2
ଇସ୍ରାଏଲର ଅବିଶ୍ୱସ୍ତତାର ଶାସ୍ତି
ତୁମ୍ଭେମାନେ ଆପଣାମାନଙ୍କର ଭ୍ରାତୃଗଣଙ୍କୁ ଅମ୍ମି* ଅମ୍ମିଅର୍ଥାତ୍‍ ଆମ୍ଭର ଲୋକ
ଓ ଆପଣାମାନଙ୍କର ଭଗିନୀଗଣଙ୍କୁ ରୁହାମା ରୁହାମା ଅର୍ଥାତ୍‍ ଦୟାପାତ୍ରୀ ବୋଲି କୁହ।
“ତୁମ୍ଭେମାନେ ଆପଣା ମାତା ସହିତ ବାଦାନୁବାଦ କର;
କାରଣ ସେ ଆମ୍ଭର ଭାର୍ଯ୍ୟା ନୁହେଁ, କିଅବା ଆମ୍ଭେ ତାହାର ସ୍ୱାମୀ ନୋହୁଁ;
ସେ ଆପଣା ଦୃଷ୍ଟିରୁ ଆପଣା ବେଶ୍ୟାଚାର
ଓ ଆପଣା ସ୍ତନଦ୍ୱୟର ମଧ୍ୟରୁ ବ୍ୟଭିଚାର ଦୂର କରୁ;
ନୋହିଲେ ଅବା ଆମ୍ଭେ ତାହାକୁ ବିବସ୍ତ୍ରା କରିବା
ଓ ସେ ଜନ୍ମ ଦିନରେ ଯେରୂପ ଥିଲା, ସେରୂପ କରି ତାହାକୁ ରଖିବା;
ପୁଣି, ତାହାକୁ ପ୍ରାନ୍ତରର ତୁଲ୍ୟ କରିବା
ଓ ମରୁଭୂମି ତୁଲ୍ୟ କରି ତୃଷାରେ ତାହାକୁ ବଧ କରିବା;
ଆହୁରି, ଆମ୍ଭେ ତାହାର ସନ୍ତାନଗଣ ପ୍ରତି ଦୟା କରିବା ନାହିଁ,
କାରଣ ସେମାନେ ବେଶ୍ୟାଚାରରୁ ଜାତ ସନ୍ତାନ।
ଯେହେତୁ ସେମାନଙ୍କର ମାତା ବେଶ୍ୟାବୃତ୍ତି କରିଅଛି;
ସେମାନଙ୍କର ଗର୍ଭଧାରିଣୀ ଲଜ୍ଜାକର କର୍ମ କରିଅଛି;
କାରଣ ସେ କହିଲା, ‘ମୋର ଯେଉଁ ପ୍ରେମିକଗଣ ମୋତେ ଅନ୍ନ, ଜଳ,
ମେଷଲୋମ, ମସିନା ବସ୍ତ୍ର, ତୈଳ ଓ ମୋର ପେୟଦ୍ରବ୍ୟ ମୋତେ ଦିଅନ୍ତି,
ମୁଁ ସେମାନଙ୍କର ପଛେ ପଛେ ଯିବି।’
ଏଥିପାଇଁ ଦେଖ, ଆମ୍ଭେ କଣ୍ଟା ଦ୍ୱାରା ତୁମ୍ଭର ପଥ ରୁଦ୍ଧ କରିବା
ଓ ଆମ୍ଭେ ତାହାର ବିରୁଦ୍ଧରେ ବାଡ଼ ବାନ୍ଧିବା,
ତହିଁରେ ସେ ଆପଣା ପଥ ପାଇବ ନାହିଁ।
ପୁଣି, ସେ ଆପଣା ପ୍ରେମିକଗଣର ପଛେ ପଛେ ଯିବ,
ମାତ୍ର ସେ ସେମାନଙ୍କର ସଙ୍ଗ ଧରିବ ନାହିଁ
ଓ ସେ ସେମାନଙ୍କର ଅନ୍ଵେଷଣ କରିବ, ମାତ୍ର ଉଦ୍ଦେଶ୍ୟ ପାଇବ ନାହିଁ;
ତହୁଁ ସେ କହିବ, ‘ମୁଁ ଫେରି ଆପଣା ପ୍ରଥମ ସ୍ୱାମୀ ନିକଟକୁ ଯିବି;
କାରଣ ବର୍ତ୍ତମାନ ଅପେକ୍ଷା ସେତେବେଳେ ମୋର ମଙ୍ଗଳ ଥିଲା।’
ଯେହେତୁ ଆମ୍ଭେ ଯେ ତାହାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଲୁ
ଓ ତାହାର ରୂପା ଓ ସୁନା ବୃଦ୍ଧି କଲୁ, ଏହା ସେ ଜାଣିଲା ନାହିଁ,
ସେମାନେ ସେହି ରୂପା, ସୁନା ବାଲ୍‍ଦେବ ଉଦ୍ଦେଶ୍ୟରେ ବ୍ୟୟ କଲେ।
ଏଥିପାଇଁ ଆମ୍ଭେ ଶସ୍ୟ ସମୟରେ ଆମ୍ଭର ଶସ୍ୟ
ଓ ଦ୍ରାକ୍ଷାରସର ଋତୁରେ ଆମ୍ଭର ଦ୍ରାକ୍ଷାରସ ଫେରାଇ ନେବା,
ଯାହା ଦ୍ୱାରା ତାହାର ଉଲଙ୍ଗତା ଆଚ୍ଛାଦିତ ହୁଅନ୍ତା,
ଆମ୍ଭର ସେହି ମେଷଲୋମ ଓ ମସିନା ଛଡ଼ାଇ ନେବା।
10 ପୁଣି, ଏବେ ଆମ୍ଭେ ତାହାର ପ୍ରେମିକଗଣର ସାକ୍ଷାତରେ ତାହାର ଭ୍ରଷ୍ଟତା ପ୍ରକାଶ କରିବା
ଓ ଆମ୍ଭ ହସ୍ତରୁ କେହି ତାହାକୁ ଉଦ୍ଧାର କରିବେ ନାହିଁ।
11 ଆହୁରି, ଆମ୍ଭେ ତାହାର ସକଳ ଆମୋଦ, ତାହାର ଉତ୍ସବ,
ଅମାବାସ୍ୟା, ବିଶ୍ରାମ ଦିନ ଓ ତାହାର ମହାସଭା ସକଳ ବନ୍ଦ କରିବା।
12 ଆଉ, ସେ ଆପଣାର ଯେଉଁ ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ବିଷୟରେ କହିଥିଲା
ଏହିସବୁ ମୋର ପ୍ରେମିକଗଣ ମୋର ବେତନ ସ୍ୱରୂପେ ମୋତେ ଦେଇଅଛନ୍ତି,
ସେହି ସବୁ ଆମ୍ଭେ ଉଜାଡ଼ କରିବା; ଆଉ, ଆମ୍ଭେ ସେହି ସବୁକୁ ଅରଣ୍ୟ କରିବା,
ତହିଁରେ ବନ୍ୟ ପଶୁଗଣ ତାହା ଖାଇ ପକାଇବେ।
13 ପୁଣି, ଯେଉଁମାନଙ୍କ ଉଦ୍ଦେଶ୍ୟରେ ସେ ଧୂପ ଜ୍ୱଳାଇଲା,
ସେହି ବାଲ୍‍ ଦେବଗଣର (ପ୍ରତିଷ୍ଠିତ) ଦିନସମୂହର ପ୍ରତିଫଳ ଆମ୍ଭେ ତାହାକୁ ଭୋଗ କରାଇବା;
ସେହି ସମୟରେ ସେ କର୍ଣ୍ଣକୁଣ୍ଡଳ ଓ ଅଳଙ୍କାର ଇତ୍ୟାଦିରେ ଆପଣାକୁ ଭୂଷିତା କରି
ଆପଣା ପ୍ରେମିକଗଣର ପଛେ ପଛେ ଗଲା ଓ ଆମ୍ଭକୁ ଭୁଲିଲା, ଏହା ସଦାପ୍ରଭୁ କହନ୍ତି।
ଇସ୍ରାଏଲ ପ୍ରତି ଈଶ୍ୱରଙ୍କ ପ୍ରେମ
14 ଏଥିନିମନ୍ତେ ଦେଖ, ଆମ୍ଭେ ତାହାର ମନକୁ ଆକର୍ଷଣ କରି
ତାହାକୁ ପ୍ରାନ୍ତରକୁ ଆଣିବା ଓ ତାହାକୁ ଚିତ୍ତ ପ୍ରବୋଧକ କଥା କହିବା।
15 ପୁଣି, ସେହି ସ୍ଥାନରୁ ଆମ୍ଭେ ତାହାକୁ ତାହାର ଦ୍ରାକ୍ଷାକ୍ଷେତ୍ର
ଓ ଭରସାରୂପ ଦ୍ୱାର ନିମନ୍ତେ ଆଖୋର୍‍ ଉପତ୍ୟକା ଦେବା;
ପୁଣି, ସେ ଯେପରି ଆପଣା ଯୌବନ କାଳରେ
ଓ ମିସର ଦେଶରୁ ଆସିବା ଦିନରେ ଉତ୍ତର କରିଥିଲା,
ସେପରି ସେହି ସ୍ଥାନରେ ଉତ୍ତର କରିବ।
16 ଆଉ, ସଦାପ୍ରଭୁ କହନ୍ତି,
ସେହି ଦିନ ତୁମ୍ଭେ ଆମ୍ଭକୁ ‘ଈଶୀ’ (ଆମ୍ଭର ସ୍ୱାମୀ) ବୋଲି ଡାକିବ
ଓ ‘ବାଲୀ’ (କର୍ତ୍ତା) ବୋଲି ଆଉ ଡାକିବ ନାହିଁ।
17 କାରଣ ଆମ୍ଭେ ତାହାର ମୁଖରୁ ବାଲ୍‍ ଦେବଗଣର ନାମସବୁ ଦୂର କରିବା,
ପୁଣି ସେହି ନାମସବୁ ପୁନର୍ବାର ଧରାଯିବ ନାହିଁ।
18 ଆଉ, ସେହି ଦିନ ଆମ୍ଭେ ସେମାନଙ୍କ ନିମନ୍ତେ କ୍ଷେତ୍ରସ୍ଥ ବନ୍ୟ ପଶୁ
ଓ ଆକାଶସ୍ଥ ପକ୍ଷୀ ଓ ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ସହିତ ନିୟମ କରିବା
ଓ ଆମ୍ଭେ ଦେଶରୁ ଧନୁ, ଖଡ୍ଗ ଓ ଯୁଦ୍ଧ ଉଚ୍ଛିନ୍ନ କରିବା,
ଆଉ ସେମାନଙ୍କୁ ନିରାପଦରେ ଶୟନ କରାଇବା।
19 ପୁଣି, ଆମ୍ଭେ ଚିରକାଳ ନିମନ୍ତେ ଆମ୍ଭ ପାଇଁ ତୁମ୍ଭକୁ ବାଗ୍‍ଦାନ କରିବା;
ହଁ, ଆମ୍ଭେ ତୁମ୍ଭକୁ ଧର୍ମରେ, ନ୍ୟାୟ-ବିଚାରରେ,
ସ୍ନେହପୂର୍ଣ୍ଣ କରୁଣାରେ ଓ ଦୟାରେ ଆମ୍ଭ ପାଇଁ ବାଗ୍‍ଦାନ କରିବା।
20 ଆମ୍ଭେ ତୁମ୍ଭକୁ ବିଶ୍ୱସ୍ତତାରେ ଆମ୍ଭ ପାଇଁ ବାଗ୍‍ଦାନ କରିବା;
ତହିଁରେ ତୁମ୍ଭେ ସଦାପ୍ରଭୁଙ୍କୁ ଜ୍ଞାତ ହେବ।
21 ଆହୁରି, ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ଉତ୍ତର ଦେବା,
ଆମ୍ଭେ ଆକାଶମଣ୍ଡଳକୁ ଉତ୍ତର ଦେବା ଓ ଆକାଶମଣ୍ଡଳ ପୃଥିବୀକୁ ଉତ୍ତର ଦେବ;
22 ପୁଣି, ପୃଥିବୀ ଶସ୍ୟକୁ, ଦ୍ରାକ୍ଷାରସକୁ ଓ ତୈଳକୁ ଉତ୍ତର ଦେବ;
ଆଉ, ସେହି ସମସ୍ତେ ଯିଷ୍ରିୟେଲକୁ ଉତ୍ତର ଦେବେ;
23 ପୁଣି, ଆମ୍ଭେ ଆପଣା ପାଇଁ ତାହାକୁ ଦେଶରେ ରୋପଣ କରିବା;
ତହିଁରେ ଯେ ଦୟା ପାଇ ନ ଥିଲା, ତାହା ପ୍ରତି ଆମ୍ଭେ ଦୟା କରିବା;
ଆଉ, ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ କହିବା,
ତୁମ୍ଭେ ଆମ୍ଭର ଲୋକ ଓ ସେମାନେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’ ”

*2:1 ଅମ୍ମିଅର୍ଥାତ୍‍ ଆମ୍ଭର ଲୋକ

2:1 ରୁହାମା ଅର୍ଥାତ୍‍ ଦୟାପାତ୍ରୀ