ଯିହିଜିକଲ ଭବିଷ୍ୟଦ୍‍ବକ୍ତାଙ୍କ ପୁସ୍ତକ
ଲେଖକ
ଏହି ପୁସ୍ତକ ଯିହିଜିକଲ ବୂଷିଙ୍କରର ପୁତ୍ରଙ୍କୁ ଦର୍ଶାଏ। ଯିଏ ଜଣେ ଯାଜକ ଏବଂ ଭବିଷ୍ୟଦ୍‍ବକ୍ତା ଥିଲେ। ସେ ଯିରୂଶାଲମର ଏକ ଯାଜକୀୟ ପରିବାରରେ ବଡ଼ ହୋଇଥିଲେ ଏବଂ ନିର୍ବାସନ ସମୟରେ ଯିହୁଦୀ ଲୋକମାନଙ୍କ ସହିତ ବାବିଲରେ ଥିଲେ। ଯିହିଜିକଲଙ୍କର ଯାଜକୀୟ ବଂଶାବଳୀ ତାହାଙ୍କର ସେବାକାର୍ଯ୍ୟ ମାଧ୍ୟମରେ ଦୀପ୍ତିମାନ ହୁଏ, ସେ ନିଜେ ଅନେକ ସମୟରେ ମନ୍ଦିର, ଯାଜକତା, ପରମେଶ୍ୱରଙ୍କ ମହିମା, ଏବଂ ଉତ୍ସର୍ଗୀକୃତ ପ୍ରଣାଳୀ ପରି ବିଷୟଗୁଡ଼ିକ ଉପରେ ଚିନ୍ତିତ ଥିଲେ।
ସମୟ ଓ ସ୍ଥାନ
ପ୍ରାୟ 593-570 ଖ୍ରୀଷ୍ଟପୂର୍ବ।
ଏହି ପୁସ୍ତକ ଯିହିଜିକଲ ବାବିଲଠାରୁ ଲେଖିଥିଲେ କିନ୍ତୁ ତାହାଙ୍କର ଭାବବାଣୀଗୁଡ଼ିକ ଇସ୍ରାଏଲ, ମିସର ଏବଂ ଅନେକ ପଡ଼ୋଶୀ ଦେଶଗୁଡ଼ିକ ପ୍ରତି ଥିଲା।
ପ୍ରାପକ
ଯେଉଁ ଇସ୍ରାଏଲ ଲୋକମାନେ ବାବିଲର ନିର୍ବାସନ ଏବଂ ଇସ୍ରାଏଲରେ ଥିଲେ ଏବଂ ବାଇବଲର ପରବର୍ତ୍ତୀ ପାଠକମାନେ।
ଉଦ୍ଦେଶ୍ୟ
ଯିହିଜିକଲ ତାହାଙ୍କ ପିଢ଼ିକୁ ସେବା କଲେ ଯିଏ ଉଭୟ ବହୁତ ପାପୀ ଏବଂ ସମ୍ପୂର୍ଣ୍ଣ ରୂପେ ଆଶାଶୂନ୍ୟ ଥିଲେ। ତାହାଙ୍କ ଭାବବାଣୀ ସେବାକାର୍ଯ୍ୟ ଦ୍ଵାରା ସେ ସେମାନଙ୍କୁ ପାପରୁ ତତ୍‌କ୍ଷଣାତ୍ ଅନୁତାପ କରି ଭବିଷ୍ୟତରେ ଦୃଢ଼ ବିଶ୍ୱାସ କରିବାକୁ ପ୍ରେରିତ କରିଥିଲେ। ସେ ଶିକ୍ଷା ଦେଲେ ଯେ ପରମେଶ୍ୱର ମନୁଷ୍ୟ ବାର୍ତ୍ତାବାହକ ମାଧ୍ୟମରେ କାର୍ଯ୍ୟ କରନ୍ତି, ତଥାପି ପରମେଶ୍ୱରଙ୍କ ସାର୍ବଭୌମତ୍ଵକୁ ଲୋକମାନେ ସ୍ୱୀକାର କରିବା ଆବଶ୍ୟକ ଅଟେ, ପରମେଶ୍ୱରଙ୍କ ବାକ୍ୟ କେବେ ହେଁ ଅସଫଳ ହୁଏ ନାହିଁ, ପରମେଶ୍ୱର ବିଦ୍ୟମାନ ଅଟନ୍ତି ଏବଂ ଯେକୌଣସି ସ୍ଥାନରେ ଉପାସନା କରାଯାଇ ପାରିବେ। ଆମ୍ଭେମାନେ ଯେବେ ଅନ୍ଧକାର ଏବଂ ନିରାଶ ସମୟରେ ରହୁ ସେତେବେଳେ ଆମ୍ଭେମାନେ ପରମେଶ୍ୱରଙ୍କୁ ସ୍ମରଣ କରିବା ଆବଶ୍ୟକ, ଆମ୍ଭମାନଙ୍କର ଜୀବନକୁ ପରୀକ୍ଷା କରିବାକୁ ଏବଂ ଏକମାତ୍ର ସତ୍ୟ ପରମେଶ୍ୱରଙ୍କ ସହିତ ନିଜକୁ ରଖିବାକୁ ଆମ୍ଭମାନଙ୍କୁ ଯିହିଜିକଲ ପୁସ୍ତକ ସ୍ମରଣ କରାଏ।
