66
ପ୍ରଶଂସା ଓ ଧନ୍ୟବାଦର ଗୀତ
ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।
 
ହେ ସମୁଦାୟ ପୃଥିବୀ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର।
ତାହାଙ୍କ ନାମର ମହିମା କୀର୍ତ୍ତନ କର;
ତାହାଙ୍କ ପ୍ରଶଂସାକୁ ଗୌରବାନ୍ୱିତ କର।
ପରମେଶ୍ୱରଙ୍କୁ କୁହ, “ତୁମ୍ଭ କର୍ମସକଳ କିପରି ଭୟଙ୍କର!
ତୁମ୍ଭ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।
ସମୁଦାୟ ପୃଥିବୀ ତୁମ୍ଭଙ୍କୁ ପ୍ରଣାମ କରିବେ
ଓ ତୁମ୍ଭ ଉଦ୍ଦେଶ୍ୟରେ ଗାନ କରିବେ;
ସେମାନେ ତୁମ୍ଭ ନାମ କୀର୍ତ୍ତନ କରିବେ।”
ଆସ ଓ ପରମେଶ୍ୱରଙ୍କ କ୍ରିୟାସକଳ ଦେଖ;
ମନୁଷ୍ୟ-ସନ୍ତାନଗଣ ପ୍ରତି ଆପଣା କ୍ରିୟାରେ ସେ ଭୟଙ୍କର ଅଟନ୍ତି।
ସେ ସମୁଦ୍ରକୁ ଶୁଷ୍କ ଭୂମି କଲେ;
ଲୋକମାନେ ନଦୀ ମଧ୍ୟଦେଇ ପାଦରେ ଗମନ କଲେ;
ସେହି ସ୍ଥାନରେ ଆମ୍ଭେମାନେ ତାହାଙ୍କଠାରେ ଆନନ୍ଦ କଲୁ।
ସେ ଆପଣା ପରାକ୍ରମରେ ଅନନ୍ତକାଳ କର୍ତ୍ତୃତ୍ୱ କରନ୍ତି;
ତାହାଙ୍କ ଚକ୍ଷୁ ଗୋଷ୍ଠୀସମୂହକୁ ନିରୀକ୍ଷଣ କରେ;
ବିଦ୍ରୋହୀମାନେ ଆପଣାମାନଙ୍କୁ ଉନ୍ନତ ନ କରନ୍ତୁ।
[ସେଲା]
ହେ ଜନବୃନ୍ଦ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର
ଓ ତାହାଙ୍କ ପ୍ରଶଂସାର ଧ୍ୱନି ଶୁଣାଅ;
ସେ ଆମ୍ଭମାନଙ୍କ ପ୍ରାଣକୁ ଜୀବଦ୍ଦଶାରେ ରଖନ୍ତି
ଓ ଆମ୍ଭମାନଙ୍କ ଚରଣକୁ ବିଚଳିତ ହେବାକୁ ଦିଅନ୍ତି ନାହିଁ।
10 କାରଣ ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପରୀକ୍ଷା କରିଅଛ;
ରୂପା ପରଖିଲା ପରି ତୁମ୍ଭେ ଆମ୍ଭମାନଙ୍କୁ ପରଖିଅଛ।
11 ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ,
ତୁମ୍ଭେ ଆମ୍ଭମାନଙ୍କ କଟିଦେଶରେ ଭାରୀ ବୋଝ ଥୋଇଅଛ।
12 ତୁମ୍ଭେ ଆମ୍ଭମାନଙ୍କ ମସ୍ତକ ଉପରେ ଲୋକମାନଙ୍କୁ ଚଢ଼ିବାକୁ ଦେଇଅଛ;
ଆମ୍ଭେମାନେ ଅଗ୍ନି ଓ ଜଳ ମଧ୍ୟଦେଇ ଗମନ କଲୁ;
ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ଧନାଢ଼୍ୟ ସ୍ଥାନକୁ ଆଣିଅଛ।
13 ମୁଁ ହୋମବଳି ନେଇ ତୁମ୍ଭ ଗୃହକୁ ଆସିବି,
ମୁଁ ସଙ୍କଟରେ ଥିଲା ବେଳେ
14 ମୋʼ ଓଷ୍ଠାଧର ଯାହା ଉଚ୍ଚାରଣ କରିଅଛି
ଓ ମୋʼ ମୁଖ ଯାହା କହିଅଛି,
ମୋହର ସେହି ସବୁ ମାନତ ତୁମ୍ଭ ଉଦ୍ଦେଶ୍ୟରେ ପୂର୍ଣ୍ଣ କରିବି।
15 ମୁଁ ତୁମ୍ଭ ଉଦ୍ଦେଶ୍ୟରେ ମେଷରୂପ ଧୂପ ସହିତ
ହୃଷ୍ଟପୁଷ୍ଟ ହୋମବଳି ଉତ୍ସର୍ଗ କରିବି;
ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି।
[ସେଲା]
16 ହେ ପରମେଶ୍ୱରଙ୍କ ଭୟକାରୀ ସମସ୍ତେ, ଆସ ଶୁଣ,
ଆଉ ସେ ଆମ୍ଭ ପ୍ରାଣ ପାଇଁ ଯାହା କରିଅଛନ୍ତି, ତାହା ମୁଁ ବର୍ଣ୍ଣନା କରିବି।
17 ମୁଁ ଆପଣା ମୁଖରେ ତାହାଙ୍କୁ ଡାକିଲି
ଓ ମୋʼ ଜିହ୍ୱା ଦ୍ୱାରା ସେ ପ୍ରତିଷ୍ଠିତ ହେଲେ।
18 ଯଦି ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ,
ତେବେ ପ୍ରଭୁ ମୋʼ କଥା ଶୁଣିବେ ନାହିଁ;
19 ମାତ୍ର ନିଶ୍ଚୟ ପରମେଶ୍ୱର ମୋʼ କଥା ଶୁଣିଅଛନ୍ତି,
ସେ ମୋʼ ପ୍ରାର୍ଥନାର ରବରେ ମନୋଯୋଗ କରିଅଛନ୍ତି।
20 ପରମେଶ୍ୱର ଧନ୍ୟ ହେଉନ୍ତୁ,
ସେ ମୋହର ପ୍ରାର୍ଥନା କିଅବା
ମୋʼ ଠାରୁ ଆପଣା ଦୟା ଦୂର କରି ନାହାନ୍ତି।