143
ସହାୟତା ପାଇଁ ପ୍ରାର୍ଥନା
ଦାଉଦଙ୍କର ଗୀତ।
ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ; ମୋʼ ନିବେଦନରେ କର୍ଣ୍ଣପାତ କର;
ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ।
ନିଜ ଦାସକୁ ବିଚାରରେ ଆଣ ନାହିଁ;
କାରଣ ତୁମ୍ଭ ଦୃଷ୍ଟିରେ କୌଣସି ଜୀବିତ ମନୁଷ୍ୟ ଧାର୍ମିକ ହୋଇ ପାରିବ ନାହିଁ।
ଶତ୍ରୁ ମୋʼ ପ୍ରାଣକୁ ତାଡ଼ନା କରିଅଛି;
ସେ ମୋʼ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛି;
ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇଅଛି।
ଏହେତୁ ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍‍ବିଗ୍ନ ହୋଇଅଛି;
ମୋʼ ଅନ୍ତରରେ ମୋହର ଚିତ୍ତ ଶୂନ୍ୟ ହୋଇଅଛି।
ମୁଁ ପୂର୍ବକାଳର ଦିନସବୁ ସ୍ମରଣ କରୁଅଛି;
ମୁଁ ତୁମ୍ଭର କର୍ମସବୁ ଧ୍ୟାନ କରୁଅଛି;
ମୁଁ ତୁମ୍ଭର ହସ୍ତକୃତ କର୍ମ ଚିନ୍ତା କରୁଅଛି।
ମୁଁ ତୁମ୍ଭଆଡ଼େ ହସ୍ତ ପ୍ରସାରୁଅଛି;
ଶୁଷ୍କ ଭୂମି ତୁଲ୍ୟ ମୋʼ ପ୍ରାଣ ତୁମ୍ଭ ପାଇଁ ତୃଷିତ ହେଉଅଛି।
[ସେଲା]
ହେ ସଦାପ୍ରଭୋ, ମୋତେ ଉତ୍ତର ଦେବାକୁ ସତ୍ୱର ହୁଅ; ମୋହର ଆତ୍ମା କ୍ଷୀଣ ହେଉଅଛି;
ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ;
କେଜାଣି ମୁଁ ଗର୍ତ୍ତଗାମୀମାନଙ୍କ ତୁଲ୍ୟ ହେବି।
ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ;
କାରଣ ମୁଁ ତୁମ୍ଭଠାରେ ଭରସା ରଖେ;
ମୋହର ଗନ୍ତବ୍ୟ ପଥ ମୋତେ ଜଣାଅ;
କାରଣ ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।
ହେ ସଦାପ୍ରଭୋ, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର;
ମୁଁ ଲୁଚିବା ପାଇଁ ତୁମ୍ଭ ନିକଟକୁ ପଳାଏ।
10 ତୁମ୍ଭର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ;
କାରଣ ତୁମ୍ଭେ ମୋହର ପରମେଶ୍ୱର;
ତୁମ୍ଭର ଆତ୍ମା ମଙ୍ଗଳମୟ; ମୋତେ ସରଳ ଭୂମିରେ ଗମନ କରାଅ।
11 ହେ ସଦାପ୍ରଭୋ, ତୁମ୍ଭ ନାମ ସକାଶୁ ମୋତେ ସଜୀବ କର;
ତୁମ୍ଭ ଧର୍ମରେ ମୋʼ ପ୍ରାଣକୁ ସଙ୍କଟରୁ ବାହାର କରି ଆଣ।
12 ପୁଣି, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋʼ ଶତ୍ରୁମାନଙ୍କୁ ଉଚ୍ଛିନ୍ନ କର
ଓ ମୋʼ ପ୍ରାଣର କ୍ଳେଶଦାୟୀ ସମସ୍ତଙ୍କୁ ନାଶ କର;
କାରଣ ମୁଁ ତୁମ୍ଭର ଦାସ।