148
ସଦାପ୍ରଭୁଙ୍କ ସ୍ତୁତି ପାଇଁ ବିଶ୍ୱକୁ ଆହ୍ୱାନ
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ତୁମ୍ଭେମାନେ ଆକାଶମଣ୍ଡଳରୁ ତାହାଙ୍କର ପ୍ରଶଂସା କର;
ଊର୍ଦ୍ଧ୍ୱ ସ୍ଥାନରେ ତାହାଙ୍କର ପ୍ରଶଂସା କର।
ହେ ତାହାଙ୍କର ଦୂତ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର;
ହେ ତାହାଙ୍କର ସୈନ୍ୟ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
ହେ ସୂର୍ଯ୍ୟ ଓ ଚନ୍ଦ୍ର, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
ହେ ଦୀପ୍ତିମୟ ତାରା ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
ହେ ସ୍ୱର୍ଗର ସ୍ୱର୍ଗ ଓ ଗଗନୋପରିସ୍ଥ ଜଳସମୂହ,
ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
ଏମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ;
କାରଣ ସେ ଆଜ୍ଞା କରନ୍ତେ, ଏମାନେ ସୃଷ୍ଟ ହେଲେ।
ଆହୁରି, ସେ ସଦାକାଳ ପାଇଁ ଏମାନଙ୍କୁ ସ୍ଥାପନ କରିଅଛନ୍ତି;
ସେ ନିୟମ କରିଅଛନ୍ତି, ତାହା ଲୁପ୍ତ ହେବ ନାହିଁ।
ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର,
ହେ ତିମିଙ୍ଗିଳ ଓ ସକଳ ବାରିଧି;
ଅଗ୍ନି* ଓ ଶିଳା, ହିମ ଓ ବାଷ୍ପ;
ତାହାଙ୍କ ବାକ୍ୟସାଧକ ପ୍ରଚଣ୍ଡ ବାୟୁ;
ପର୍ବତ ଓ ସକଳ ଉପପର୍ବତ;
ଫଳବାନ ବୃକ୍ଷ ଓ ସକଳ ଏରସ ବୃକ୍ଷ;
10 ବନ୍ୟ ଓ ସକଳ ଗ୍ରାମ୍ୟ ପଶୁ;
ଉରୋଗାମୀ ଓ ଉଡ୍ଡୀୟମାନ ପକ୍ଷୀଗଣ;
11 ପୃଥିବୀର ରାଜାଗଣ ଓ ସକଳ ଗୋଷ୍ଠୀ;
ଅଧିପତିଗଣ ଓ ପୃଥିବୀର ସକଳ ବିଚାରକର୍ତ୍ତା।
12 ଯୁବକ ଓ ଯୁବତୀମାନେ;
ବୃଦ୍ଧ ଓ ବାଳକମାନେ;
13 ସେସମସ୍ତେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ;
କାରଣ କେବଳ ତାହାଙ୍କ ନାମ ଉନ୍ନତ ଅଟେ;
ତାହାଙ୍କର ମହିମା ପୃଥିବୀ ଓ ସ୍ୱର୍ଗର ଉପରିସ୍ଥ।
14 ସେ ଆପଣା ଲୋକମାନଙ୍କ ଶୃଙ୍ଗ ଉଠାଇଅଛନ୍ତି,
ତାହା ତାହାଙ୍କ ସଦ୍‍ଭକ୍ତମାନଙ୍କର
ଓ ତାହାଙ୍କ ନିକଟବର୍ତ୍ତୀ ଇସ୍ରାଏଲ-ସନ୍ତାନଗଣର ପ୍ରଶଂସାର ବିଷୟ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
* 148:8 ଅଗ୍ନି ବିଜୁଳି