ହୋଶେୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ  
ଲେଖକ  
ହୋଶେୟ ପୁସ୍ତକରେ ଅଧିକାଂଶ ବାର୍ତ୍ତା ହୋଶେୟଙ୍କ ଦ୍ଵାରା କୁହାଯାଇଅଛି। ସେ ନିଜେ ଲେଖିଛନ୍ତି କିମ୍ବା ଅନ୍ୟ କାହା ଦ୍ଵାରା ଲେଖେଇଛନ୍ତି ତାହା ଅଜ୍ଞାତ ଅଟେ, ସମ୍ଭବତଃ, ତାହାଙ୍କର ବାର୍ତ୍ତାଗୁଡ଼ିକ ତାହାଙ୍କର ଅନୁଗାମୀମାନଙ୍କ ଦ୍ଵାରା ସଂଗ୍ରହ କରାଯାଇଅଛି ଯିଏ ବିଶ୍ୱାସ କରୁଥିଲେ ଯେ ସେ ପରମେଶ୍ୱରଙ୍କ ଜଣେ ମୁଖପାତ୍ର ଅଟନ୍ତି। ହୋଶେୟର ଅର୍ଥ “ଉଦ୍ଧାର” ଅଟେ, ଅନ୍ୟ ଭାବବାଦୀମାନଙ୍କଠାରୁ ଅଧିକ ହୋଶେୟ ନିଜ ବାକ୍ୟକୁ ନିଜ ବ୍ୟକ୍ତିଗତ ଜୀବନ ସହ ସଂଯୁକ୍ତ କରିଥିଲେ। ହୋଶେୟ ଜାଣିଥିଲେ ଯେ ତାହାଙ୍କ ସ୍ତ୍ରୀ ତାହାଙ୍କ ପ୍ରତି ବିଶ୍ୱସ୍ତ ରହିବେ ନାହିଁ ତଥାପି ସେ ତାହାଙ୍କୁ ବିବାହ କରନ୍ତି ଏବଂ ନିଜ ପିଲାମାନଙ୍କର ନାମ ଦିଅନ୍ତି ଯାହା ଇସ୍ରାଏଲ ଉପରକୁ ବିଚାରର ବାର୍ତ୍ତା ଆଣେ, ହୋଶେୟଙ୍କର ଭାବବାଣୀର ବାର୍ତ୍ତା ତାହାଙ୍କ ପାରିବାରିକ ଜୀବନ ଠାରୁ ଥିଲା।  
ସମୟ ଓ ସ୍ଥାନ  
ପ୍ରାୟ 750-710 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।  
ହୋଶେୟଙ୍କର ବାର୍ତ୍ତାଗୁଡ଼ିକ ଏକତ୍ରୀକରଣ, ସମ୍ପାଦିତ ଏବଂ ପ୍ରତିଲିପିକ ଅଟେ। ଏହି କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହୋଇଥିଲା ତାହା ସ୍ପଷ୍ଟ ନୁହେଁ, କିନ୍ତୁ ସମ୍ଭବତଃ, ଏହା ଯିରୂଶାଲମ ଧ୍ୱଂସ ହେବା ପୂର୍ବରୁ ସମ୍ପୂର୍ଣ୍ଣ କରାଯାଇଥିଲା।  
ପ୍ରାପକ  
ସମ୍ଭବତଃ, ଇସ୍ରାଏଲର ଉତ୍ତର ରାଜ୍ୟର ଲୋକମାନେ ହୋଶେୟଙ୍କ ମୌଖିକ ବାର୍ତ୍ତାର ମୂଳ ପ୍ରାପକ ହୋଇଥିବେ ସେମାନଙ୍କ ପତନ ପରେ, ହୁଏତ, ତାହାଙ୍କ ବାର୍ତ୍ତା ବିଚାରର ଐଶ୍ଵରିକ ଚେତାବନୀ, ଅନୁତାପ କରିବା ନିମନ୍ତେ ଏକ ଆହ୍ୱାନ ଏବଂ ପୁନଃରୁଦ୍ଧାର ନିମନ୍ତେ ଏକ ପ୍ରତିଜ୍ଞା ଭାବେ ସଂରକ୍ଷିତ କରାଯାଇଥିବା।  
ଉଦ୍ଦେଶ୍ୟ  
ପରମେଶ୍ୱର ବିଶ୍ଵସ୍ତତାକୁ ଆବଶ୍ୟକ କରନ୍ତି ତାହା ଇସ୍ରାଏଲ ଲୋକ ଏବଂ ଆମ୍ଭମାନଙ୍କୁ ସ୍ମରଣ କରାଇବା ନିମନ୍ତେ ହୋଶେୟ ଏହି ପୁସ୍ତକ ଲେଖିଲେ। ସଦାପ୍ରଭୁ ହିଁ ଏକମାତ୍ର ସତ୍ୟ ପରମେଶ୍ୱର ଅଟନ୍ତି, ଏବଂ ସେ ଅବିଭକ୍ତ ନିଷ୍ଠା ଦାବୀ କରନ୍ତି। ପାପ ଦଣ୍ଡ ଆଣେ। ହୋଶେୟ ଯନ୍ତ୍ରଣାଦାୟକ ପରିଣାମ, ଆକ୍ରମଣ ଏବଂ ଦାସତ୍ଵ ବିଷୟରେ ଚେତାବନୀ ଦେଇଥିଲେ। ପରମେଶ୍ୱର ମନୁଷ୍ୟମାନଙ୍କ ପରି ନୁହନ୍ତି ଯିଏ ପ୍ରତିଜ୍ଞା କରନ୍ତି ଓ ତାହାକୁ ନିଜେ ଭାଙ୍ଗି ଦିଅନ୍ତି। ଇସ୍ରାଏଲ ଲୋକମାନଙ୍କର ବିଶ୍ଵାସଘାତ ସତ୍ତ୍ୱେ, ପରମେଶ୍ୱର ସେମାନଙ୍କୁ ସର୍ବଦା ପ୍ରେମ କଲେ ଏବଂ ସେମାନଙ୍କ ଉଦ୍ଧାର ନିମନ୍ତେ ଏକ ପଥ ପ୍ରସ୍ତୁତ କଲେ। ହୋଶେୟ ଏବଂ ଗୋମରଙ୍କର ବିବାହର ଉପସ୍ଥାପନା ପ୍ରତିକାତ୍ମକ ମାଧ୍ୟମରେ ପ୍ରତିମାପୂଜକ ଇସ୍ରାଏଲ ଦେଶ ପ୍ରତି, ପାପ, ବିଚାର ଏବଂ କ୍ଷମାଶୀଳ ପ୍ରେମ ବିଷୟରେ ଏକ ବିତ୍ତଶିଳ ରୂପକରେ ପରମେଶ୍ୱରଙ୍କ ପ୍ରେମ ପ୍ରକାଶ କରାଯାଇଅଛି।  
ବିଷୟବସ୍ତୁ  
ଅବିଶ୍ଵସ୍ତତା  
ରୂପରେଖା  
1. ହୋଶେୟଙ୍କ ବିଶ୍ଵାସହୀନ ସ୍ତ୍ରୀ — 1:1-11  
2. ଇସ୍ରାଏଲ ପ୍ରତି ପରମେଶ୍ୱରଙ୍କ ବିଚାର ଏବଂ ଦଣ୍ଡ — 2:1-23  
3. ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଉଦ୍ଧାର କରନ୍ତି — 3:1-5  
4. ଇସ୍ରାଏଲର ଦଣ୍ଡ ଏବଂ ଅବିଶ୍ଵସ୍ତତା — 4:1-10:15  
5. ଇସ୍ରାଏଲ ପ୍ରତି ପରମେଶ୍ୱରଙ୍କ ପ୍ରେମ ଏବଂ ପୁନଃରୁଦ୍ଧାର — 11:1-14:9   
 1
 1 ଯିହୁଦାର ରାଜାଗଣ ଉଷୀୟ, ଯୋଥମ୍, ଆହସ୍ ଓ ହିଜକୀୟର ରାଜତ୍ୱ ସମୟରେ ଯୋୟାଶ୍ର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ସମୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ବେରିଙ୍କ ପୁତ୍ର ହୋଶେୟଙ୍କର ନିକଟରେ ଉପସ୍ଥିତ ହେଲା।   
ହୋଶେୟଙ୍କ ଭାର୍ଯ୍ୟା ଏବଂ ସନ୍ତାନଗଣ 
  2 ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋଶେୟଙ୍କ ଦ୍ୱାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋଶେୟଙ୍କୁ କହିଲେ,  
“ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ  
ଓ ବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର;  
କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରିଅଛି।”   
 3 ତହିଁରେ ସେ ଯାଇ ଦିବ୍ଲାଇମର କନ୍ୟା ଗୋମରକୁ ଗ୍ରହଣ କଲା ଓ ସେ ଗର୍ଭବତୀ ହୋଇ ତାହାର ଏକ ପୁତ୍ର ପ୍ରସବ କଲା।   
 4 ତହୁଁ ସଦାପ୍ରଭୁ ତାହାଙ୍କୁ କହିଲେ,  
“ତୁମ୍ଭେ ତାହାର ନାମ ଯିଷ୍ରିୟେଲ ରଖ;  
କାରଣ ଅଳ୍ପ ସମୟ ପରେ ଆମ୍ଭେ ଯେହୂର ବଂଶକୁ  
ଯିଷ୍ରିୟେଲର ରକ୍ତପାତର ପ୍ରତିଫଳ ଭୋଗ କରାଇବା  
ଓ ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା।   
 5 ପୁଣି, ସେହି ସମୟରେ ଆମ୍ଭେ ଯିଷ୍ରିୟେଲର ଉପତ୍ୟକାରେ  
ଇସ୍ରାଏଲର ଧନୁ ଭଗ୍ନ କରିବା।”   
 6 ଆଉ, ଗୋମର ପୁନର୍ବାର ଗର୍ଭଧାରଣ କରି ଏକ କନ୍ୟା ପ୍ରସବ କଲା।  
ଆଉ, ସଦାପ୍ରଭୁ ତାହାକୁ କହିଲେ,  
“ତୁମ୍ଭେ ତାହାର ନାମ ଲୋ-ରୁହାମା*ଲୋ-ରୁହାମା ଅର୍ଥାତ୍ ଅଦୟା ପାତ୍ରୀ ରଖ;  
କାରଣ ଆମ୍ଭେ କୌଣସି ପ୍ରକାରେ ଇସ୍ରାଏଲ ବଂଶକୁ କ୍ଷମା କରିବା ପାଇଁ  
ସେମାନଙ୍କ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ।   
 7 ମାତ୍ର ଆମ୍ଭେ ଯିହୁଦା ବଂଶ ପ୍ରତି ଦୟା କରିବା  
ଓ ଧନୁ, ଖଡ୍ଗ, ଯୁଦ୍ଧ କି ଅଶ୍ୱଗଣ କିଅବା  
ଅଶ୍ୱାରୋହୀଗଣ ଦ୍ୱାରା ସେମାନଙ୍କୁ ଉଦ୍ଧାର ନ କରି  
ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଉଦ୍ଧାର କରିବା।”   
 8 ସେହି ସ୍ତ୍ରୀ ଲୋ-ରୁହାମାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଉତ୍ତାରେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କଲା।   
 9 ତହିଁରେ ସଦାପ୍ରଭୁ କହିଲେ,  
“ତୁମ୍ଭେ ତାହାର ନାମ ଲୋ-ଆମୀ (ଆମ୍ଭର ଲୋକ ନୁହେଁ) ରଖ;  
କାରଣ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ  
ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନାହିଁ।”   
 10 ତଥାପି ଇସ୍ରାଏଲ-ସନ୍ତାନଗଣର ସଂଖ୍ୟା  
ସମୁଦ୍ରର ବାଲୁକା ତୁଲ୍ୟ ଅପରିମେୟ ଓ ଅସଂଖ୍ୟ ହେବ;  
ପୁଣି, ଯେଉଁ ସ୍ଥଳରେ ସେମାନଙ୍କୁ,  
“ତୁମ୍ଭେମାନେ ଆମ୍ଭର ଲୋକ ନୁହଁ” ବୋଲି କୁହାଯାଇଥିଲା,  
ସେହି ସ୍ଥଳରେ ସେମାନଙ୍କୁ କୁହାଯିବ ଯେ,  
“ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର ସନ୍ତାନଗଣ ଅଟ।”   
 11 ଆଉ, ଯିହୁଦାର ସନ୍ତାନଗଣ ଓ ଇସ୍ରାଏଲର ସନ୍ତାନଗଣ  
ଏକତ୍ର ସଂଗ୍ରହ କରାଯିବେ ଓ ସେମାନେ ଆପଣାମାନଙ୍କ ଉପରେ  
ଏକ ଜଣକୁ ପ୍ରଧାନ ରୂପେ ନିଯୁକ୍ତ କରି ଦେଶରୁ ଯାତ୍ରା କରିବେ;  
କାରଣ ଯିଷ୍ରିୟେଲର ଦିନ ମହତ୍ ଦିନ ହେବ।