ବିଷୟବସ୍ତୁ
ପରମେଶ୍ୱରଙ୍କ ମହିମା
ରୂପରେଖା
1. ଯିହିଜିକଲଙ୍କ ଆହ୍ୱାନ — 1:1-3:27
2. ଯିରୂଶାଲମ, ଯିହୁଦା ଏବଂ ମନ୍ଦିର ବିରୁଦ୍ଧରେ ଭବିଷ୍ୟଦ୍‍ବାଣୀ — 4:1-24:27
3. ଦେଶଗୁଡ଼ିକ ବିରୁଦ୍ଧରେ ଭବିଷ୍ୟଦ୍‍ବାଣୀ — 25:1-32:32
4. ଇସ୍ରାଏଲ ଲୋକଙ୍କ ବିଷୟରେ ଭବିଷ୍ୟଦ୍‍ବାଣୀ — 33:1-39:29
5. ପୁନଃସ୍ଥାପନର ଦର୍ଶନ — 40:1-48:35
1
ବାବିଲରେ ଯିହିଜିକଲ
ତିରିଶ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲର କବାର ନଦୀ କୂଳରେ ବନ୍ଦୀମାନଙ୍କ ମଧ୍ୟରେ ମୁଁ ଥିବା ସମୟରେ ସ୍ୱର୍ଗ ମୁକ୍ତ ହେଲା, ତହିଁରେ ମୁଁ ପରମେଶ୍ୱରଙ୍କଠାରୁ ଦର୍ଶନମାନ ଦେଖିଲି। ରାଜା ଯିହୋୟାଖୀନ୍‍ର ବନ୍ଦୀ ହେବାର ପଞ୍ଚମ ବର୍ଷର, ସେହି ମାସର ପଞ୍ଚମ ଦିନରେ, କଲ୍‍ଦୀୟମାନଙ୍କ ଦେଶରେ କବାର ନଦୀ କୂଳରେ ବୂଷିର ପୁତ୍ର ଯିହିଜିକଲ ଯାଜକଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା; ପୁଣି, ସେଠାରେ ସଦାପ୍ରଭୁଙ୍କର ହସ୍ତ ତାଙ୍କ ଉପରେ ଥିଲା।
ସଦାପ୍ରଭୁଙ୍କର ଗୌରବର ଦର୍ଶନ
ଏଥିଉତ୍ତାରେ ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣିବାୟୁ ବୃହତ ମେଘ ଓ ଜାଜ୍ୱଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦ୍ଦିଗରେ ତେଜ ଓ ତହିଁରେ ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା। ପୁଣି, ତହିଁ ମଧ୍ୟରୁ ଜୀବିତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସେମାନଙ୍କର ଆକୃତି ମନୁଷ୍ୟ ପରି ଥିଲା। ଆଉ, ପ୍ରତ୍ୟେକର ଚାରି ଚାରି ମୁଖ ଓ ପ୍ରତ୍ୟେକର ଚାରି ଚାରି ପକ୍ଷ ଥିଲା। ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କ ପାଦର ତଳିପା ଗୋବତ୍ସର ତଳିପାର ତୁଲ୍ୟ; ଆଉ, ସେମାନେ ପରିଷ୍କୃତ ପିତ୍ତଳ ପରି ଝଟକିଲେ। ଆଉ, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ପକ୍ଷ ତଳେ ମନୁଷ୍ୟର ହସ୍ତ ତୁଲ୍ୟ ହସ୍ତ ଥିଲା; ପୁଣି, ସେହି ଚାରି ପ୍ରାଣୀର ମୁଖ ଓ ସେମାନଙ୍କର ପକ୍ଷ ଏହି ପ୍ରକାର ଥିଲା, ଯଥା; ସେମାନଙ୍କର ପକ୍ଷ ପରସ୍ପର ସଂଯୁକ୍ତ; ସେମାନେ ଗମନ କରିବା ବେଳେ ପଛକୁ ଫେରିଲେ ନାହିଁ; ମାତ୍ର ପ୍ରତ୍ୟେକେ ସମ୍ମୁଖ ପ୍ରତି ଗମନ କଲେ। 10 ସେମାନଙ୍କ ମୁଖର ଆକୃତି ଏହିରୂପ, ଯଥା ସେମାନଙ୍କର ଗୋଟିଏ ମନୁଷ୍ୟର ମୁଖ ଥିଲା; ଆଉ, ଡାହାଣ ପାର୍ଶ୍ୱରେ ଚାରି ପ୍ରାଣୀର ସିଂହ-ମୁଖ ଓ ବାମ ପାର୍ଶ୍ୱରେ ଚାରି ପ୍ରାଣୀର ଗୋରୁର ମୁଖ ଥିଲା; ସେହି ଚାରି ପ୍ରାଣୀର ମଧ୍ୟ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା। 11 ପୁଣି, ଉପର ଭାଗରେ ସେମାନଙ୍କର ମୁଖ ଓ ପକ୍ଷ ବିଭିନ୍ନ ଥିଲା; ପ୍ରତ୍ୟେକର ଦୁଇ ଦୁଇ ପକ୍ଷ ପରସ୍ପର ସଂଯୁକ୍ତ ଥିଲା ଓ ଦୁଇ ଦୁଇ ପକ୍ଷ ସେମାନଙ୍କର ଶରୀର ଆଚ୍ଛାଦନ କଲା। 12 ପୁଣି, ସେମାନେ ପ୍ରତ୍ୟେକେ ସମ୍ମୁଖ ପ୍ରତି ଗମନ କଲେ; ଯେଉଁଆଡ଼େ ଯିବାକୁ ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା ହେଲା, ସେହିଆଡ଼େ ସେମାନେ ଗମନ କଲେ; ଗମନ ସମୟରେ ସେମାନେ ଫେରିଲେ ନାହିଁ। 13 ଏହି ଜୀବିତ ପ୍ରାଣୀମାନଙ୍କ ଆକୃତି ପ୍ରଜ୍ୱଳିତ ଅଙ୍ଗାର ଓ ମଶାଲ ସଦୃଶ ଥିଲା; ତାହା ଜୀବିତ ପ୍ରାଣୀମାନଙ୍କ ମଧ୍ୟରେ ଗମନାଗମନ କଲା ଓ ସେହି ଅଗ୍ନି ତେଜୋମୟ ଓ ସେହି ଅଗ୍ନିରୁ ବିଦ୍ୟୁତ୍ ନିର୍ଗତ ହେଲା। 14 ପୁଣି, ସେହି ଜୀବିତ ପ୍ରାଣୀଗଣ ବିଦ୍ୟୁତ୍‍ର ଆଭା ସଦୃଶ ଦୌଡ଼ିଲେ ଓ ଫେରିଲେ।
