88
ସହାୟତା ପାଇଁ ବିନତି
ଗୀତ; କୋରହ-ସନ୍ତାନଗଣର ଗୀତ। ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ ଲୀୟନ୍ନୋତ୍‍ ସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍‍।
ସଦାପ୍ରଭୋ, ମୋʼ ପରିତ୍ରାଣର ପରମେଶ୍ୱର,
ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୂକ୍ତି କରିଅଛି;
ମୋʼ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ;
ମୋʼ କାକୂକ୍ତିରେ କର୍ଣ୍ଣପାତ କର;
କାରଣ ମୋʼ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ
ଓ ମୋʼ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି।
ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ;
ମୁଁ ଅସହାୟ ଲୋକର ସମାନ।
ଯେଉଁ କବରଶାୟୀ ହତ ଲୋକମାନଙ୍କୁ
ତୁମ୍ଭେ ଆଉ ସ୍ମରଣ କରୁ ନାହଁ
ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି,
ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି।
ତୁମ୍ଭେ ମୋତେ ନୀଚତମ ଗତ୍ତର୍ରେ,
ଅନ୍ଧକାରରେ, ଗଭୀର ସ୍ଥାନରେ ରଖିଅଛ।
ତୁମ୍ଭର କୋପ ମୋʼ ଉପରେ ପ୍ରବଳ ହୋଇ ରହୁଅଛି
ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଳେଶ ଦେଇଅଛ।
[ସେଲା]
ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋʼ ଠାରୁ ଦୂରରେ ରଖିଅଛ;
ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ କରିଅଛ।
ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସି ପାରୁ ନାହିଁ।
କ୍ଳେଶ ସକାଶୁ ମୋʼ ଚକ୍ଷୁ କ୍ଷୀଣ ହେଉଅଛି;
ହେ ସଦାପ୍ରଭୋ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି,
ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି।
10 ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା ଦେଖାଇବ?
ଯେଉଁମାନେ ମରିଯାଇଅଛନ୍ତି, ସେମାନେ ଉଠି କି ତୁମ୍ଭର ପ୍ରଶଂସା କରିବେ?
[ସେଲା]
11 କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିଅବା ବିନାଶ
ସ୍ଥାନରେ ତୁମ୍ଭର ବିଶ୍ୱସ୍ତତା କି ପ୍ରଚାରିତ ହେବ?
12 ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା
ଓ ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ?
13 ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରିଅଛି
ଓ ପ୍ରଭାତରେ ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ।
14 ହେ ସଦାପ୍ରଭୋ, ତୁମ୍ଭେ କାହିଁକି ମୋʼ ପ୍ରାଣକୁ ପରିତ୍ୟାଗ କରୁଅଛ?
ତୁମ୍ଭେ କାହିଁକି ମୋʼ ଠାରୁ ଆପଣା ମୁଖ ଲୁଚାଉଅଛ?
15 ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ;
ମୁଁ ତୁମ୍ଭ ତ୍ରାସ ଭୋଗ କରି କରି ଉନ୍ମନା ହୋଇଅଛି।
16 ତୁମ୍ଭ ପ୍ରଚଣ୍ଡ କୋପ ମୋʼ ଉପର ଦେଇ ଯାଇଅଛି;
ତୁମ୍ଭର ତ୍ରାସସବୁ ମୋତେ ଉଚ୍ଛିନ୍ନ କରିଅଛି।
17 ତାହାସବୁ ସାରାଦିନ ଜଳ ପରି ମୋʼ ଚାରିଆଡ଼େ ଉପସ୍ଥିତ;
ତାହାସବୁ ଏକତ୍ର ମୋʼ ଚାରିଆଡ଼େ ବେଷ୍ଟନ କଲେ।
18 ତୁମ୍ଭେ ସ୍ନେହୀକୁ ଓ ମିତ୍ରକୁ ମୋʼ ଠାରୁ ଦୂରରେ
ଓ ମୋʼ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ।