82
ପରମେଶ୍ୱର ସର୍ବୋପରିସ୍ଥ ରାଜା
ଆସଫର ଗୀତ।
 
ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଠିଆ ହୁଅନ୍ତି;
ସେ ଦେବତାମାନଙ୍କ* ବିଚାର କରନ୍ତି।
“ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ?
ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ?
[ସେଲା]
ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର;
ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର।
ଦରିଦ୍ର ଓ ଦୀନହୀନମାନଙ୍କୁ ରକ୍ଷା କର;
ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର।”
ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ;
ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି;
ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ।
ମୁଁ କହିଲି, “ତୁମ୍ଭେମାନେ ଈଶ୍ୱରଗଣ
ଓ ତୁମ୍ଭେ ସମସ୍ତେ ସର୍ବୋପରିସ୍ଥଙ୍କ ସନ୍ତାନ।
ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ
ଓ ଜଣେ ଅଧିପତି ତୁଲ୍ୟ ପତିତ ହେବ।”
ହେ ପରମେଶ୍ୱର, ଉଠ, ପୃଥିବୀର ବିଚାର କର;
କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ।
* 82:1 ଦେବତାମାନଙ୍କ ଦୂତଗଣ କିଅବା ସ୍ବର୍ଗର ଆରାଧକମାନଙ୍କୁ