39
ଅନ୍ତିମକାଳର ପରିଚୟ ଦିଅ
ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ୍‍ ପାଇଁ ଦାଉଦଙ୍କର ଗୀତ।
 
ମୁଁ କହିଲି, “ମୁଁ ଜିହ୍ୱାରେ ପାପ ନ କରିବା ପାଇଁ
ଆପଣା ପଥ ବିଷୟରେ ସାବଧାନ ହେବି;
ଦୁଷ୍ଟ ମୋʼ ସମ୍ମୁଖରେ ଥିବା ପର୍ଯ୍ୟନ୍ତ
ମୁଁ ଆପଣା ମୁଖକୁ ଲଗାମ ଦେଇ ରଖିବି।”
ମୁଁ ମୌନ ହୋଇ ନୀରବ ଥିଲି, ସତ କଥାରୁ ହିଁ ନିବୃତ୍ତ ରହିଲି;
ତହିଁରେ ମୋହର ଦୁଃଖ ପ୍ରବଳ ହେଲା;
ମୁଁ ମୋହର ଅନ୍ତରରେ ଅତିଶୟ ଚିନ୍ତିତ ହେଲି;
ମୁଁ ଯେମିତି ମୋହର ସମସ୍ୟା ବିଷୟରେ ଭାବିଲି, ମୁଁ ଅଧିକ ଚିନ୍ତିତ ହେଲି;
ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି;
“ହେ ସଦାପ୍ରଭୋ, ମୋହର ଅନ୍ତିମକାଳ
ଓ ମୋʼ ଦିନର ପରିମାଣ କଅଣ, ମୋତେ ଜଣାଅ;
ମୁଁ କିପରି କ୍ଷଣକାଳସ୍ଥାୟୀ, ଏହା ଜାଣିବାକୁ ଦିଅ।
ଦେଖ, ତୁମ୍ଭେ ମୋହର ଦିନ କେତେକ ମୁଷ୍ଟି ପରିମିତ କରିଅଛ;
ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ;
ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ
ହିଁ ନିତାନ୍ତ ଅସାର।
[ସେଲା]
ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ କରେ;
ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ;
ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ, ଜାଣେ ନାହିଁ।
ହେ ପ୍ରଭୋ, ଏବେ ମୁଁ କାହିଁର ଅପେକ୍ଷା କରିବି?
ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି।
ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର;
ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ।
ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି ନାହିଁ;
କାରଣ ତୁମ୍ଭେ ତାହା କଲ।
10 ମୋʼ ଠାରୁ ତୁମ୍ଭ ଆଘାତ ଦୂର କର;
ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି।
11 ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ୱାରା
ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ କରିଥାଅ;
ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର।
[ସେଲା]
12 ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ
ଆର୍ତ୍ତସ୍ୱରରେ କର୍ଣ୍ଣ ଦିଅ;
ମୋʼ ଅଶ୍ରୁପାତରେ ନୀରବ ହୁଅ ନାହିଁ;
କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ,
ମୋହର ସମସ୍ତ ପୂର୍ବପୁରୁଷଗଣଙ୍କ ତୁଲ୍ୟ ପ୍ରବାସୀ।
13 ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି,
ଏଥିପାଇଁ ମୋʼ ଠାରୁ ଦୃଷ୍ଟି ଫେରାଅ।”