9
ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି
ପ୍ରଧାନ ବାଦ୍ୟକର ନିମନ୍ତେ, ମୂତ୍‍-ଲବ୍ବନ୍‍ ସ୍ୱରରେ ଦାଉଦଙ୍କର ଗୀତ।
 
ମୁଁ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି;
ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି।
ମୁଁ ତୁମ୍ଭଠାରେ ଆନନ୍ଦ ଓ ଉଲ୍ଲାସ କରିବି;
ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
ମୋହର ଶତ୍ରୁମାନେ ଫେରିଯିବା ବେଳେ
ତୁମ୍ଭ ସାକ୍ଷାତରେ ଝୁଣ୍ଟି ପଡ଼ି ବିନଷ୍ଟ ହୁଅନ୍ତି।
କାରଣ ତୁମ୍ଭେ ମୋହର ବିଚାର ଓ ବିବାଦ ନିଷ୍ପନ୍ନ କରିଅଛ;
ତୁମ୍ଭେ ସିଂହାସନରେ ବସି ଧର୍ମବିଚାର କରିଅଛ।
ତୁମ୍ଭେ ଗୋଷ୍ଠୀୟମାନଙ୍କୁ ଅନୁଯୋଗ କରିଅଛ, ତୁମ୍ଭେ
ତୁମ୍ଭ ଦୁଷ୍ଟମାନଙ୍କୁ ସଂହାର କରିଅଛ,
ତୁମ୍ଭେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ଲିଭାଇ ଦେଇଅଛ।
ଶତ୍ରୁମାନେ ଅଦୃଶ୍ୟ ହୋଇଅଛନ୍ତି,
ସେମାନେ ସଦାକାଳ ଉଚ୍ଛିନ୍ନ ହୋଇଅଛନ୍ତି;
ତୁମ୍ଭେ ନଗରମାନଙ୍କୁ ଉତ୍ପାଟନ କରିଅଛ, ସେମାନଙ୍କର ସ୍ମରଣ ସୁଦ୍ଧା ଲୁପ୍ତ ହୋଇଅଛି।
ମାତ୍ର ସଦାପ୍ରଭୁ ଅନନ୍ତକାଳ ରାଜା ରୂପେ ଉପବିଷ୍ଟ;
ସେ ବିଚାରାର୍ଥେ ଆପଣା ସିଂହାସନ ପ୍ରସ୍ତୁତ କରିଅଛନ୍ତି।
ପୁଣି, ସେ ଧର୍ମରେ ଜଗତକୁ ବିଚାର କରିବେ,
ସେ ନ୍ୟାୟରେ ଗୋଷ୍ଟୀୟମାନଙ୍କର ବିଚାର ସାଧନ କରିବେ।
ମଧ୍ୟ ସଦାପ୍ରଭୁ ଉପଦ୍ରବଗ୍ରସ୍ତମାନଙ୍କ ନିମନ୍ତେ ଉଚ୍ଚ ଦୁର୍ଗ ହେବେ।
ସଙ୍କଟ ସମୟରେ ଉଚ୍ଚ ଦୁର୍ଗ ହେବେ;
10 ଯେଉଁମାନେ ତୁମ୍ଭ ନାମ ଜାଣନ୍ତି, ସେମାନେ ତୁମ୍ଭଠାରେ ବିଶ୍ୱାସ କରିବେ;
କାରଣ ହେ ସଦାପ୍ରଭୋ, ତୁମ୍ଭେ ଆପଣା ଅନ୍ୱେଷଣକାରୀମାନଙ୍କୁ ପରିତ୍ୟାଗ କରି ନାହଁ।
11 ସିୟୋନ ନିବାସୀ, ସଦାପ୍ରଭୁଙ୍କର ପ୍ରଶଂସା ଗାନ କର;
ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସବୁ ପ୍ରଚାର କର।
12 କାରଣ ଯେ ରକ୍ତପାତର ଅନୁସନ୍ଧାନ କରନ୍ତି, ସେ ସେମାନଙ୍କୁ ସ୍ମରଣ କରନ୍ତି;
ସେ ଦୁଃଖୀମାନଙ୍କର କ୍ରନ୍ଦନ ଭୁଲନ୍ତି ନାହିଁ।
13 ହେ ସଦାପ୍ରଭୋ, ହେ ମୃତ୍ୟୁୁଦ୍ୱାରରୁ ମୋହର ଉଠାଇବା କର୍ତ୍ତା,
ମୋʼ ପ୍ରତି ଦୟା କର; ମୁଁ ଘୃଣାକାରୀମାନଙ୍କଠାରୁ ଯେଉଁ କ୍ଳେଶ ଭୋଗ କରେ, ତହିଁ ପ୍ରତି ଦୃଷ୍ଟି କର।
14 ତହିଁରେ ମୁଁ ତୁମ୍ଭର ସକଳ ପ୍ରଶଂସା ପ୍ରକାଶ କରିବି।
ସିୟୋନ କନ୍ୟାର* ନଗର-ଦ୍ୱାରରେ
ମୁଁ ତୁମ୍ଭ କୃତ ପରିତ୍ରାଣରେ ଉଲ୍ଲାସ କରିବି।
15 ଗୋଷ୍ଠୀୟମାନେ ଆପଣାମାନଙ୍କ ଚୋରାଗର୍ତ୍ତରେ ମଗ୍ନ ହୋଇଅଛନ୍ତି;
ସେମାନେ ଗୋପନରେ ଯେଉଁ ଜାଲ ପାତିଥିଲେ, ତହିଁରେ ସେମାନଙ୍କ ନିଜ ପାଦ ଧରା ଯାଇଅଛି।
16 ସଦାପ୍ରଭୁ ଆପଣାର ପରିଚୟ ଦେଇଅଛନ୍ତି, ସେ ବିଚାର ସାଧନ କରିଅଛନ୍ତି;
ଦୁଷ୍ଟ ନିଜ ହସ୍ତର କର୍ମପାଶରେ ବଦ୍ଧ ହୋଇଅଛି। [ହିଗାୟୋନ୍‍,
ସେଲା]
17 ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀୟମାନେ ପରମେଶ୍ୱରଙ୍କୁ ପାସୋରନ୍ତି,
ସେମାନେ ସମସ୍ତେ ପାତାଳକୁ ଚାଲିଯିବେ।
18 କାରଣ ଦୀନହୀନ ସର୍ବଦା ବିସ୍ମୃତ ନୋହିବ, ଅବା
ଦରିଦ୍ରର ପ୍ରତ୍ୟାଶା ସର୍ବଦା ବିନଷ୍ଟ ନୋହିବ।
19 ହେ ସଦାପ୍ରଭୋ, ଉଠ; ମନୁଷ୍ୟକୁ ପ୍ରବଳ ହେବାକୁ ଦିଅ ନାହିଁ;
ଗୋଷ୍ଠୀୟମାନେ ତୁମ୍ଭ ସାକ୍ଷାତରେ ବିଚାରିତ ହେଉନ୍ତୁ।
20 ହେ ସଦାପ୍ରଭୋ, ସେମାନଙ୍କୁ ଭୟଗ୍ରସ୍ତ କର;
ଗୋଷ୍ଠୀୟମାନେ ଆପଣାମାନଙ୍କୁ ମନୁଷ୍ୟ ମାତ୍ର ବୋଲି ଜାଣନ୍ତୁ।
[ସେଲା]
* 9:14 ସିୟୋନ କନ୍ୟାର ଅର୍ଥାତ୍‍ ଯିରୂଶାଲମ ଲୋକମାନଙ୍କ