51
କ୍ଷମା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବତ୍‍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍‍ବକ୍ତା ଆସିବା ସମୟରେ ରଚିତ।
ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ପ୍ରତି ଦୟା କର;
ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର।
ମୋʼ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର
ଓ ମୋʼ ପାପରୁ ମୋତେ ଶୁଚି କର।
କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି
ଓ ମୋʼ ପାପ ସର୍ବଦା ମୋʼ ସମ୍ମୁଖରେ ଅଛି।
ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି,
ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି;
ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର
କରିବା ବେଳେ ନିର୍ଦ୍ଦୋଷ ହେବ।
ଦେଖ, ଅପରାଧରେ ମୁଁ ନିର୍ମିତ ହେଲି
ଓ ପାପରେ ମୋʼ ମାତା ମୋତେ ଗର୍ଭରେ ଧାରଣ କଲା।
ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ;
ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ।
ଏସୋବ ଦେଇ ମୋତେ ନିର୍ମଳ କର,* ତହିଁରେ ମୁଁ ଶୁଚି ହେବି;
ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି।
ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ;
ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ।
ମୋʼ ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର
ଓ ମୋʼ ଅପରାଧସବୁ ମାର୍ଜନା କର।
10 ହେ ପରମେଶ୍ୱର, ମୋʼ ଅନ୍ତରରେ ଶୁଚି ଅନ୍ତଃକରଣ
ସୃଷ୍ଟି କର ଓ ମୋʼ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।
11 ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ
ଓ ତୁମ୍ଭ ପବିତ୍ର ଆତ୍ମା ମୋʼ ଠାରୁ ନିଅ ନାହିଁ।
12 ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ
ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ।
13 ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି
ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ।
14 ହେ ପରମେଶ୍ୱର, ମୋʼ ତ୍ରାଣର ପରମେଶ୍ୱର,
ତୁମ୍ଭେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର;
ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ୱରରେ ଗାନ କରିବ।
15 ହେ ପ୍ରଭୋ, ମୋʼ ଓଷ୍ଠାଧର ଫିଟାଅ,
ତହିଁରେ ମୋʼ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ।
16 କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ;
ହେଲେ ମୁଁ ତାହା ଦିଅନ୍ତି;
ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ।
17 ଭଗ୍ନ ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି,
ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ।
18 ତୁମ୍ଭେ ଆପଣା ଅନୁଗ୍ରହରେ ସିୟୋନର ମଙ୍ଗଳ କର;
ତୁମ୍ଭେ ଯିରୂଶାଲମର ପ୍ରାଚୀରସବୁ ନିର୍ମାଣ କର।
19 ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ
ଆହୁତିରେ ସନ୍ତୁଷ୍ଟ ହେବ;
ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ।
* 51:7 ଏସୋବ ଦେଇ ମୋତେ ନିର୍ମଳ କର, ଅର୍ଥାତ୍‍ ମୋʼ ର ପାପରୁ ମୋତେ ନିର୍ମଳ କର