49
ଧନ ଉପରେ ଆସ୍ଥା ମୂର୍ଖତା
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ।
ହେ ଗୋଷ୍ଠୀସକଳ, ଏହା ଶୁଣ, ହେ ଜଗନ୍ନିବାସୀଗଣ,
ନୀଚ ଓ ଉଚ୍ଚ,
ଧନୀ ଓ ଦରିଦ୍ର ସମସ୍ତେ, ଏକତ୍ର କର୍ଣ୍ଣପାତ କର।
ମୋହର ମୁଖ ଜ୍ଞାନର କଥା କହିବ ଓ ମୋʼ
ଅନ୍ତଃକରଣର ଧ୍ୟାନ ବୁଦ୍ଧି ବିଷୟକ ହେବ।
ମୁଁ ଦୃଷ୍ଟାନ୍ତରେ କର୍ଣ୍ଣପାତ କରିବି;
ମୁଁ ବୀଣା ଯନ୍ତ୍ରରେ ଆପଣା ଗୁପ୍ତ ବିଷୟ ବ୍ୟାଖ୍ୟା କରିବି।
ଯେତେବେଳେ ଅଧର୍ମ ମୋʼ ଗୋଇଠି ପାଖରେ ମୋତେ
ଘେରେ, ଏପରି ବିପଦ ସମୟରେ କାହିଁକି ଭୟ କରିବି?
ଯେଉଁମାନେ ଆପଣାମାନଙ୍କ ସମ୍ପତ୍ତିରେ ନିର୍ଭର
ରଖନ୍ତି; ଓ ଆପଣାମାନଙ୍କ ଧନର ବାହୁଲ୍ୟରେ ଦର୍ପ କରନ୍ତି;
ସେମାନଙ୍କ ମଧ୍ୟରୁ କେହି ଆପଣା ଭାଇ ନିତ୍ୟଜୀବୀ
ହେବା ପାଇଁ, କ୍ଷୟ ନ ଦେଖିବା ପାଇଁ କୌଣସିମତେ ତାହାକୁ
ମୁକ୍ତ କରି ନ ପାରେ।
କିଅବା ତାହା ପାଇଁ ପରମେଶ୍ୱରଙ୍କୁ କୌଣସି ପ୍ରାୟଶ୍ଚିତ୍ତ
ଦେଇ ନ ପାରେ;
କାରଣ ସେମାନଙ୍କ ପ୍ରାଣର ମୁକ୍ତି ଦୁର୍ମୂଲ୍ୟ
ଓ ଅନନ୍ତକାଳ ଅସାଧ୍ୟ।
10 ଯେଣୁ ସେ ଦେଖେ ଯେ, ଜ୍ଞାନୀ ଲୋକମାନେ ମରନ୍ତି,
ମୂର୍ଖ ଓ ପଶୁବତ୍‍ ଲୋକେ ଏକତ୍ର ବିନଷ୍ଟ ହୁଅନ୍ତି,
ପୁଣି, ଆପଣାମାନଙ୍କ ସମ୍ପତ୍ତି ଅନ୍ୟମାନଙ୍କ ନିମନ୍ତେ ଛାଡ଼ିଯାʼନ୍ତି।
11 ସେମାନଙ୍କ କବର ସ୍ଥାନ ଯେ ଚିରକାଳ ଓ ସେମାନଙ୍କ ବାସସ୍ଥାନ ଯେ ପୁରୁଷାନୁକ୍ରମେ ରହିବ,
ଏହା ସେମାନଙ୍କର ଆନ୍ତରିକ ବିଚାର;
ସେମାନେ ଆପଣା ଆପଣା ନାମାନୁସାରେ ଆପଣା ଆପଣା ଭୂମିର ନାମ ରଖନ୍ତି।
12 ମାତ୍ର ମନୁଷ୍ୟ ଐଶ୍ୱର୍ଯ୍ୟରେ ସ୍ଥିର ରହେ ନାହିଁ;
ସେ ବିନାଶ୍ୟ ପଶୁ ତୁଲ୍ୟ।
13 ସେମାନଙ୍କର ଏହି ଗତି ସେମାନଙ୍କ ମୂର୍ଖତା ଅଟେ;
ତଥାପି ସେମାନଙ୍କ ଉତ୍ତାରେ ଲୋକମାନେ ସେମାନଙ୍କ କଥା ପସନ୍ଦ କରନ୍ତି।
[ସେଲା]
14 ସେମାନେ ମେଷପଲ ତୁଲ୍ୟ ପାତାଳ ପାଇଁ ନିଯୁକ୍ତ;
ମୃତ୍ୟୁୁ ସେମାନଙ୍କର ପାଳକ ହେବ;
ଆଉ, ସରଳ ଲୋକେ ପ୍ରଭାତରେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ;
ଆଉ, ସେମାନଙ୍କ ଶୋଭା ବିନଷ୍ଟ ହେବା ପାଇଁ ପାତାଳର
ହେବ ଓ ତହିଁ ନିମନ୍ତେ ଆଉ ବାସସ୍ଥାନ ନ ଥିବ।
15 ମାତ୍ର ପରମେଶ୍ୱର ପାତାଳର ପରାକ୍ରମରୁ ମୋହର ପ୍ରାଣ ମୁକ୍ତ କରିବେ;
କାରଣ ସେ ମୋତେ ଗ୍ରହଣ କରିବେ।
[ସେଲା]
16 କେହି ଧନବାନ ହେଲେ ଓ ତାହାର ଗୃହର ଐଶ୍ୱର୍ଯ୍ୟ*
ବୃଦ୍ଧି ପାଇଲେ, ତୁମ୍ଭେ ଭୀତ ହୁଅ ନାହିଁ;
17 କାରଣ ମରଣକାଳରେ ସେ କିଛି ନେଇଯିବ ନାହିଁ;
ତାହାର ଐଶ୍ୱର୍ଯ୍ୟ ତାହାର ପଶ୍ଚାଦ୍‍ଗମନ କରିବ ନାହିଁ।
18 ଯଦ୍ୟପି ସେ ଜୀବଦ୍ଦଶାରେ ଆପଣା ପ୍ରାଣର ଧନ୍ୟବାଦ କଲା,
ଆଉ, ତୁମ୍ଭେ ଆପଣାର ଭଲ କଲେ, ଲୋକେ ତୁମ୍ଭର ପ୍ରଶଂସା କରନ୍ତି;
19 ତଥାପି ସେ ଆପଣା ପୂର୍ବପୁରୁଷଗଣ ନିକଟକୁ ଯିବ;
ସେମାନେ କଦାପି ଦୀପ୍ତି ଦେଖିବେ ନାହିଁ।
20 ଯେଉଁ ମନୁଷ୍ୟ ଐଶ୍ୱର୍ଯ୍ୟଶାଳୀ ହୋଇ ବିବେଚନା ନ କରେ,
ସେ ବିନାଶ୍ୟ ପଶୁ ତୁଲ୍ୟ।
* 49:16 ଐଶ୍ୱର୍ଯ୍ୟ କିମ୍ବା ଧନ ଓ ସମ୍ପତ୍ତି