30
ଧନ୍ୟବାଦ ପ୍ରାର୍ଥନା
ଗୀତ; ଗୃହ-ପ୍ରତିଷ୍ଠାକାଳୀନ ଗୀତ; ଦାଉଦଙ୍କର ଗୀତ।
 
ହେ ସଦାପ୍ରଭୋ, ମୁଁ ତୁମ୍ଭର ଗୁଣଗାନ କରିବି; କାରଣ ତୁମ୍ଭେ ମୋତେ ଉଠାଇଅଛ; ଓ ମୋʼ ଶତ୍ରୁଗଣକୁ ମୋʼ ଉପରେ ଆନନ୍ଦ କରିବାକୁ ଦେଇ ନାହଁ।
ହେ ସଦାପ୍ରଭୋ, ମୋହର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲି, ପୁଣି, ତୁମ୍ଭେ ମୋତେ ସୁସ୍ଥ କରିଅଛ।
ହେ ସଦାପ୍ରଭୋ, ତୁମ୍ଭେ ପାତାଳରୁ ମୋʼ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ।
ହେ ସଦାପ୍ରଭୁଙ୍କର ସଦ୍‍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି, ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ।
କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ; ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ;
ରୋଦନ ଏକ ରାତ୍ରି ପାଇଁ ଆସିପାରେ, ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ।
ମୁଁ ଆପଣା ସମୃଦ୍ଧି ସମୟରେ କହିଲି, ମୁଁ କେବେ ବିଚଳିତ ନୋହିବି।
ହେ ସଦାପ୍ରଭୋ, ତୁମ୍ଭେ ଆପଣା ଅନୁଗ୍ରହ ସକାଶୁ ମୋହର ପର୍ବତ ଦୃଢ଼ କରି ସ୍ଥାପନ କରିଥିଲ; ମାତ୍ର ଯଦି ତୁମ୍ଭେ ଆପଣା ମୁଖ ଲୁଚାଇଲ; ତେବେ ମୁଁ ବ୍ୟାକୁଳ ହେଲି।
ହେ ସଦାପ୍ରଭୋ, ମୁଁ ତୁମ୍ଭକୁ ଡାକିଲି; ପୁଣି, ସଦାପ୍ରଭୁଙ୍କ ନିକଟରେ ନିବେଦନ କଲି।
ମୁଁ ଗର୍ତ୍ତକୁ ଗମନ କଲେ, ମୋର ରକ୍ତରେ କି ଲାଭ? ଧୂଳି କି ତୁମ୍ଭର ପ୍ରଶଂସା କରିବ? ତାହା କି ତୁମ୍ଭର ସତ୍ୟତା ପ୍ରକାଶ କରିବ?
10 ହେ ସଦାପ୍ରଭୋ, ଶୁଣ ଓ ମୋʼ ପ୍ରତି ଦୟା କର; ସଦାପ୍ରଭୋ, ତୁମ୍ଭେ ମୋହର ସହାୟ ହୁଅ।
11 ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ;
12 ଏଥିପାଇଁ ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ, ହେ ସଦାପ୍ରଭୋ, ମୋହର ପରମେଶ୍ୱର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି।