59
ନିରାପତ୍ତା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ।
ହେ ମୋହର ପରମେଶ୍ୱର, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର;
ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କଠାରୁ ମୋତେ ଉଚ୍ଚରେ ସ୍ଥାପନ କର।
ଅଧର୍ମାଚାରୀମାନଙ୍କଠାରୁ ମୋତେ ଉଦ୍ଧାର କର,
ରକ୍ତପିପାସୁ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
କାରଣ ଦେଖ, ସେମାନେ ମୋʼ ପ୍ରାଣ ପାଇଁ ଛକି ବସନ୍ତି;
ବଳବାନମାନେ ମୋʼ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି;
ହେ ସଦାପ୍ରଭୋ, ମୋହର ଅପରାଧ କିଅବା ମୋʼ ପାପ ସକାଶୁ ନୁହେଁ।
ମୋହର ବିନା ଦୋଷରେ ସେମାନେ ଦଉଡ଼ି ପ୍ରସ୍ତୁତ ହୁଅନ୍ତି;
ତୁମ୍ଭେ ମୋହର ସାହାଯ୍ୟ ପାଇଁ ଜାଗ ଓ ଦୃଷ୍ଟିପାତ କର।
ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର,
ତୁମ୍ଭେ ହିଁ ଅନ୍ୟ ଦେଶୀୟ ସମସ୍ତଙ୍କୁ ପ୍ରତିଫଳ ଦେବା ପାଇଁ ଉଠ;
କୌଣସି ଦୁଷ୍ଟ ଅଧର୍ମକାରୀମାନଙ୍କୁ ଦୟା କର ନାହିଁ।
[ସେଲା]
ସେମାନେ ସନ୍ଧ୍ୟାକାଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତି
ଓ ନଗର ଚାରିଆଡ଼େ ଭ୍ରମଣ କରନ୍ତି।
ଦେଖ, ସେମାନେ ଆପଣା ଆପଣା ମୁଖରୁ ଉଦ୍ଗାର କରନ୍ତି;
ସେମାନଙ୍କ ଓଷ୍ଠାଧରରେ ଖଡ୍ଗ ଥାଏ;
କାରଣ ସେମାନେ କହନ୍ତି, “କିଏ ଆମ୍ଭମାନଙ୍କୁ ଶୁଣିବ?”
ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କ ପ୍ରତି ହସିବ;
ତୁମ୍ଭେ ଅନ୍ୟ ଦେଶୀୟ ସମସ୍ତଙ୍କୁ ବିଦ୍ରୂପ କରିବ।
ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭର ଅନୁସରଣ କରିବି;
କାରଣ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ ଅଟନ୍ତି।
10 ମୋହର ଦୟାବାନ ପରମେଶ୍ୱର ମୋହର ସମ୍ମୁଖବର୍ତ୍ତୀ ହେବେ;
ପରମେଶ୍ୱର ମୋʼ ଶତ୍ରୁମାନଙ୍କ ଉପରେ ମୋʼ ବାଞ୍ଛା ସଫଳ ହେବାର ମୋତେ ଦେଖାଇବେ।
11 ସେମାନଙ୍କୁ ବଧ କର ନାହିଁ, କେଜାଣି ମୋʼ ଲୋକମାନେ ପାସୋରି ଯିବେ;
ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପ୍ରଭୋ,
ତୁମ୍ଭ ପରାକ୍ରମରେ ସେମାନଙ୍କୁ ଛିନ୍ନଭିନ୍ନ କରି ଅଧୋନତ କର।
12 ସେମାନଙ୍କ ମୁଖର ପାପ ଓ ସେମାନଙ୍କ ଓଷ୍ଠାଧରର ବାକ୍ୟ,
ପୁଣି, ସେମାନଙ୍କର କଥିତ ଅଭିଶାପ ଓ ମିଥ୍ୟା ସକାଶୁ
ସେମାନେ ଆପଣା ଆପଣା ଅହଙ୍କାରରେ ଧରା ଯାଉନ୍ତୁ।
13 ଯେପରି ସେମାନେ ଆଉ ନ ଥିବେ,
ଏଥିପାଇଁ ସେମାନଙ୍କୁ କୋପରେ ସଂହାର କର, ସେମାନଙ୍କୁ ସଂହାର କର;
ପୁଣି, ପରମେଶ୍ୱର ଯେ ଯାକୁବ* ମଧ୍ୟରେ,
ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରନ୍ତି, ଏହା ସେମାନେ ଜ୍ଞାତ ହେଉନ୍ତୁ।
[ସେଲା]
14 ଆଉ, ସେମାନେ ସନ୍ଧ୍ୟା ବେଳେ ଫେରିଆସି କୁକ୍କୁର ପରି ଶବ୍ଦ କରନ୍ତୁ
ଓ ନଗର ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତୁ।
15 ସେମାନେ ଖାଦ୍ୟ ନିମନ୍ତେ ଏଣେତେଣେ ଭ୍ରମଣ କରିବେ।
ପୁଣି, ସେମାନେ ତୃପ୍ତ ନୋହିଲେ ସାରାରାତ୍ରି ରହିବେ।
16 ମାତ୍ର ମୁଁ ତୁମ୍ଭ ପରାକ୍ରମ ବିଷୟ ଗାନ କରିବି
ଓ ପ୍ରଭାତରେ ତୁମ୍ଭ ଦୟା ବିଷୟ ଉଚ୍ଚସ୍ୱରରେ ଗାନ କରିବି;
କାରଣ ତୁମ୍ଭେ ମୋହର ଉଚ୍ଚ ଦୁର୍ଗ ଓ ବିପଦ ଦିନରେ ଆଶ୍ରୟ ସ୍ୱରୂପ ହୋଇଅଛ।
17 ହେ ମୋହର ବଳ ସ୍ୱରୂପ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି;
ଯେଣୁ ପରମେଶ୍ୱର ମୋହର ଉଚ୍ଚ ଦୁର୍ଗ, ମୋହର ଦୟାବାନ ପରମେଶ୍ୱର।
* 59:13 ଯାକୁବ ଅର୍ଥାତ୍‍ ଇସ୍ରାଏଲ 59:15 ସାରାରାତ୍ରି ରହିବେ। କିମ୍ବା ଅସନ୍ତୋଷ ହେବେ