ।
3 ମୁଁ ପ୍ରାର୍ଥନା କରିବା ଦିନ ତୁମ୍ଭେ ମୋତେ ଉତ୍ତର ଦେଲ,
ତୁମ୍ଭେ ମୋʼ ପ୍ରାଣକୁ ବଳ ଦେଇ ସାହସିକ କଲ।
4 ହେ ସଦାପ୍ରଭୋ, ପୃଥିବୀସ୍ଥ ସମସ୍ତ ରାଜା ତୁମ୍ଭର ଧନ୍ୟବାଦ କରିବେ,
କାରଣ ସେମାନେ ତୁମ୍ଭ ମୁଖର ବାକ୍ୟ ଶୁଣିଅଛନ୍ତି।
5 ହଁ, ସେମାନେ ସଦାପ୍ରଭୁଙ୍କ ପଥ ବିଷୟ ଗାନ କରିବେ;
କାରଣ ସଦାପ୍ରଭୁଙ୍କ ଗୌରବ ମହତ୍।
6 ଯେହେତୁ ସଦାପ୍ରଭୁ ଉଚ୍ଚ ହେଲେ ହେଁ ନୀଚ ଲୋକଙ୍କ ପ୍ରତି ଦୃଷ୍ଟି କରନ୍ତି;
ମାତ୍ର ସେ ଗର୍ବୀକୁ ଦୂରରୁ ଚିହ୍ନନ୍ତି।
7 ମୁଁ ସଙ୍କଟ ମଧ୍ୟରେ ଗମନ କଲେ ହେଁ ତୁମ୍ଭେ ମୋତେ ସୁରକ୍ଷିତ ରଖିବ,
ତୁମ୍ଭେ ମୋʼ ଶତ୍ରୁଗଣର କୋପ ପ୍ରତିକୂଳରେ ଆପଣା ହସ୍ତ ବିସ୍ତାର କରିବ
ଓ ତୁମ୍ଭ ଦକ୍ଷିଣ ହସ୍ତ ମୋତେ ତ୍ରାଣ କରିବ।
8 ସଦାପ୍ରଭୁ ମୋʼ ସମ୍ପର୍କୀୟ ବିଷୟ ସାଧନ କରିବେ;
ହେ ସଦାପ୍ରଭୋ, ତୁମ୍ଭ ଦୟା ଅନନ୍ତକାଳସ୍ଥାୟୀ;
ତୁମ୍ଭେ ଆପଣା ହସ୍ତକୃତ କର୍ମ ପରିତ୍ୟାଗ କର ନାହିଁ।