15 ମୁଁ ସେହି ଜୀବିତ ପ୍ରାଣୀମାନଙ୍କୁ ଦର୍ଶନ କଲା ବେଳେ, ଦେଖ, ସେହି ଜୀବିତ ପ୍ରାଣୀମାନଙ୍କ ପାର୍ଶ୍ୱରେ ସେମାନଙ୍କ ଚାରି ମୁଖର ପ୍ରତ୍ୟେକର ପାଇଁ ଭୂମି ଉପରେ ଗୋଟିଏ ଗୋଟିଏ ଚକ୍ର ଥିଲା। 16 ସେହି ଚାରି ଚକ୍ରର ଆକୃତି ଓ ରଚନା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଓ ଚାରିର ରୂପ ଏକ-ପ୍ରକାର; ପୁଣି, ସେମାନଙ୍କର ଆକୃତି ଓ ରଚନା ଚକ୍ର ମଧ୍ୟରେ ଚକ୍ର ପରି ଥିଲା। 17 ଗମନ କଲା ବେଳେ ସେହି ଚାରି ଚକ୍ର ଆପଣା ଆପଣାର ଚାରି ପାର୍ଶ୍ୱରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ। 18 ସେମାନଙ୍କର ଘେର ଉଚ୍ଚ ଓ ଭୟଙ୍କର; ପୁଣି, ସେମାନଙ୍କର ସେହି ଚାରି ଘେରର ଚତୁର୍ଦ୍ଦିଗ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। 19 ଆଉ, ସେହି ଜୀବିତ ପ୍ରାଣୀମାନେ ଗମନ କରିବା ବେଳେ ସେହି ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଚଳିଲେ; ପୁଣି, ଜୀବିତ ପ୍ରାଣୀମାନେ ଭୂମିରୁ ଉତ୍ଥାପିତ ହେବା ବେଳେ ଚକ୍ରସବୁ ମଧ୍ୟ ଉତ୍ଥାପିତ ହେଲେ। 20 ଯେକୌଣସି ସ୍ଥାନକୁ ଯିବାର ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା, ସେସ୍ଥାନକୁ ସେମାନେ ଗଲେ; ଗମନ କରିବାକୁ ପରମେଶ୍ୱରଙ୍କ ଆତ୍ମାର ଇଚ୍ଛା ହେଲେ ସେମାନଙ୍କ ପାର୍ଶ୍ୱରେ ଚକ୍ରସବୁ ଉଠିଲେ; କାରଣ ଜୀବିତ ପ୍ରାଣୀର ପରମେଶ୍ୱରଙ୍କ ଆତ୍ମା ଚକ୍ରରେ ଥିଲା। 21 ସେମାନେ ଗମନ କଲା ବେଳେ ଏମାନେ ଗମନ କଲେ ଓ ସେମାନେ ଠିଆ ହେବା ବେଳେ ଏମାନେ ଠିଆ ହେଲେ; ଆଉ, ସେମାନେ ଭୂମିରୁ ଉତ୍ଥାପିତ ହେବା ବେଳେ ସେମାନଙ୍କ ପାର୍ଶ୍ୱରେ ଚକ୍ରସବୁ ଉତ୍ଥାପିତ ହେଲେ; କାରଣ ଜୀବିତ ପ୍ରାଣୀର ପରମେଶ୍ୱରଙ୍କ ଆତ୍ମା ଚକ୍ରରେ ଥିଲା।
