19
ସୃଷ୍ଟିରେ ସଦାପ୍ରଭୁଙ୍କ ମହିମା
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
 
ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ;
ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ।
ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ
ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ।
କୌଣସି ବାକ୍ୟ କି ଭାଷା ନ ଥାଏ;
ସେମାନଙ୍କ ରବ ଶୁଣାଯାଇ ନ ପାରେ।
ତଥାପି ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ
ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ।
ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି,
ସେ ଆପଣା ଅନ୍ତଃପୁରରୁ ବାହାରି ଆସିବା ବର ତୁଲ୍ୟ
ଓ ସେ ଆପଣା ପଥରେ ଦୌଡ଼ିବା ପାଇଁ ବୀର ତୁଲ୍ୟ ଆନନ୍ଦ କରେ।
ଆକାଶମଣ୍ଡଳର ପ୍ରାନ୍ତରୁ ତାହାର ଉଦୟ
ଓ ତହିଁର ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ତାହାର ଭ୍ରମଣ ହୁଅଇ;
ପୁଣି, ତାହାର ଉତ୍ତାପରୁ କୌଣସି ବସ୍ତୁ ଗୁପ୍ତ ନ ଥାଏ।
ସଦାପ୍ରଭୁଙ୍କ ବ୍ୟବସ୍ଥା
ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ;
ସଦାପ୍ରଭୁଙ୍କ ପ୍ରମାଣ-ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ
ସଦାପ୍ରଭୁଙ୍କର ବିଧିସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ;
ସଦାପ୍ରଭୁଙ୍କର ଆଜ୍ଞା ନିର୍ମଳ, ଚକ୍ଷୁର ଦୀପ୍ତିଦାୟକ।
ସଦାପ୍ରଭୁଙ୍କ ଭୟ ଶୁଚି, ସଦାକାଳସ୍ଥାୟୀ।
ସଦାପ୍ରଭୁଙ୍କ ଶାସନସକଳ ସତ୍ୟ ଓ ସର୍ବତୋଭାବେ ନ୍ୟାଯ୍ୟ।
10 ତାହାସବୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ;
ଆଉ, ମଧୁ ଓ ମଧୁଚାକଠାରୁ ସୁମିଷ୍ଟ।
11 ଆହୁରି, ତଦ୍ଦ୍ୱାରା ତୁମ୍ଭ ଦାସ ଚେତନା ପାଏ;
ତହିଁର ପ୍ରତିପାଳନରେ ମହାଫଳ ଥାଏ।
12 ଆପଣା ଭ୍ରାନ୍ତିସବୁ କିଏ ବୁଝିପାରେ?
ତୁମ୍ଭେ ଗୁପ୍ତଦୋଷରୁ ମୋତେ ପରିଷ୍କାର କର।
13 ଦୁଃସାହସଜନିତ ସବୁ ପାପରୁ ହିଁ ଆପଣା ଦାସକୁ ଅଟକାଇ ରଖ;
ତାହାସବୁ ମୋʼ ଉପରେ କର୍ତ୍ତୃତ୍ୱ ନ କରୁ;
ତହିଁରେ ମୁଁ ସିଦ୍ଧ ହେବି, ପୁଣି, ମହାପରାଧରୁ ପରିଷ୍କୃତ ହେବି।
14 ହେ ସଦାପ୍ରଭୋ, ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା,
ତୁମ୍ଭ ଦୃଷ୍ଟିରେ ମୋʼ ମୁଖର ବାକ୍ୟ
ଓ ମୋʼ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ।