2
ଯିହିଜିକଲଙ୍କ ଆହ୍ୱାନ
ଏଥିଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଚରଣରେ ଠିଆ ହୁଅ, ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା।” ସେ କଥା କହିବା ବେଳେ ପରମେଶ୍ୱରଙ୍କ ଆତ୍ମା ମୋʼ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ତହିଁରେ ଯେ ମୋʼ ସଙ୍ଗେ କଥା କହିଲେ, ତାହାଙ୍କ ବାକ୍ୟ ମୁଁ ଶୁଣିଲି। ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ସୁଦ୍ଧା କରୁଅଛନ୍ତି। ସେହି ସନ୍ତାନମାନେ ନିର୍ଲଜ ମୁଖ ଓ କଠିନ ଚିତ୍ତ; ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ତୁମ୍ଭେ ସେମାନଙ୍କୁ କହିବ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି।’ ସେମାନେ ବିଦ୍ରୋହୀ ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍‍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ। ହେ ମନୁଷ୍ୟ-ସନ୍ତାନ, ସତ୍ୟ, ସେମାନେ ତୁମ୍ଭ ନିକଟରେ କାନକୋଳି ଓ କଣ୍ଟକ ତୁଲ୍ୟ ଅଟନ୍ତି, ତୁମ୍ଭେ କଙ୍କଡ଼ାବିଛାମାନଙ୍କ ମଧ୍ୟରେ ବାସ କରୁଅଛ, ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ; ସେମାନେ ବିଦ୍ରୋହୀ ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍‍ବିଗ୍ନ ହୁଅ ନାହିଁ। ସେମାନେ ଅତ୍ୟନ୍ତ ବିଦ୍ରୋହୀ, ଏହେତୁ ସେମାନେ ଶୁଣନ୍ତୁ, ଅବା ନ ଶୁଣନ୍ତୁ, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟସବୁ କୁହ।
ମାତ୍ର ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା କହୁ, ତାହା ତୁମ୍ଭେ ଶୁଣ; ତୁମ୍ଭେ ସେହି ବିଦ୍ରୋହୀ ବଂଶ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ଆପଣା ମୁଖ ଫିଟାଅ, ଆମ୍ଭେ ତୁମ୍ଭକୁ ଯାହା ଦେଉ, ତାହା ଭୋଜନ କର।” ତହିଁରେ ମୁଁ ଅନାନ୍ତେ, ଦେଖ, ଏକ ହସ୍ତ ମୋʼ ପ୍ରତି ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକ ନଳାକାର ପୁସ୍ତକ ଥିଲା; 10 ଆଉ, ସେ ମୋʼ ସମ୍ମୁଖରେ ତାହା ପ୍ରସାର କଲେ; ପୁଣି, ତାହା ଭିତରେ ଓ ବାହାରେ ଲେଖା ହୋଇଥିଲା; ଆଉ, ତହିଁ ମଧ୍ୟରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା।