140
ଆଶ୍ରୟ ଭିକ୍ଷା
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
ହେ ସଦାପ୍ରଭୋ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର;
ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର।
ସେମାନେ ମନେ ମନେ କୁକଳ୍ପନା କରନ୍ତି;
ସେମାନେ ଯୁଦ୍ଧ କରିବାକୁ ପ୍ରତିଦିନ ଏକତ୍ରିତ ହୁଅନ୍ତି।
ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍ଣ କରିଅଛନ୍ତି;
ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ।
[ସେଲା]
ହେ ସଦାପ୍ରଭୋ, ଦୁଷ୍ଟର ହସ୍ତରୁ ମୋତେ ରଖ;
ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର;
ସେମାନେ ବିପଥକୁ ମୋʼ ଚରଣ ପେଲି ଦେବା ପାଇଁ କଳ୍ପନା କରିଅଛନ୍ତି।
ଅହଙ୍କାରୀମାନେ ଗୋପନରେ ମୋʼ ପାଇଁ ଫାନ୍ଦ ଓ ଦଉଡ଼ି ପାତିଅଛନ୍ତି।
ସେମାନେ ପଥ ପାର୍ଶ୍ୱରେ ଜାଲ ପ୍ରସାରି ଅଛନ୍ତି;
ସେମାନେ ମୋʼ ପାଇଁ ଯନ୍ତା ବସାଇ ଅଛନ୍ତି।
[ସେଲା]
ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋହର ପରମେଶ୍ୱର;
ହେ ସଦାପ୍ରଭୋ, ମୋʼ ନିବେଦନର ରବରେ କର୍ଣ୍ଣପାତ କର।
ହେ ମୋʼ ପରିତ୍ରାଣର ବଳ ସ୍ୱରୂପ, ପ୍ରଭୋ ସଦାପ୍ରଭୋ,
ତୁମ୍ଭେ ଯୁଦ୍ଧର ଦିନରେ ମୋʼ ମସ୍ତକ ରକ୍ଷା କରିଅଛ।
ହେ ସଦାପ୍ରଭୋ, ଦୁଷ୍ଟର ବାଞ୍ଛା ପ୍ରଦାନ କର ନାହିଁ;
ତାହାର କୁକଳ୍ପନା ସିଦ୍ଧ କର ନାହିଁ; କେଜାଣି ସେମାନେ ଆପଣାମାନଙ୍କୁ ଗର୍ବିତ କରିବେ।
[ସେଲା]
ଯେଉଁମାନେ ମୋତେ ଘେରିଅଛନ୍ତି,
ସେମାନଙ୍କ ନିଜ ଓଷ୍ଠାଧରର ଦୌରାତ୍ମ୍ୟ ସେମାନଙ୍କ ମସ୍ତକ ଉପରେ ବର୍ତ୍ତୁ।
10 ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ।
ସେମାନେ ଅଗ୍ନିରେ ନିକ୍ଷିପ୍ତ ହେଉନ୍ତୁ;
ସେମାନେ ଯେପରି ଆଉ ଉଠି ନ ପାରିବେ, ଏଥିପାଇଁ ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହେଉନ୍ତୁ।
11 ଦୁର୍ମୁଖ ଲୋକ ପୃଥିବୀରେ ସ୍ଥିର ହେବ ନାହିଁ;
ଉପଦ୍ରବୀକୁ ନିପାତ କରିବା ପାଇଁ ଅମଙ୍ଗଳ ମୃଗୟା କରିବ।
12 ସଦାପ୍ରଭୁ ଦୁଃଖୀର ବିବାଦ
ଓ ଦୀନହୀନର ବିଚାର ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ।
13 ଧାର୍ମିକମାନେ ଅବଶ୍ୟ ତୁମ୍ଭ ନାମର ଧନ୍ୟବାଦ କରିବେ;
ସରଳ ଲୋକମାନେ ତୁମ୍ଭ ଛାମୁରେ ବାସ କରିବେ।