22 ପୁଣି, ସେହି ଜୀବିତ ପ୍ରାଣୀର ମସ୍ତକ ଉପରେ ଶୂନ୍ୟର ଏକ ଆକୃତି ଥିଲା, ତାହା ଭୟଙ୍କର ସ୍ପଟିକ ତୁଲ୍ୟ ଆଭାବିଶିଷ୍ଟ ହୋଇ ସେମାନଙ୍କ ମସ୍ତକର ଊର୍ଦ୍ଧ୍ୱରେ ବିସ୍ତାରିତ ଥିଲା। 23 ଆଉ, ସେହି ଶୂନ୍ୟର ତଳେ ସେମାନଙ୍କର ପକ୍ଷସବୁ ପରସ୍ପର ପ୍ରତି ପ୍ରସାରିତ ହୋଇ ସମାନ ଥିଲା; ପ୍ରତ୍ୟେକର ଶରୀର ଆଚ୍ଛାଦନ କରିବା ପାଇଁ ଏପାଖରେ ଦୁଇ ଓ ପ୍ରତ୍ୟେକର ଗାତ୍ର ଆଚ୍ଛାଦନ କରିବା ପାଇଁ ସେପାଖରେ ଦୁଇ ପକ୍ଷ ଥିଲା। 24 ଆଉ, ସେମାନେ ଗମନ କରିବା ବେଳେ ମୁଁ ସେମାନଙ୍କ ପକ୍ଷୀର ଶବ୍ଦ ଶୁଣିଲି, ତାହା ମହା ଜଳରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନଙ୍କର ରବ ତୁଲ୍ୟ, ସୈନ୍ୟଦଳର ଶବ୍ଦ ତୁଲ୍ୟ କୋଳାହଳ ଶବ୍ଦ; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ। 25 ପୁଣି, ସେମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟର ଉପରେ ଏକ ରବ ହେଲା; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ।
26 ପୁଣି, ସେମାନଙ୍କ ମସ୍ତକର ଉପରିସ୍ଥ ଶୂନ୍ୟର ଊର୍ଦ୍ଧ୍ୱରେ ନୀଳକାନ୍ତମଣି ସଦୃଶ ଏକ ସିଂହାସନର ଆକୃତି ଥିଲା; ଆଉ, ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ୍ୟ ଏକ ଆକୃତି ତହିଁର ଊର୍ଦ୍ଧ୍ୱ ଭାଗରେ ଥିଲା। 27 ଆଉ, ମୁଁ ତାହାଙ୍କ କଟିଦେଶର ଆକୃତି ଓ ତହିଁର ଊର୍ଦ୍ଧ୍ୱରୁ, ତହିଁର ଭିତରେ ଓ ଚତୁର୍ଦ୍ଦିଗରେ ଅଗ୍ନି ସଦୃଶ ଉତ୍ତପ୍ତ ଧାତୁର ଆଭା ତୁଲ୍ୟ ଆଭା ଦେଖିଲି ଓ ତାହାଙ୍କ କଟିଦେଶର ଆକୃତିଠାରୁ ତଳ ପର୍ଯ୍ୟନ୍ତ ଅଗ୍ନି ସଦୃଶ ଆଭା ଦେଖିଲି ଓ ତାହାଙ୍କ ଚତୁର୍ଦ୍ଦିଗରେ ତେଜ ଥିଲା। 28 ବୃଷ୍ଟି ଦିନରେ ମେଘରେ ଧନୁର ଯେପରି ଆଭା, ସେହିପରି ସେହି ଚତୁର୍ଦ୍ଦିଗସ୍ଥ ତେଜ ଥିଲା।
ଏହା ସଦାପ୍ରଭୁଙ୍କ ପ୍ରତାପର ମୂର୍ତ୍ତିର ଆଭା। ପୁଣି, ମୁଁ ତାହା ଦେଖି ମୁହଁ ମାଡ଼ି ପଡ଼ିଲି, ତହିଁରେ ମୁଁ ବାକ୍ୟବାଦୀ ଏକ ବ୍ୟକ୍ତିଙ୍କର ରବ ଶୁଣିଲି।